Advertisment

ଏମ୍‌ସରେ ଚାକିରି ଦେବା ପାଇଁ ଲକ୍ଷାଧିକ ଟଙ୍କା ଠକେଇ, ଦଶମ ପାସ୍ ଯୁବକ ସମେତ ୪ ଗିରଫ

ଅଭିଯୁକ୍ତ ବାଦଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ହେଁ, ଖୁବ୍ ଚତୁରତାର ସହ ଠକେଇ ଜାଲ ବିଛାଇଥିଲେ। ସେ ନିଜକୁ ଏମ୍‌ସର ଏଚ୍‌ଆର ବୋଲି ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ପରିଚୟ ଦେଉଥିଲେ।

ଅଦ୍ୟତନ ହୋଇଛି
accuse badal das

accuse badal das

Advertisment

ଏମ୍‌ସରେ ଚାକିରି ଦେବାକୁ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଠକେଇ। ଏହି ଠକେଇର ମାଷ୍ଟର ମାଇଣ୍ଡ ସମେତ ୪ ଜଣକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଏନେଇ ଆଜି ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଠକେଇର ମାଷ୍ଟରମାଇଣ୍ଡ ଅଭିଯୁକ୍ତ ନିଜକୁ ଏମ୍‌ସର ଏଚ୍‌ଆର ହେଡ୍ ବୋଲି ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ପରିଚୟ ଦେଉଥିଲେ। ଏମ୍‌ସରେ ଟିକେଟ କଲେକ୍ଟର ପଦବୀରେ ରଖାଇ ଦେବାକୁ କହି ବିଭିନ୍ନ ଚାକିରି ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ।

ପରେ ଏହି ଆଶାୟୀମାନଙ୍କୁ ନକଲି ଆପଏଣ୍ଟମେଣ୍ଟ ଲେଟର ଦେଇଥିଲେ। ଆଶାୟୀମାନେ ଏହି ଲେଟର ଧରି ଚାକିରି କରିବା ପାଇଁ ଏମ୍‌ସରେ ପହଞ୍ଚିଥିଲେ। ହେଲେ ସେଠାରେ ଏହି ଲେଟର ନକଲି ବୋଲି ଜାଣିବା ପରେ ସେମାନଙ୍କ ହୋସ୍ ଉଡ଼ି ଯାଇଥିଲା। ଏନେଇ ଜଣେ ମହିଳା ଗତ ୨୮ ତାରିଖରେ ସାଇବର ଥାନାର ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରିଥିଲା। ଏହି ସମୟରେ ରାକେଟର ମୁଖ୍ୟ ବାଦଲ ଦାସ ଓ ତାର ଅନ୍ୟ ସାଥୀମାନଙ୍କୁ ଧରିଛି। ଏହି ରାକେଟରେ ବାଦଲ ତା’ର ସହଯୋଗୀ ଅଜୟ ଜେନାର ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲା। ଚାକିରି ଆଶାୟୀମାନଙ୍କ ଠାରୁ ଅଭିଯୁକ୍ତମାନେ ଏହି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ଆଦାୟ କରୁଥିଲେ।

ସାଇବର ଥାନା ପୁଲିସ ଅଭିଯୁକ୍ତଙ୍କ ଠାରୁ ମୋଟ ୮୦ ହଜାର ଟଙ୍କା, ଗୋଟିଏ ଲାପପଟ, ୬ ମୋବାଇଲ, ବହୁ ସଂଖ୍ୟକ ସିମ୍, ବିଜ୍ଞାପନ ପୋଷ୍ଟର ପ୍ରଭୃତି ଜବତ କରିଛି। ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ଥିବା ସନ୍ଦେହ କରାଯାଉଛି।

ତେବେ ଅଭିଯୁକ୍ତ ବାଦଲ କହିଛି, ସେ ଏମ୍‌ସରେ ସିକ୍ୟୁରିଟି ଚାକିରି ପାଇବା ପାଇଁ ପୂର୍ବର ଠକାମୀର ଶିକାର ହୋଇଥିଲା। ଯେଉଁ ୩ ଜଣ ତାଙ୍କୁ ଠକିଥିଲେ, ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ଠକିଥିଲେ। ଅନ୍ୟ ଯେଉଁମାନଙ୍କୁ ଚାକିରି ଦେବା ପାଇଁ କହି ଟଙ୍କା ଆଣିଥିଲେ, ପରେ ଫେରାଇ ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ତାଙ୍କର କିପରି ପରିଚୟ ହେଲା ଓ ଠକେଇ ନିମନ୍ତେ କିପରି ପ୍ଲାନ୍ ପସ୍ତୁତ କରିଥିଲେ ପଚାରିବାରେ ବାଦଲ ଗୋଳିଆ ମିଶା ପରି ମତ ରଖିଛନ୍ତି।

