Advertisment

ପିଲାଙ୍କ ବହିକୁ କବାଡ଼ିଆଙ୍କୁ ବିକ୍ରି କରି ନିଲମ୍ବିତ ହେଲେ ସିଆରସିସି

ଗ୍ରାମବାସୀ ପ୍ରଶ୍ନବାଣରେ ମନମୋହନ ଘାଇଲା ହୋଇଯାଇଥିଲେ। ନିଜ ଭୁଲ ମାନିଥିଲେ ଓ ଆଉ ଏପରି ଭୁଲ୍‌ କରିବେନି ବୋଲି କାନଧରି ବସଉଠ ହୋଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Book

Book

ପିଲାଙ୍କ ବହି କବାଡିଆଙ୍କୁ ବିକ୍ରି କରି ନିଲମ୍ବିତ ହେଲେ ସିଆରସିସି। ଦେଉଳି କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ରଙ୍କୁ ଆଜି ନିଲମ୍ବିତ କରିଛନ୍ତି ବୋଲଗଡ଼ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି ।

Advertisment

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର ସେଣ୍ଟରକୁ ୧୦ଟି ସ୍କୁଲକୁ ଦେବା ପାଇଁ ବହି ଆସିଥିଲା। ଖରା ଛୁଟି ପାଇଁ ସ୍କୁଲ ବନ୍ଦ ଥିବାରୁ  ପିଲାମାନଙ୍କୁ ବହି ବଣ୍ଟନ କରାଯାଇ ନଥିଲା। ଦେଉଳି କ୍ଲଷ୍ଟର ସେଣ୍ଟରକୁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ କୁଇଣ୍ଟାଲ ବହିକୁ ଗତକାଲି କବାଡିଆ ବାଲାକୁ ବିକ୍ରି କରୁଥିଲେ ସିଆରସିସି ମନମୋହନ ମିଶ୍ର। କବାଡିବାଲା ମଧ୍ୟ କାର୍ଯ୍ୟାଳୟରେ ଭିତରେ ବସି ବହି ଓଜନ କରି ସାରିଥିଲା। ମୂଲଚାଲ ବି ହୋଇ ସାରିଥିଲା। ହେଲେ କବାଡ଼ିବାଲା ବହି ନେଇ ସେଠାରୁ ଯିବା ପୂର୍ବରୁ ପହଞ୍ଚି ଯାଇଥିଲେ ଗ୍ରାମବାସୀ। ପିଲାଙ୍କୁ ବହି ନ ଦେଇ କାହିଁକି ବିକୁଛ ବୋଲି ସେମାନେ ସିଆରସିସିଙ୍କୁ ପଚାରିଥିଲେ। 

ଗ୍ରାମବାସୀ ପ୍ରଶ୍ନବାଣରେ ମନମୋହନ ଘାଇଲା ହୋଇଯାଇଥିଲେ। ନିଜ ଭୁଲ ମାନିଥିଲେ ଓ ଆଉ ଏପରି ଭୁଲ୍‌ କରିବେନି ବୋଲି କହି କାନଧରି ବସଉଠ ହୋଇଥିଲେ। ଖବର ପାଇ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ପରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ,କବାଡ଼ିଆ ଓ ମନମୋହନଙ୍କ ବୟାନ ରେକର୍ଡ କରିଥିଲେ।  ଏହା ସହ ଦେଉଳି କ୍ଲଷ୍ଟର ସେଣ୍ଟର ସିଲ୍‌ କରି ଫେରି ଯାଇଥିଲେ। ଆଜି ବୋଲଗଡ଼ ଶିକ୍ଷା ଅଧିକାରୀ ମନମୋହନଙ୍କ ଚାକିରୁରୁ ନିଲମ୍ବିତ କରିଛନ୍ତି। ଏହା ସହିତ ଘଟଣାର ତଦନ୍ତ କରାଯାଉଛି ବୋଲି ବୋଲଗଡ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।

Advertisment
Khorda Odisha School