ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲ, ଡିଜେଲ୍ ସହ ଏଲ୍ପିଜି ଗ୍ୟାସ୍ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହା ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।
ଆସନ୍ତାକାଲି ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତି ଆବଶ୍ୟକ ସେବାରେ ଥିବା ଗାଡ଼ି ଏଥିରୁ ବାଦ୍ ପଡ଼ିବ । ସେହିଭଳି ଯେଉଁ ଗାଡ଼ିରେ ଫୁଲ ସଜା ହୋଇଥିବ, ସେ ଗାଡ଼ିକୁ ବି ବନ୍ଦ ଡାକରାରୁ ବାଦ୍ ଦିଆଯିବ । ଅର୍ଥାତ ବିବାହ ପାଇଁ ଯାଉଥିବା ଗାଡ଼ି କିମ୍ବା ସତ୍କାର ପାଇଁ ଯାଉଥିବ ଗାଡ଼ିକୁ ଏଥିରୁ ବାଦ ଦିଆଯିବ। ସାଧାରଣଲୋକଙ୍କର ଯେପରି ଅସୁବିଧା ହେବନି ତା’ଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି।
କେବଳ ପେଟ୍ରୋଲ ଓ ଡିଜେଲ୍, ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ନୁହେଁ ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।