/odisha-reporter/media/post_attachments/uploadimage/library/16_9/16_9_0/Complain_1679042434.jpg)
Complain
ଥାନାକୁ ନିଜ ଅଭିଯୋଗ ନେଇ ଯାଇଥିବା ମହିଳା ପୋଷ୍ଟ ମାଷ୍ଟରଙ୍କୁ ଦେଖି ପୁଲିସ୍ ଏଏସ୍ଆଇଙ୍କ ହାର୍ଟବିଟ୍ ବଢ଼ିଗଲା। ଅଭିଯୋଗକାରିଣୀଙ୍କ ଅଭିଯୋଗର ତଦନ୍ତ କରିବା ବଦଳରେ ସେ ତାଙ୍କୁ ପ୍ରେମ ନିବେଦନ କରିବାକୁ ଲାଗିଲେ। ଏପରିକି ବାରମ୍ବାର ଫୋନ୍ କରି ଆଇ ମିସ୍ ୟୁ କହିବାକୁ ପଛାଇଲେ ନାହିଁ । ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଏଏସ୍ଆଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇରେ ଘଟିଛି।
ତେଲକୋଇ ବ୍ଲକର ଏକ ଗ୍ରାମାଞ୍ଚଳ ପୋଷ୍ଟ ଅଫିସରେ ଗତ ୨ ତାରିଖରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଦେଇଥିଲା। ଏ ଘଟଣାକୁ ନେଇ ସେହି ପୋଷ୍ଟ ଅଫିସ ଦାୟିତ୍ୱରେ ଥିବା ମହିଳା ପୋଷ୍ଟ ମାଷ୍ଟର ତେଲକୋଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ସେଠି ତାଙ୍କ ଅଭିଯୋଗକୁ ଏଏସଆଇ ରସାନନ୍ଦ ନାୟକ ଗ୍ରହଣ କରିଥିଲେ । ତଦନ୍ତ ପାଇଁ ମହିଳା ପୋଷ୍ଟ ମାଷ୍ଟରଙ୍କ ଫୋନ ନମ୍ବର ନେଇଥିଲେ ଓ ନିଜ ନମ୍ବର ମଧ୍ୟ ଦେଇଥିଲେ।
ଇତି ମଧ୍ୟରେ ୧୫ ଦିନରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିବା ବେଳେ ତଦନ୍ତ ଆଗେଇ ପାରିନି। ହେଲେ ତଦନ୍ତ ଆଳରେ ବିଭିନ୍ନ ସମୟରେ ମହିଳା ପୋଷ୍ଟ ମାଷ୍ଟରଙ୍କୁ ଫୋନ୍ କରୁଥିଲେ ଏଏସ୍ଆଇ। କଥାବାର୍ତ୍ତା ସମୟରେ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିବାକୁ ପଛାଉ ନ ଥିଲେ।
ଏଏସ୍ଆଇଙ୍କ ଏପରି ବ୍ୟବହାର ମହିଳା ପୋଷ୍ଟ ମାଷ୍ଟରଙ୍କୁ ଖୁବ୍ ମର୍ମାହତ କରିଥିଲା। ଏନେଇ ସେ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ତେଲକୋଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଜଣେ ମହିଳା ଯଦି ଥାନାକୁ ନ୍ୟାୟ ମାଗିବା ପାଇଁ ଯିବ ଓ ଦୁର୍ବ୍ୟବହାରର ଶିକାର ହେବ ତେବେ ସେ ନ୍ୟାୟ ପାଇଁ କେଉଁଠିକୁ ଯିବ? ଏପରି ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା ପୋଷ୍ଟ ମାଷ୍ଟର ଜଣଙ୍କ ଦାବି କରିଛନ୍ତି।
ଅନ୍ୟପଟେ ତଦନ୍ତ ପାଇଁ ଫୋନ କରିଥିଲି, କୌଣସି ଦୁର୍ବ୍ୟବହାର କରିନାହିଁ ବୋଲି ଏଏସଆଇ ରସାନନ୍ଦ ନାୟକ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ତେଲକୋଇ ଥାନା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
