ମୁକ୍ତା ହୋ’ଙ୍କ ମୃତ୍ୟୁରେ ଲୁହରେ ଭିଜିଥିଲା ପୂରା ପରିବାର। ସେ ଦୁଃଖ ଯାଇନି ପୁଣି ଦାଉ ସାଦିଲା ଦଇବ। ଶ୍ମଶାନରେ ଜୁଈ ଜଳୁଥିବା ବେଳେ ହଠାତ୍ ବଜ୍ରପାତ ହେଲା। ଜଳିଗଲା ଆମ୍ୱଗଛ ଓ ଗଛ ପାଖରେ ଥିବା ଘର। ଏଥିରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଅଘଟଣ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନ୍ଏସିରେ ଘଟିଛି।
କରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡ ମୁକ୍ତା ହୋ’ଙ୍କ ମୃତ୍ୟୁ ଘଟିଥିଲା। ସେଥିପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତଦେହ ସତ୍କାର ପାଇଁ ପରିବାର ଓ ଆତ୍ମିୟ ସ୍ୱଜନ ଆସିଥିଲେ। ଅପରାହ୍ନରେ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଗାଁ ଶ୍ମଶାନକୁ ନେଇଥିଲେ। ଘରେ କେବଳ ମହିଳା ଥିଲେ। ଠିକ୍ ସେହି ସମୟରେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ।
ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ଗୋଟିଏ ବିଜୁଳି ଘର ପାଖରେ ଥିବା ଆମ୍ୱ ଗଛକୁ ମାରିଥିଲା। ଯାହାର ପ୍ରଭାବରେ ଗଛ ପାଖରେ ଥିବା ଘରେ ନିଆଁ ଲାଗି ଯାଇଥିଲା। ବଜ୍ରପାତରେ ଗଛ ମୂଳରେ ଛିଡ଼ା ହୋଇଥିବା ମୁକ୍ତାଙ୍କ ସମ୍ପର୍କୀୟ ଯୁବତୀ ନାଏକ, ହେମଲାତା ହୋ ଓ ପଡ଼ୋଶୀ ସୁବାସୀନି ଦାସଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ପୋଡ଼ିଯାଇ ଆହତ ହୋଇଯାଇଛନ୍ତି।
ଚିତ୍କାର ଶୁଣି ସାହି ପଡ଼ିଶାମନେ ସେଠାକୁ ଧାଇଁ ଆସିଥିଲେ। ଗୁରୁତର ଥିବା ୪ ଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଘଟଣାଟି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ସେ ମୃତକଙ୍କ ଘରେ ପହଞ୍ଚି ସମବେଦନା ଜଣାଇଛନ୍ତି। ଏଥିସହ ଗୁରୁତର ଆହତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।