Advertisment

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ମତକୁ ଆଇନଜୀବୀଙ୍କ ବିରୋଧ

ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରାଙ୍କ ଏହି ବୟାନ ହିଁ ଓଡ଼ିଶା ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଦୁର୍ନୀତିଖୋର ଚରିତ୍ରକୁ ଉଜାଗର କରିଛି ।

ଅଦ୍ୟତନ ହୋଇଛି
tusharkanti behera remark

tusharkanti behera remark

Advertisment

ହନୁ ମଲାବେଳେ ସତ କୁହେ । ରାଜ୍ୟରେ ଦୁଷ୍କର୍ମ ଓ ହିଂସାର ଶିକାର ପୀଡ଼ିତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲେ ବି ଏହି ସତକୁ ସ୍ୱୀକାର କରୁନଥିବା ରାଜ୍ୟ ସରକାର ଶେଷରେ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ହେଉଥିବା ପରୋକ୍ଷରେ ସ୍ୱୀକାର କରିଛନ୍ତି । ରାଜ୍ୟ ସରକାରଙ୍କ ‘ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା’ର ସୁଫଳ ଠିକ୍ ଢଙ୍ଗରେ ପୀଡ଼ିତାଙ୍କୁ ମିଳୁନି । ଆଉ ପୁଲିସ ଓ ଓକିଲ ଏହି କ୍ଷତିପୂରଣ ରାଶିରୁ କମିଶନ ମଧ୍ୟ ନେଉଛନ୍ତି । ପୁଲିସ ଓ ଓକିଲଙ୍କୁ ଦୁର୍ନୀତିଖୋର ଦର୍ଶାଇବାକୁ ରାଜ୍ୟର ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଏଭଳି ବୟାନ ମଧ୍ୟ ଓଡ଼ିଶା ପୁଲିସର ଅସଲ ଚରିତ୍ରକୁ ପଦାରେ ପକାଇ ଦେଇଛି । ଆଉ ଓକିଲମାନେ ମଧ୍ୟ ମନ୍ତ୍ରୀଙ୍କ ଏଭଳି ବୟାନକୁ  ତୀବ୍ର ବିରୋଧ କରିଛନ୍ତି ।

Advertisment

ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, “ଅନୁସୂଚିତ ଜାତି ଓ ଜନଜାତିଙ୍କୁ କିଛି କ୍ଷେତ୍ରରେ ରାଜନୀତିକ ବାରିସି ଭାବେ ଉପଯୋଗ କରାଯାଉଛି । କାହାକୁ ଫସେଇବାକୁ ଏସସି-ଏସଟି ମାମଲାର ସହାୟତା ନିଆଯାଉଛି । ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୀତିକ ଉଦ୍ଦେଶ୍ୟ ପରିଚାଳିତ । ଆଟ୍ରୋସିଟି ମାମଲାରେ ପୁଲିସ ଓ ଓକିଲ କମିଶନ ନେଉଛନ୍ତି । ଏସଡିପିଓ ତଦନ୍ତର ଅଭିଯୋଗ କରି ରିପୋର୍ଟ ଦେବା ପରେ ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିଥାଏ । ପୀଡ଼ିତା ପାଉଥିବା କ୍ଷତିପୂରଣରୁ କିଛି ପୁଲିସ ଓ ଓକିଲ ନିଜର କମିଶନ ଭାବେ ନେଉଛନ୍ତି । ପୀଡ଼ିତା ନିଜର କ୍ଷତିପୂରଣ ରାଶି ୨ଲକ୍ଷ ଟଙ୍କାରୁ ୫୦ହଜାର ଟଙ୍କା ପାଇଲେ ବି ଖୁସି ହେଉଛି ।”

ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରାଙ୍କ ଏହି ବୟାନ ହିଁ ଓଡ଼ିଶା ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଦୁର୍ନୀତିଖୋର ଚରିତ୍ରକୁ ଉଜାଗର କରିଛି । ବିନା ଲାଂଚରେ ଥାନାରେ କାର୍ଯ୍ୟ ହୁଏନି ବୋଲି ହେଉଥିବା ଦୀର୍ଘଦିନର ଚର୍ଚ୍ଚା-ଅଭିଯୋଗ ଉପରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ପରୋକ୍ଷରେ ମୋହର ମାରିଛନ୍ତି ।

Advertisment

ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରାଙ୍କ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ବରିଷ୍ଠ ଓକିଲ ମାନସ ଚାନ୍ଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଭଳି ଅଭିଯୋଗ କରିବାର କୌଣସି ଅଧିକାର ମନ୍ତ୍ରୀଙ୍କର ନାହିଁ । ଯଦି ନିର୍ଦ୍ଦିଷ୍ଟ ଭାବେ କୌଣସି ଓକିଲ କମିଶନ ନେଉଛନ୍ତି ସେ ସମ୍ପର୍କରେ ବାର କାଉନସିଲରେ ଅଭିଯୋଗ କରାଯାଇପାରିବ । କିନ୍ତୁ ମନ୍ତ୍ରୀ ଏଭଳି ବୟାନ ଦେଇ କେବଳ ଶସ୍ତା ରାଜନୀତି କରୁଛନ୍ତି । ଯଦି ମନ୍ତ୍ରୀଙ୍କର ଦମ୍ ଅଛି ନିର୍ଦ୍ଦିଷ୍ଟ ଭାବେ କୌଣସି ଓକିଲଙ୍କ ନାଁରେ ଅଭିଯୋଗ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନାରୁ କ୍ଷତିପୂରଣ ପାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ମୋଟ ୧୮୯୮ଟି ଆବେଦନ ମିଳିଥିଲା । ସେଥିରୁ ୫୬୫ଟି ଆବେଦନ ଉପରେ ସରକାର କୌଣସି ନିଷ୍ପତ୍ତି ନେଇପାରିନଥିଲେ ଓ ବାକି ପୀଡ଼ିତାଙ୍କୁ ୧୮.୧୨କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିବା ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ।

Odisha Police Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe