Advertisment

ପ୍ରେମିକାରୁ ପତ୍ନୀ ହୋଇଥିଲେ; ଏବେ ହେଲେ ହତ୍ୟାକାରୀ!

ନିର୍ଯାତନା ଅସହ୍ୟ ହେଉଥିଲା। ସେଥିପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଉ ସମୟ ସୁବିଧା ଦେଖି ସମ୍ପର୍କୀୟ ଭାଇ ଓ ବନ୍ଧୁଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ପତ୍ନୀ।

ଅଦ୍ୟତନ ହୋଇଛି
Khurda

Khurda

Advertisment

ପ୍ରେମ କରି ବିବାହ କରିଥିଲେ। ହେଲେ ସଂସାର ଗଢ଼ିବା ଆଗରୁ ବଢ଼ିଗଲା ନିର୍ଯାତନା। ଶେଷରେ ନିଷ୍ଠୁର ହେଲେ ସ୍ତ୍ରୀ। ପ୍ରେମିକରୁ ସ୍ୱାମୀ ହୋଇଥିବା ମନୋରଞ୍ଜନ ମହାପାତ୍ରଙ୍କୁ ରାସ୍ତାରୁ ହଟାଇଦେଲେ। ସମ୍ପର୍କୀୟ ଭାଇ ଓ ବନ୍ଧୁଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରି ଶୁଟ୍‌କେସ୍‌ରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ପତ୍ନୀ ଲିଲି ଦାଶ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି।

Advertisment

ନୟାଗଡ଼ ଜିଲ୍ଲା ରଣପୁର ଥାନା ଲାଖପଡ଼ା ଗାଁର ମନୋରଞ୍ଜନ ମହାପାତ୍ର। ସେ ପ୍ରେମ କରି ଲିଲି ଦାଶଙ୍କୁ ବିବାହ କରିଥିଲେ। ବାହାଘର ପରେ ଉଭୟ ଚଣ୍ଡେଶ୍ୱରରେ ଘର ଭଡ଼ା ନେଇ ରହୁଥିଲେ। ମନୋରଞ୍ଜନ ଜଣେ ମଦ୍ୟପ ହୋଇଥିବା ବେଳେ ଅନେକ ସମୟରେ ଚୋରି ଓ ଛିନ୍‌ତାଇ କରି ଜେଲ୍‌ ଯାଇଛନ୍ତି। ତାଙ୍କ ନାଁରେ ବିଭିନ୍ନ ଥାନାରେ ମଧ୍ୟ ବହୁ ମାମଲା ରହିଛି।

ମନୋରଞ୍ଜନଙ୍କ ଏପରି କାର୍ଯ୍ୟକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗୁଥିଲା। ମଦ ନିଶାରେ ସେ ତାଙ୍କ ସ୍ତ୍ରୀ ଲିଲିକୁ ମାରପିଟ୍‌ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ ଲିଲି। ତେଣୁ ମଦ୍ୟପ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏଥିରେ ସହଯୋଗ କରିଥିଲେ ସମ୍ପର୍କୀୟ ଭାଇ ମିଟୁ ଦାଶ ଓ ବନ୍ଧୁ ବିକ୍ରମ ସାହୁ।

Advertisment

ଯୋଜନା ମୁତାବକ ଗତ ଶନିବାର ବିକ୍ରମ ଟାଙ୍ଗୀ ମାର୍କେଟରୁ ଗୋଟିଏ ଶୁଟକେସ୍‌ କିଣି ଆଣିଲେ। ସେହି ରାତିରେ ମନୋରଞ୍ଜନଙ୍କ ଗଳା ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଶୁଟ୍‌କେସ୍‌ ଭର୍ତ୍ତି କରିଥିଲେ। ସେହି ରାତିରେ ତିନି ଜଣ ମିଶି ବାଇକ୍‌ରେ ଶୁଟ୍‌କେସ୍‌କୁ ନେଇ ଖୋର୍ଦ୍ଧା ଜିଲ୍ଲା ହରିପୁର ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ତା’ପରେ ସେମାନେ ନିଜ ନିଜ ଘରକୁ ପଳାଇ ଫେରିଥିଲେ। ଲିଲି ମଧ୍ୟ କିଛି ନଜାଣିଲା ପରି ନିଜ ଘରେ ରହିଥିଲେ। ସ୍ୱାମୀ କେଉଁ ଆଡ଼େ ଚାଲି ଯାଇଛନ୍ତି ବୋଲି କହି ବୁଲୁଥିଲେ ଲିଲି।

Khurdaଗିରଫ ହୋଇଥିବା ମନୋରଞ୍ଜନଙ୍କ ପତ୍ନୀ ଓ ତାଙ୍କ ଦୁଇ ସହଯୋଗୀ

ରବିବାର ଜଙ୍ଗଲ ଭିତରେ ଶୁଟ୍‌କେସ୍‌ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଟାଙ୍ଗୀ ଥାନାକୁ ଖବର ଦେଇଥିଲେ। ଟାଙ୍ଗୀ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ପୁଲିସ୍‌ ଶୁଟ୍‌କେସ୍‌କୁ ନେଇ ତଦନ୍ତ ଆରମ୍ଭ କରିଥିଲା। ଶୁଟ୍‌କେସ୍‌ଟି ୟୁନିକ ହୋଇଥିବାରୁ ଟାଙ୍ଗୀ ବଜାରରେ ଥିବା ବିଭିନ୍ନ ଦୋକାନୀଙ୍କୁ ପଚାରିଥିଲା। ଏହି ସମୟରେ ସୁରାଗ ମିଳିଥିଲା। ଶୁଟ୍‌କେସ କିଣିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଥିଲା।

ସିସିଟିଭି ତଥ୍ୟ ଅନୁସାରେ ପୁଲିସ୍‌ ପ୍ରଥମେ ବିକ୍ରମ ପାଖରେ ପହଞ୍ଚିଥିଲା। ତା’ପରେ ଅନ୍ୟମାନଙ୍କୁ କବ୍‌ଜାକୁ ନେଇ ପଚରା ଉଚରା କରିଥିଲା। ଏହି ସମୟରେ ସେମାନେ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ। ପୁଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର ତଦନ୍ତ ଚାଲିଛି। ବିଭିନ୍ନ ଦିଗରୁ ତଦନ୍ତ ହେଉଛି ବୋଲି ଖୋର୍ଦ୍ଧା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରିପୋର୍ଟ- ଖୋର୍ଦ୍ଧା/ବାଣପୁରରୁ ବଳରାମ ଲେଙ୍କା ଓ ଆଲୋକ ମହାରଣା

Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe