Advertisment

ଭାତ ଛଡ଼ା ଖାଇବାକୁ ଘରେ କିଛି ନାହିଁ, ସ୍ତ୍ରୀର ଚିକିତ୍ସା ପାଇଁ ୪ ମାସର ପୁଅକୁ ବିକ୍ରି କରୁଥିଲା ବାପା

ମୁନାଙ୍କ ପତ୍ନୀ କହିଛନ୍ତି, ତାଙ୍କ ପରିବାର ରୋଜଗାର ଦିନକୁ ଅତିବେଶିରେ ୫୦ ଟଙ୍କା। ସେପଟେ ତାଙ୍କ ପେଟରେ ପାଣି ଜମି ଯାଉଛି। କେମିତି ଚାଲିବ ସଂସାର।

author-image
Niranjan Mishra
ଅଦ୍ୟତନ ହୋଇଛି
Munas House

Munas House

ପତ୍ନୀର ଚିକିତ୍ସା ପାଇଁ ଅର୍ଥ ଅଭାବ ମେଣ୍ଟାଇବା ପାଇଁ ୪ ମାସର ଶିଶୁକୁ ବିକ୍ରି କରୁଥିଲା ବାପା। ପ୍ରଶାସନର ହସ୍ତକ୍ଷେପ ପରେ ଅଟକିଲା ଶିଶୁବିକ୍ରି ଉଦ୍ୟମ। କେନ୍ଦୁଝର ଜିଲ୍ଲାରୁ ଆସିଛି ଏହି ଅଭାବନୀୟ ଓ ଦୁଃଖଦ ଚିତ୍ର। ଗୁରୁବାର କେନ୍ଦୁଝର ସଦର ବ୍ଳକ ବୋଦାପଳସା ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁର ମୁନା ମୁଣ୍ଡା ପତ୍ନୀର ଚିକିତ୍ସା ଲାଗି ୪ ମାସର ଶିଶୁକନ୍ୟାକୁ ବିକ୍ରି ଉଦ୍ୟମ କରୁଥିଲେ।

Advertisment

ଗୋଟିଏ ଦୁଆରରୁ ଅନ୍ୟ ଏକ ଦୁଆରକୁ ବୁଲିବୁଲି ଶିଶୁକୁ ବିକ୍ରି କରିବାକୁ ସେ ଉଦ୍ୟମ କରୁଥିଲେ। ଖବର ପାଇ ଶିଶୁବିକ୍ରି ଉଦ୍ୟମକୁ ରୋକିଥିଲେ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଓ ଶିଶୁ ମଙ୍ଗଳ ସମିତି ସଦସ୍ୟ। ମୁନା ମୁଣ୍ଡାଙ୍କୁ ବହୁ ବୁଝା ସୁଝା କରିବା ପରେ ଶିଶୁ ବିକ୍ରି କରିବାରୁ ଓହରିଛି ମୁନାମୁଣ୍ଡା।

ପ୍ରଶାସନ ପକ୍ଷରୁ ତାଙ୍କୁ ପତ୍ନୀର ଚିକିତ୍ସା କରାଇବାର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟର ସବୁ ଠାରୁ ଧନୀ ଜିଲ୍ଲାରେ ଏହି ଅଭାବନୀୟ ଦୃଶ୍ୟ ଆଲୋଚନାର ବିଷୟ ହୋଇଛି।

Advertisment

ଖବର ମୁତାବକ, ଶଙ୍କରପୁର ଗ୍ରାମର ମୁନା ମୁଣ୍ଡା ଏବେ ତୃତୀୟ ପତ୍ନୀଙ୍କ ସହିତ ରହୁଛନ୍ତି। ମୁନାଙ୍କ ପ୍ରଥମ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ପରେ ପିଲାକୁ ଛାଡି ଅନ୍ୟ ପୁରୁଷର ହାତ ଧରି ପଳାଇ ଯାଇଛନ୍ତି। ଶିଶୁ କନ୍ୟାର ଲାଳନପାଳନ ପାଇଁ ମୁନା ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ମାତ୍ର ସେ ଅଜଣା ରୋଗରେ ପ୍ରାଣ ହରାଇଲେ। ଫଳରେ ମୁନା ତୃତୀୟ ବିବାହ କରିଥିଲେ। ତୃତୀୟ ପତ୍ନୀଙ୍କ ଠାରୁ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ତାର ବୟସ ଏବେ ୩ ବର୍ଷ। ୪ ମାସ ତଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅଭାବ ଅନଟନ ଯୋଗୁ ଛୁଆମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ରହୁଥିଲେ। ଅନ୍ୟପକ୍ଷରେ ତୃତୀୟ ପତ୍ନୀ ମାରାତ୍ମକ ଯକୃତ ରୋଗରେ ପୀଡ଼ିତ ଅଛନ୍ତି।

