BBSR
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଅପହରଣ ହୋଇଥିଲେ ବ୍ୟବସାୟୀଙ୍କ ପୁଅ। ୩୬ ଘଣ୍ଟାର ଅପରେସନ୍ ପରେ ତାଙ୍କୁ ନୟାଗଡ଼ ରାଜସୁନାଖଳାର ଚୁଡ଼ା ଜଙ୍ଗଲ ପାଖରୁ ଉଦ୍ଧାର କରିଛି କମିଶନରେଟ୍ ପୁଲିସ୍। ଏହି ମାମଲାରେ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବ୍ୟବସାୟୀ ରାମରୂପ ଅଗ୍ରୱାଲ୍ଙ୍କ ପୁଅ ହେଉଛନ୍ତି ଈଷାନ। ଜାନୁୟାରୀ ୩୧ ତାରିଖ ଅପରାହ୍ନରେ ଘରୁ ବାହାରି ଚା’ ପିଇବାକୁ ଯାଇଥିଲେ ଈଷାନ୍। ଝାରପଡ଼ା ନିକଟରେ ମାସ୍କ ପିନ୍ଧିଥିବା ୪ ଦୁର୍ବୃତ୍ତ ତାଙ୍କ ନାଁ ଧରି ଡାକିଥିଲେ। କେହି ଚିହ୍ନା ପରିