Accused
ପୁଅ ହତ୍ୟା ମାମଲାରେ ବାପାକୁ ଧରିଲେ ଗାଁ ଲୋକେ। ଗାଁ ମଝିରେ ଏହି ବାପା ଓ ତାର ଜଣେ ସହଯୋଗୀକୁ ବାନ୍ଧି ଗ୍ରାମବାସୀ ଦଣ୍ଡ ଦେଉଥିବା ବେଳେ ପହଞ୍ଚିଛି ପୁଲିସ। ଦଣ୍ଡ ପାଉଥିବା ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ ଘଟଣାର ଅଧିକ ଖୋଳତାଡ ଆରମ୍ଭ କରିଛି। କେନ୍ଦୁଝର କାଞ୍ଜିପାଣି ଥାନା କରଙ୍ଗଡ଼ିହି ଗାଁରେ ଆଜି ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, ଏହି ଗାଁର ଏକ ପଡ଼ିଆରେ ୮ ବର୍ଷିୟ ନାବାଳକ ଫକୀର ମହାକୁଡ଼ଙ୍କ ମୃତଦେହ ୧୨ ତାରିଖରେ ମିଳିଥିଲା। ନାବାଳକ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ତେବେ କିଏ ଓ କାହିଁକି ଏ ନାବାଳକକୁ ହତ୍ୟା କରିଲା ତାହା ସମସ୍ତଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ପୁଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ଏପର୍ଯ୍ୟନ୍ତ ବିଫଳ ହୋଇଛି।
ସେପଟେ ଫକୀରଙ୍କ ହତ୍ୟା ପଛରେ ତାର ବାପା ରଙ୍ଗା ମହାକୁଡ଼, ସାବତ ମାଆ ଓ ପଡ଼ୋଶୀ ବିଦ୍ୟାଧର ଦେହୁରୀଙ୍କ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏନେଇ ଆଜି ଗାଁ’ରେ ବୈଠକ ବସିଥିଲା। ବୈଠକରେ ଏ ଅଭିଯୋଗକୁ ନାବାଳକ ବାପା ଓ ତାଙ୍କ ସହଯୋଗୀ ଖଣ୍ଡନ କରିଥିଲେ। ସେମାନଙ୍କ ଉତ୍ତର ସନ୍ତୋଷବୋଧ ନ ହେବାରୁ ଦୁଇଜଣକୁ ଗାଁ’ ମଣ୍ଡପରେ ବାନ୍ଧି ବଡ଼ିଆପିଟା କରିଥିଲେ ଗାଁ ଲୋକେ।
ଏ ଖବର ପାଇ କାଞ୍ଜିପାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଦୁଇ ଜଣଙ୍କ ସମେତ ସାବତ ମା’କୁ ଉଦ୍ଧାର କରି ଥାନାକୁ ନେଇଥିଲା। ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଥିବା କାଞ୍ଜିପାଣି ଆଇଆଇସି ଶେଖ ଅଝାରୁଦ୍ଧିନ ପ୍ରକାଶ କରିଛନ୍ତି।
କରଙ୍ଗଡିହିର ଧନେଶ୍ୱର ଦେହୁରୀ କହିଛନ୍ତି, ସେ ୧୨ ତାରିଖ ଦିନ ଉକ୍ତ ନାବାଳକଙ୍କୁ ଅଭିଯୁକ୍ତମାନେ ଗାଡ଼ିରେ ବସାଇ ନେଉଥିବା ଦେଖିଛନ୍ତି। ତେଣୁ ସେମାନଙ୍କ ଉପରେ ସମସ୍ତଙ୍କ ସନ୍ଦେହ ସୃଷ୍ଟି ହୋଇଛି। ନାବାଳକର ବଡ଼ବାପା ବିଶୁ ମହାକୁଡ଼ କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ପ୍ରତ୍ୟେକ୍ଷଦର୍ଶୀମାନେ ଏବାବଦରେ ଜଣାଇଛନ୍ତି, ତେଣୁ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା। ପୁଲିସ ଘଟଣାର ତଦନ୍ତ କରିବାରେ ଫେଲ ମାରିଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ମାମଲାର ନିଜେ ଛାନଭିନ କରୁଛନ୍ତି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
