ପ୍ରସବ ବେଳେ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର! ସତ କହୁଛି କିଏ?

କାଗଜପତ୍ର କାମ ସରିବା ପରେ ରବିବାର ରାତିରେ ପବିତ୍ରାଣୀଙ୍କୁ ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ପରେ ପୁଅ ସନ୍ତାନ ଜନ୍ମ ଦେଇଥିଲେ ବପିତ୍ରାଣୀ। ପିଲା ଜନ୍ମ ପରେ ଦସ୍ତଖତ କରିବାକୁ ସୁଶାନ୍ତଙ୍କୁ କହିଥିଲେ ମେଡ଼ିକାଲ୍‌ କର୍ମଚାରୀ। ମାତ୍ର ସେ ରାଜି ହୋଇନଥିଲେ।

ମେଡ଼ିକାଲ୍‌ରେ ବେଡ୍‌ରେ ପ୍ରସୂତି

  • Published: Tuesday, 23 May 2023
  • , Updated: 23 May 2023, 05:47 PM IST

ପ୍ରସବ ବେଳେ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିଦେଲେ ଡାକ୍ତର! ଏନେଇ ପ୍ରସୂତିଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅସ୍ତ୍ରୋପଚାର କରିଥିବା ଡାକ୍ତର। ସେ କହୁଛନ୍ତି, ପ୍ରସୂତିଙ୍କ ଅନୁମତି ଓ ଦସ୍ତଖତ ନିଆଯାଇ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଛି।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ସୁଶାନ୍ତ କୁମାର ବାରିକଙ୍କ ସ୍ତ୍ରୀ ପବିତ୍ରାଣୀ ବେହେରା ରବିବାର ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ ଡାକ୍ତର। ଏଥିରେ ସମ୍ମତି ପ୍ରକାଶ କରିଥିଲେ ପବିତ୍ରାଣୀ। ଏଥିସହ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଡାକ୍ତରଙ୍କୁ ପବିତ୍ରାଣୀ କହିଥିଲେ। ସ୍ଥାନୀୟ ଆଶାଙ୍କ ଉପସ୍ଥିତି ଡାକ୍ତରଙ୍କୁ ପବିତ୍ରାଣୀ କହିଥିବା ଅଭିଯୋଗ ହୋଇଛି। ଏହା ପରେ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ରରେ ପବିତ୍ରାଣୀ ଦସ୍ତଖତ କରିଥିଲେ। ମାତ୍ର ସେତେବେଳେ ସୁଶାନ୍ତ ନଥିବାରୁ ଦସ୍ତଖତ କରିପାରିନଥିଲେ।

କାଗଜପତ୍ର କାମ ସରିବା ପରେ ରବିବାର ରାତିରେ ପବିତ୍ରାଣୀଙ୍କୁ ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ପରେ ପୁଅ ସନ୍ତାନ ଜନ୍ମ ଦେଇଥିଲେ ବପିତ୍ରାଣୀ। ପିଲା ଜନ୍ମ ପରେ ଦସ୍ତଖତ କରିବାକୁ ସୁଶାନ୍ତଙ୍କୁ କହିଥିଲେ ମେଡ଼ିକାଲ୍‌ କର୍ମଚାରୀ। ମାତ୍ର ସେ ରାଜି ହୋଇନଥିଲେ। କାହା ଅନୁମତିରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କଲ ବୋଲି ସୁଶାନ୍ତ ପ୍ରଶ୍ନ କରିଥିଲେ। ଏହାପରେ ସେ ନିଜ ପତ୍ନୀଙ୍କ ଉପରେ ବିରକ୍ତି ପ୍ରକାଶ ହୋଇଥିଲେ। ସ୍ୱାମୀଙ୍କ ଉଗ୍ରରୂପ ଦେଖି ପବିତ୍ରାଣୀ କଥା ବଦଳାଇ ଥିବା ଅଭିଯୋଗ ହୋଇଛି। ଏବେ ସବୁ ଦୋଷ ଡାକ୍ତରଙ୍କ ଉପରେ ଝାଡ଼ିଛନ୍ତି।

ସୁଶାନ୍ତ ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଜାଣତରେ ପତ୍ନୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିବା ସୁଶାନ୍ତ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସେପଟେ ଅସ୍ତ୍ରୋପଚାର କରିଥିବା ଡାକ୍ତର ଅଭିଜିତ ମହାପାତ୍ର କହିଛନ୍ତି, ପବିତ୍ରାଣୀଙ୍କର ଇଏ ଥିଲା ଦ୍ୱିତୀୟ ପିଲା। ୩ ବର୍ଷ ତଳେ ଅସ୍ତ୍ରୋପଚାର କରାଯାଇ କନ୍ୟା ସନ୍ତାନ ଜନ୍ମ କରାଯାଇଥିଲା। ଦ୍ୱିତୀୟ ସନ୍ତାନ ଜନ୍ମ ପୂର୍ବରୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ପବିତ୍ରାଣୀ କହିଥିଲେ। ଏହା ପରେ ଆଶା ଦିଦିଙ୍କ ଉପସ୍ଥିତିରେ ମେଡ଼ିକାଲ୍‌ କର୍ମଚାରୀମାନେ ତାଙ୍କଠାରୁ ଦସ୍ତଖତ ନେଇଥିଲେ। ସେତେବେଳେ ତାଙ୍କ ସ୍ୱାମୀ ସେଠାରେ ନଥିଲେ। ତେଣୁ ତାଙ୍କର ଦସ୍ତଖତ ନିଆଯାଇନଥିଲା। ତା’ପରେ ଅସ୍ତ୍ରୋପଚାର କରାଯାଇ ପୁତ୍ର ସନ୍ତାନ ଜନ୍ମ କରାଯାଇଥିଲା। ଏଥିରେ ବେଶ୍‌ ଖୁସି ଥିଲେ ପବିତ୍ରାଣୀ। ପରେ ମେଡ଼ିକାଲ୍‌ କର୍ମଚାରୀମାନେ ସୁଶାନ୍ତଙ୍କୁ ଦସ୍ତଖତ କରିବା ପାଇଁ କହିଥିଲେ। ମାତ୍ର ସେ ଗାଳି ଗୁଲଜ କରିଥିଲେ। ସେତେବେଳେ ସେ ମଦ୍ୟ ପାନ କରିଥିବା ପରି ଲାଗୁଥିଲେ ବୋଲି ଡାକ୍ତର କହିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Related story