ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଭୌଗଳିକ ସୀମାରେ ପଶି ଗତକାଲି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ନେଡିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। ନହେଲେ ଆହୁରି ଖରାପ ସ୍ଥିତି ସାମ୍ନା କରିବାକୁ ପଡ଼ିପାରେ । ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସୋଶାଲ ମିଡିଆରେ ଏଭଳି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି ସତ। କିନ୍ତୁ ଏହାକୁ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବାକୁ ଆଶା ଅଛି ସେ ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗାଁରେ ବିକାଶ ଓ ସରକାରୀ ସେବା ମଜବୁତ କରନ୍ତୁ । ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ ଆମ ମାତୃଭୂମିର ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରନ୍ତୁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି।
ଗତକାଲି ଆନ୍ଧ୍ର ଓଡ଼ିଶା ଭୌଗଳିକ ସୀମାରେ ପଶି କୋରାପୁଟ ଜିଲ୍ଲା ହେଉ ଅଥବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓଡ଼ିଶାର ଲୋକମାନଙ୍କୁ ସେ ରାଜ୍ୟର ପଞ୍ଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଉଦ୍ୟମ କରିବା ଖବର ଅତ୍ୟନ୍ତ ଚିନ୍ତାର ବିଷୟ ।
— Dharmendra Pradhan (@dpradhanbjp) February 14, 2021
ଆନ୍ଧ୍ର ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ @CMO_Odisha ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଆମକୁ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ ।
— Dharmendra Pradhan (@dpradhanbjp) February 14, 2021
ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ସଠିକ୍ ଭାବରେ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶା । ଏହାସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡ଼ିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତ୍ୱର ସହ ମଜବୁତ୍ କରିବା ମଧ୍ୟ ଜରୁରୀ ।
— Dharmendra Pradhan (@dpradhanbjp) February 14, 2021
ସୂଚନାଯୋଗ୍ୟ, ଏହି ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମାମଲା ସୁପ୍ରିମକୋର୍ଟ ବିଚାରାଧୀନ ରହିଛି। ଏହାପରେ ବି ପ୍ରଶାସନିକ ଅଧିକାରୀଙ୍କ ଅନୁରୋଧ ସତ୍ତ୍ୱେ ଗତକାଲି ମାଲକାନଗିରି, ଗଜପତି ଓ କୋରାପୁଟ ଜିଲ୍ଲାରେ ପଶି ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ର। ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ସରଗରମ ରହିଛି।
ଅପରପକ୍ଷେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପରୁ କେତେକ ଲୋକେ ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଯାଇଛି। ପାରାଦୀପର ବିଭିନ୍ନ ବସ୍ତିର ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ନିର୍ବାଚନ କମିଶନରଙ୍କୁ ଏସମ୍ପର୍କରେ ଅବଗତ କରାଯିବ। ଦୁଇଟି ଭୋଟର କାର୍ଡ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ସେହିଭଳି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଯାଇଥିବା କିଛି ଲୋକେ ଅଧା ବାଟରୁ ଫେରି ଆସିଥିବା ସୂଚନା ଥିବା ଜିଲ୍ଲାପାଳ କହିଛନ୍ତି । ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପର ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତିର ବହୁ ଲୋକେ ଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଅଞ୍ଚଳର ଲୋକଙ୍କ ପାଖରେ ଆନ୍ଧ୍ର ଏବଂ ଓଡ଼ିଶାର ଭୋଟର୍ କାର୍ଡ ଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।