Chief Minister Naveen Patnaik
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ସ୍ୱାସ୍ଥ୍ୟସେବା ପାଇବା ପାଇଁ ସେମାନଙ୍କୁ ଆଉ ସୁଦୂର କଟକ, ଭୁବନେଶ୍ୱର ଯିବ ନାହିଁ। କେନ୍ଦୁଝରରେ ହିଁ ସେମାନଙ୍କୁ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ଜିଲ୍ଲାରେ ମେଡିକାଲ କଲେଜ ଉଦ୍ଘାଟିତ ହେବା ଦ୍ୱାରା ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ । ଅଧିକ ସଂଖ୍ୟକ ଡାକ୍ତର ତିଆରି ହେବେ। ଗରିବମାନଙ୍କୁ ଆଉ କଟକ, ଭୁବନେଶ୍ୱର ଯିବାକୁ ପଡ଼ିବନି। ଏହି ମେଡିକାଲ କଲେଜ ସହ ଏକ କ୍ୟାନସର କେୟାର ୱିଙ୍ଗ ଓ ନର୍ସିଂ କଲେଜ ବି ଖୁବ୍ ଶୀଘ୍ର ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ସେ କହିଛନ୍ତି, ପ୍ରତି ଜୀବନ ମୋ’ ପାଇଁ ମୂଲ୍ୟବାନ । ଏହା ସ୍ୱାସ୍ଥ୍ୟସେବାକୁ ଆଗକୁ ବଢ଼ିବାକୁ ବାଟ ଦେଖାଇଛି। ରାଜ୍ୟରେ ଗରୀବଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଛି । ବହୁ ଲୋକ ଏହାର ସୁବିଧା ପାଉଛନ୍ତି। ଏହି ଯୋଜନାରେ ମା’ମାନଙ୍କ ପାଇଁ ୧୦ ଲକ୍ଷ, ଅନ୍ୟମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ସମଗ୍ର ଦେଶରେ ଏହା ସବୁଠୁ ଭଲ ଯୋଜନା।
ଏହି ଯୋଜନା ଅଧୀନରେ ରାଜ୍ୟର ୮ ଲକ୍ଷ ୩୦ ହଜାର ଲୋକ ସୁବିଧା ପାଉଛନ୍ତି। ଏଥିନିମନ୍ତେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଗରୀବ ଲୋକେ ଭଲ ହସ୍ପିଟାଲରେ ଟ୍ରିଟମେଣ୍ଟ ପାଉଛନ୍ତି। କେନ୍ଦୁଝରର ୨୪ ହଜାର ଲୋକ ଏହି ଯୋଜନାର ସବୁଧା ପାଉଛନ୍ତି। ତେଣୁ ଆପଣମାନେ ଖୁସି ତ ବୋଲି ପଚାରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ସେ କହିଛନ୍ତି, କେନ୍ଦୁଝର ଏକ ଖଣି ସମ୍ବୃଦ୍ଧ ଜିଲ୍ଲା। ସମଜ୍ର ରାଜ୍ୟର ବିକାଶରେ ଏହି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଅନୁସୂଚିତ ଜାତି, ଜନଜାତି ଲୋକ ଏହି ଜିଲ୍ଲାରେ ଅଛନ୍ତି। ଏହି ଜିଲ୍ଲାର ବହୁ ଲୋକ ମିଲେଟ ମିଶନରେ କାମ କରି ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଏହି ଅବସରରେ ଧରଣୀଧର ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପାଲଟିଥିବା ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଏହାବାଦ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ମୋଟ ୪୭୦୩ କୋଟି ୨୪ ଲକ୍ଷ ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭ ଉଦ୍ ଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହ ୧୪୩୭୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୩୭୮କୋଟି ଟଙ୍କାର ଋଣ ସହାୟତା ବି ପ୍ରଦାନ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
