କେନ୍ଦୁଝର(ପ୍ରଣୟ କୁମାର ପାଣି): ଗରିବ ଲୋକଙ୍କ ପାଇଁ ସରକାରଙ୍କ ରହିଛି କେତେ କ’ଣ ଯୋଜନା । କିନ୍ତୁ ପ୍ରକୃତ ହିତାଧିକାରୀ ଉକ୍ତ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ପ୍ରକୃତ ବାସହୀନ ପାଉନାହାନ୍ତି ଆବାସ ଯୋଜନାରେ ଘର। ସାହାରପଡା ବ୍ଳକ ଉଦୟପୁର ମଉଦୀପା ଗାଁର ମାଙ୍କଡଡିହା ସାହିରୁ ଆସିଛି ଏମିତି ଅଭିଯୋଗ। ଘର ଖଣ୍ଡେନାହିଁ । ଛିଣ୍ଡା ଜରି ତଳେ ବିତୁଛି ଜିବନ । ଘର ଭିତରୁ ଦିନରେ ସୂର୍ଯ୍ୟ , ରାତିରେ ଜହ୍ନ ଦେଖା ଯାଉଛି । ଆଉ ଏମିତି ଘରେ ୨ବର୍ଷ ହେଲା ରହି ଆସୁଛନ୍ତି ବସନ୍ତ ମୁଣ୍ଡାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ |
ଗତ ୨ବର୍ଷ ହେବ ଏପରି ଭାଗ୍ୟକୁ ଆଦରି ଖରା , ବର୍ଷା ଓ ଶୀତ କାକରରେ ଅତି ଦୟନୀୟ ଅବସ୍ତାରେ ପଡି ରହିଛନ୍ତି ପାଞ୍ଚପ୍ରାଣୀ କୁଟୁମ୍ବ । ଘର ଖଣ୍ଡେ ପାଇଁ ଲୋକପ୍ରତିନିଧିଙ୍କ ଠାରୁ ପ୍ରଶାସନ ଯାଏ ଜଣାଇ ନୟାନ୍ତ ହେଲେଣି ବସନ୍ତ ମୁଣ୍ଡାଙ୍କ ପରିବାର ।ଦିନ ମଜୁରିଆ ଭାବେ ଉଭୟ ସ୍ୱାମୀ ସ୍ତ୍ରୀ କାମ କରି ପରିବାର ପ୍ରତି ପୋଷଣ କରନ୍ତି ।ଦୁଇଓଳି ଖାଦ୍ୟ ଯୋଗାଡ କରିବାକୁ ସକ୍ଷମ ନ ଥିବା ପରିବାର ଘର ଖଣ୍ଡେ କରିବା କାଠିକର ପାଠ ହୋଇଯାଇଛି। ୨ ବର୍ଷ ତଳେ ବର୍ଷା ରେ ୨ବଖରା ମାଟି ଘର ଭାଙ୍ଗି ମାଟିରେ ମିଶି ଯାଇଥିଲା । ସମ୍ବଳ ଅଭାବରୁ ସେବେଠାରୁ ଘର ଖଣ୍ଡେ କରି ପାରୁନାହାଁନ୍ତି । ଲୋକଙ୍କଠାରୁ ପାଲ ଖଣ୍ଡେ ଯୋଗାଡ କରି ବାଡ ଦେଇ ଖୋଲା ଆକାଶ ତଳେ ପଡି ରହିଛନ୍ତି ୫ ପ୍ରାଣୀ କୁଟୁମ୍ବ ।ଏ ସମ୍ପର୍କରେ ଅବଗତ ହେବା ପରେ ଉପଜିଲ୍ଲାପାଳ ବସନ୍ତ ମୁଣ୍ଡାଙ୍କ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ସାହାରପଡ଼ା ବିଡିଓଙ୍କୁ କହିଛନ୍ତି ।