ମାମଲାର ତଦନ୍ତ କରୁଥିବା ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ଗତ ୨୮ ତାରିଖରେ ଜଣେ ମହିଳା ଚାକିରି ଠକେଇ ବାବଦରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ୪ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନେ ଫେସ୍‌ବୁକ୍‌ରେ ଏମ୍‌ସରେ ଟିକେଟ କଲେକ୍ଟର ଚାକିରି ଦେବା ନିମନ୍ତେ ବିଜ୍ଞାପନ ଦେଇଥିଲେ। ଯୋଗାଯୋଗ ନିମନ୍ତେ ଫୋନ୍ ନମ୍ବର ମଧ୍ୟ ଉଲ୍ଲେଖ କରିଥିଲା। ଏହାକୁ ଦେଖି ମହିଳା ଜଣକ ଫୋନ୍ କରି ଚାକିରି ବିଷୟରେ ପଚାରିବାରୁ ଅଭିଯୁକ୍ତ ବାଦଲ ନିଜକୁ ଏମ୍‌ସର ଏଚ୍‌ଆର ବୋଲି ପରିଚୟ ଦେଇଥିଲା। ଚାକିରି ପାଇବାକୁ ହେଲେ ପ୍ରଥମ ମାସର ଦରମା ଆଗତୁରା ଜମା କରିବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲା। ଏଭଳି ଭାବେ ବିଭିନ୍ନ ଚାକିରି ଆଶାୟୀ ମଧ୍ୟ ବାଦଲଙ୍କୁ ଫୋନ୍ କରି ଚାକିରି ବାବଦରେ ବୁଝିବା ପରେ ଇଏମେଲ ଯୋଗେ ସିଭି ପଠାଇଥିଲେ। ଚାକିରି ଦେବା ନିମନ୍ତେ ଅଭିଯୁକ୍ତ ବିଭିନ୍ନ ଆଶାୟୀଙ୍କ ଠାରୁ ପ୍ରାୟ ୨ ଲକ୍ଷ ୪୮ ହଜାର ଟଙ୍କା ଆଦାୟ କରିଥିଲା। ସମସ୍ତ ଆଶାୟୀଙ୍କୁ ଅଭିଯୁକ୍ତ ନକଲି ଆପଏଣ୍ଟମେଣ୍ଟ ଲେଟର ପଠାଇଥିଲା। ଠକେଇ ନିମନ୍ତେ କିଛି ପ୍ରିପେଡ ସିମ୍ ବ୍ୟବହାର କରାଯାଉଥିଲା। ଅଭିଯୋଗ କରିଥିବା ମହିଳା ପ୍ରାୟ ୮ ଜଣଙ୍କ ଠାରୁ ୨୦ରୁ ୨୫ ହଜାର ଟଙ୍କା ଆଣି ଅଭିଯୁକ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ। ସେହିପରି ଆଉ ଜଣେ ଯୁବକ ମଧ୍ୟ ୧୮ ହଜାର ଟଙ୍କା ଜମା କରିଥିଲେ। ଅଦ୍ୟାବଧି ଅଭିଯୁକ୍ତମାନଙ୍କ ଠାରୁ ୮୦ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ବାଦଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ହେଁ, ଖୁବ୍ ଚତୁରତାର ସହ ଠକେଇ ଜାଲ ବିଛାଇଥିଲେ। ଏହି ମାମଲାରେ ଅନ୍ୟକିଛି ଦୁର୍ବୃତ୍ତଙ୍କ ଲିଙ୍କ ଥିବା ସନ୍ଦେହ କରାଯାଉଛି। ତେଣୁ ପ୍ରମାଣ ଯୋଗାଡ଼ ଚାଲିଛି। ପ୍ରମାଣ ମିଳିବା ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସିପି କହିଛନ୍ତି।

Job Scam Cyber Cheating
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe