Advertisment

ହ୍ୱାଟ୍ସଆପ୍‌ରେ ଇସ୍ତଫା ଦେଲେ ସରପଞ୍ଚ, ମନାଇବାକୁ ପହଞ୍ଚିଲେ ବିଜେଡି ନେତା!

ବରଦାପାଳ ପଞ୍ଚାୟତର ସରପଞ୍ଚ ଗଣେଶ ଭୂୟାଁ ଇସ୍ତଫା ଦେଇଥିବା ନେଇ ଆଲୋଚନା ହେବା ପରେ ମାନସ ଭଞ୍ଜନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବିଜେଡି ନେତା। ଜିଲ୍ଲା ବିଜେଡିର ବରିଷ୍ଠ ନେତା ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ତାଙ୍କୁ ବୁଝାଇବାରେ ଲାଗି ପଡ଼ିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଅସମ୍ମାନିତ ହୋଇ ହ୍ୱାଟ୍ସଆପ୍‌ରେ ଇସ୍ତଫା ଦେଇଥିଲେ ସରପଞ୍ଚ! ଖବର ପ୍ରଚାରିତ ହେବା ପରେ ତାଙ୍କୁ ମନାଇବାକୁ ପହଞ୍ଚି ଗଲେ ବିଜେଡି ନେତା। ବ୍ଲକ ଅଫିସ୍‌ ପରିସରରେ ଥିବା ଏକ କୋଠରୀରେ ବିଜେଡି ନେତାମାନେ ତାଙ୍କୁ ବୁଝାଇବା ସହିତ ଇସ୍ତଫାପତ୍ର ଫେରାଇ ନେବାକୁ କହିଥିଲେ! କେନ୍ଦୁଝର ସଦର ମହକୁମାରୁ ଆସିଛି ଏପରି ଚିତ୍ର।

Advertisment

ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ବ୍ଲକ ବରଦାପାଳ ପଞ୍ଚାୟତର କୁସୁମିତା ଗାଁରେ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ପାଳିତ ହୋଇଥିଲା। ଉକ୍ତ ସମାବେଶରେ କେନ୍ଦୁଝର ସାଂସଦ, ଜିଲ୍ଲାର ଅଧିକାଂଶ ବିଧାୟକ, ଲୋକପ୍ରତିନିଧି ଓ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ। ହେଲେ ଯେଉଁ ପଞ୍ଚାୟତରେ ସଭା ଆୟୋଜନ ହେଉଥିଲା, ସେଠାକାର ସରପଞ୍ଚ ଗଣେଶ ଭୂୟାଁଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏପରି ସଭାରେ ଯୋଗଦେଇଥିବା ଅତିଥିମାନେ ସ୍ଥାନୀୟ ସରପଞ୍ଚଙ୍କ ନାଁ ଧରିନଥିଲେ। ଯାହାଦ୍ୱାରା ଗଣେଶ ନିଜକୁ ଅପମାନିତ ଅନୁଭବ କରିଥିଲେ। ତେଣୁ ସେ ହ୍ୱାଟ୍ସଆପ୍‌ରେ ନିଜର ଇସ୍ତଫାପତ୍ର ସଦର ବିଡିଓ ଓ କେନ୍ଦୁଝର ଜିଲ୍ଲାପାଳଙ୍କ ପାଖକୁ ପଠାଇ ଦେଇଥିଲେ। ଏଥିସହ ନିଜର ଇସ୍ତଫା ନେଇ ସେ ସୋଶାଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।

ବରଦାପାଳ ପଞ୍ଚାୟତର ସରପଞ୍ଚ ଗଣେଶ ଭୂୟାଁ ଇସ୍ତଫା ଦେଇଥିବା ନେଇ ଆଲୋଚନା ହେବା ପରେ ମାନଭଞ୍ଜନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ବିଜେଡି ନେତା। ଜିଲ୍ଲା ବିଜେଡିର ବରିଷ୍ଠ ନେତା ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ତାଙ୍କୁ ବୁଝାଇବାରେ ଲାଗି ପଡ଼ିଥିଲେ। ଇସ୍ତଫାପତ୍ର ଫେରାଇନେବାକୁ ଅନୁରୋଧ କରିଥିଲେ। ପ୍ରଶାସନ ଯଦି ନିଜ ଭୁଲ ସ୍ୱୀକାର କରିବ ଓ ଆଉ କେବେ କୌଣସି ଜନ ପ୍ରତିନିଧିଙ୍କୁ ଏପରି ଅପମାନିତ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ ଇସ୍ତଫାପତ୍ର ଫେରାଇ ନେବେ ବୋଲି ଗଣେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ବିଜେପି ବିଧାୟକ ମୋହନ ମାଝିଙ୍କ ଗଡ଼ରେ ବିନା କାହାରି ସମର୍ଥନରେ ଗଣେଶ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ବିଜୟ ଲାଭ ପରେ ଗଣେଶ ଖୁସିରେ ବିଜେଡିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସହ ଫୋଟୋ ଉଠାଇ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ତା’ପରେ ତାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା।

ଏ ନେଇ ସଦର ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି କହିବେ ନାହିଁ ବୋଲି କରିଥିଲେ। ବର୍ତ୍ତମାନ କେବଳ ସଫ୍ଟ କପି ପାଇଛି ଓ ହାର୍ଡ କପି ପାଇବା ପରେ ନିୟମ ଅନୁସାରେ ଯାହା ହେବା କଥା ସେୟା ହେବ ବୋଲି ବିଡିଓ କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

BjD Bjd Leader Kendujhar