ଫଳରେ ସେ କାମଧନ୍ଦା କରିପାରୁ ନାହାନ୍ତି କିମ୍ବା ଶିଶୁମାନଙ୍କର ଲାଳନପାଳନ କରୁପାରୁନାହାନ୍ତି। ଏଭଳି ପରିସ୍ଥିତିରେ ପରିବାର ଚଳାଇବା ଓ ରୋଗର ଚିକିତ୍ସା କରିବା ନିମନ୍ତେ ମୁନାମୁଣ୍ଡାଙ୍କ ମୁଣ୍ଡରେ ବଜ୍ର ପଡ଼ିଛି। ଖାଇବାକୁ ଦେଇପାରୁ ନ ଥିବାରୁ ୪ ମାସର ଶିଶୁପୁତ୍ର ପୁଷ୍ଟିହୀନତାର ଶିକାର ହୋଇଛି। ତେଣୁ ତାକୁ ଅନ୍ୟ ହାତକୁ ଟେକି ଦେବାକୁ କଠୋର ନିଷ୍ପତ୍ତି ନେଇଥିଲା ମୁନା। ହେଲେ ମୁନା’ର ସ୍ତ୍ରୀ କିନ୍ତୁ ପିଲା ବିକିବାକୁ ରାଜି ନଥିଲା।

Munas Houseଘର ଦୁଆର ବାରଣ୍ଡାରେ ବସି କେବଳ ଭାତ ଖାଉଛି ୩ ବର୍ଷର ଝିଅ।

ମୁନା ମୁଣ୍ଡା କହିଛନ୍ତି, ପତ୍ନୀର ଚିକିତ୍ସା ଓ ଯତ୍ନ ନେବା ନିମନ୍ତେ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଥିଲେ। ଜଙ୍ଗଲରୁ କାଠ ବିକିଲେ ଯାହା ମିଳେ ପରିବାର ଚାଲେ। ଜଙ୍ଗଲରୁ ଆଉ କାଠ ମିଳୁନି। ତେଣୁ ରୋଜଗାର ବନ୍ଦ ହୋଇଗଲାଣି। ଯେକେହି ଲକ୍ଷେ ଟଙ୍କା କିମ୍ବା ଏହାଠାରୁ କମ୍ ଦେଇଥିଲେ ପୁଅକୁ ଦେଇଦେଇଥାନ୍ତେ। ତେବେ ପ୍ରଶାସନ ସହାୟତା କରିବ ବୋଲି ବୁଝାଇଥିବାରୁ ଆଉ ଶିଶୁକୁ ବିକ୍ରି କରିବିନି।

ତାଙ୍କ ସ୍ତ୍ରୀ ମିନତୀ ମୁଣ୍ଡା କହିଛନ୍ତି, କାମ ମିଳୁନି। ଦିନକୁ ୫୦ରୁ ୬୦ଟଙ୍କା ରୋଜଗାରରେ ପରିବାର ଚଳାଇ ହେଉନି। ତାହା ସାଙ୍ଗକୁ ତାଙ୍କ ପେଟରେ ପାଣି ଜମି ଯାଉଛି। ଚିକିତ୍ସା ନିମନ୍ତେ ବହୁ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ସେ ଅରାଜି ଥିଲେ ହେଁ ସ୍ୱାମୀ ନବଜାତ ପୁଅକୁ ବିକ୍ରି କରିବାକୁ କହୁଥିଲେ। ଘରେ ଖାଇବାକୁ ଭାତ ଛଡ଼ା ଅନ୍ୟ କିଛି ନାହିଁ। ସରକାର ଦେଉଥିବା ଚାଉଳ ଏକମାତ୍ର ସମ୍ଭଳ। 

Munas Houseପରିବାର ସହ ମୁନା

ସିଡବ୍ଳୁସି ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ କହିଛନ୍ତି, ଏହି ପରିବାର ଲୋକଙ୍କୁ ବୁଝାସୁଝା କରାଯାଇଛି। ଶିଶୁ ବିକ୍ରି ନ କରିବାକୁ କୁହାଯାଇଛି। ମୁନାଙ୍କ ପତ୍ନୀର ଆବଶ୍ୟକ ବ୍ୟବସ୍ଥା କରିବା ଓ ଅନ୍ୟ ସହାୟତା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Child Trafficking Kendujhar Odisha Poverty Sons Mortgaged For Poverty