Advertisment

୮ ମାସ ହେଲା ପେଟରେ ବଢ଼ୁଛି ଟ୍ୟୁମର୍, ଡାକ୍ତର କରୁଛନ୍ତି ପ୍ରେଗନାନ୍ସି ଟ୍ରିଟମେଣ୍ଟ

ଜଟଣୀ ମେଡିକାଲ ବାରଣ୍ଡାରେ କଲବଲ ଏ ରୋଗୀ ଜଣକ ହେଲେ ଖୋର୍ଦ୍ଧା ଗଜପତି ନଗରର କବୀନ୍ଦ୍ର ସାହୁଙ୍କ ପତ୍ନୀ ସ୍ୱର୍ଣ୍ଣଲତା।

author-image
Niranjan Mishra
ଅଦ୍ୟତନ ହୋଇଛି
Sworna Lata

Sworna Lata

ପେଟରେ ବଢ଼ୁଛି ଟ୍ୟୁମର୍। ହେଲେ ଚାଲିଛି ପ୍ରେଗନାନସି ଟ୍ରିଟମେଣ୍ଟ। ଡାକ୍ତରଙ୍କ ଏହି ଟ୍ରିଟମେଣ୍ଟକୁ ନେଇ ଏବେ ସବୁଠି ସମାଲୋଚନା। ସେପଟେ ଯନ୍ତ୍ରଣାରେ ଛଟପଟ ଦିବ୍ୟାଙ୍ଗ ମହିଳା। କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା। ଜଟଣୀ ମେଡିକାଲ ବାରଣ୍ଡାରେ କଲବଲ ଏ ରୋଗୀ ଜଣକ ହେଲେ ଖୋର୍ଦ୍ଧା ଗଜପତି ନଗରର କବୀନ୍ଦ୍ର ସାହୁଙ୍କ ପତ୍ନୀ ସ୍ୱର୍ଣ୍ଣଲତା।

Advertisment

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ। ଯାହାର ପରିଣତି ଭୋଗୁଛନ୍ତି ଏହି ଦିବ୍ୟାଙ୍ଗ ଗରିବ ମହିଳା ସ୍ୱର୍ଣ୍ଣଲତା। ପେଟରେ ଟ୍ୟୁମର ବଢ଼ି ଅବସ୍ଥା ଅସମ୍ଭାଳ କଲାଣି, ହେଲେ ଡାକ୍ତର ତାଙ୍କୁ ୮ମାସ ହେଲା ଦେଇଚାଲିଛନ୍ତି ଗର୍ଭଧାରଣ  ପରବର୍ତ୍ତୀ ଔଷଧ। ଯାହାକୁ ନେଇ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି। 

ସ୍ୱର୍ଣ୍ଣଲତା କହିପାରନ୍ତିନି କି ଶୁଣିପାରନ୍ତିନି। ଗତ ଅଗଷ୍ଟ ୨୧ରେ ପେଟରେ ଯନ୍ତ୍ରଣା ହେବାରୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଡ୍ୟୁଟିରେ ଥିବା ଡାକ୍ତର ତାଙ୍କ ଗର୍ଭ ପରୀକ୍ଷା କରି ମାସେ ଗର୍ଭବତୀ ଥିବା କହିଥିଲେ। ତା’ ସହ ଆଶା ଦିଦି ଓ ଅଙ୍ଗନବାଡ଼ିକର୍ମୀଙ୍କ ତତ୍ତ୍ୱାବଧାନରେ ରହିବାକୁ ବି ପରାମର୍ଶ ଦେଇଥିଲେ। ତାପରଠୁ ଚାଲିଲା ସ୍ୱର୍ଣ୍ଣଲତାଙ୍କ ଗର୍ଭଧାରଣ ପରବର୍ତ୍ତୀ ଚିକିତ୍ସା। ଏମିତିକି ସେବେଠୁ ନିୟମିତ କ୍ୟାଲସିୟମ୍ ଟ୍ୟାବଲେଟ୍ ସହ ଅଣ୍ଡା, ଛତୁଆ ଏବଂ ଭ୍ୟାକସିନ୍ ବି ଦିଆଯାଇଛି।

Advertisment

ଖାଲି ସେତିକି ନୁହେଁ ସ୍ବର୍ଣ୍ଣଲତାଙ୍କ ନାଁରେ ଇସ୍ୟୁ ହୋଇଥିବା ମାଆ ଓ ଶିଶୁ ସୁରକ୍ଷା କାର୍ଡରେ ପ୍ରସବ ତାରିଖ ଆସନ୍ତା ମେ’ ୨୮ ତାରିଖ ବୋଲି ବି ଉଲ୍ଲେଖ ରହିଛି। କିନ୍ତୁ କିଛି ଦିନ ହେଲା ସ୍ୱର୍ଣ୍ଣଲତାଙ୍କ ପେଟରେ ଯନ୍ତ୍ରଣା ଅହସ୍ୟ ହେବାରୁ ସେ ଏକ ଘରୋଇ ମେଡିକାଲରେ ଡାକ୍ତର ଦେଖାଇ  ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଛୁଆ ନୁହେଁ ବରଂ ଟ୍ୟୁମର ବଢୁଥିବା ଜଣାପଡ଼ିଛି।

ଯାହା କାନରେ ଶୁଣିବା ପରେ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡୁମ୍। ଏନେଇ ତାଙ୍କ ସ୍ୱାମୀ ଓ ମାଆ ସିଧାସଳଖ ଡାକ୍ତର, ଅଶା ଓ ଅଙ୍ଗନବାଡ଼ି ଦିଦିଙ୍କୁ ଦାୟୀ କରିଛନ୍ତି। ଘୋର ଆର୍ଥିକ ଅସୁବିଧାରେ ଥିବାରୁ ସ୍ୱର୍ଣ୍ଣଲତାଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି ସ୍ୱର୍ଣ୍ଣଲତାଙ୍କ ମା’ ଟିକିନା ସାହୁ ଓ ସ୍ୱାମୀ କବୀନ୍ଦ୍ର ସାହୁ।

କାହା ଭୁଲରୁ ଯନ୍ତ୍ରଣା ଭୋଗୁଛନ୍ତି ସ୍ୱର୍ଣ୍ଣଲତା ? ଜାଣିବାକୁ ଆମେ ଚିକିତ୍ସା କରିଥିବା ଡାକ୍ତର, ଆଶା ଏବଂ ଅଙ୍ଗନବାଡ଼ି ଦିଦି, ସମସ୍ତଙ୍କ ପ୍ରତିକ୍ରିୟା ପାଇଁ ଖୋଜିଥିଲୁ। ହେଲେ ସଂପୃକ୍ତ ଡାକ୍ତର ଛୁଟିରେ ଥିବାବେଳେ ବାକି ଦୁଇ ଜଣଙ୍କ କୌଣସି ଖୋଜ ଖବର ନାହିଁ। ତେଣେ ଆଜି ଓପିଡି ଡ୍ୟୁଟିରେ ଥିବା ଡାକ୍ତର  ସ୍ୱର୍ଣ୍ଣଲତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ଏନେଇ ମେଡିକାଲ ସୁପରିଟଣ୍ଡେଣ୍ଟ ଡାକ୍ତର ଜୀତେନ୍ଦ୍ର କୁମାର ପଣ୍ଡା କହିଛନ୍ତି ପୂରା ଘଟଣାର ଅନୁସନ୍ଧାନ ହେବ ଓ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Wrong Medical Report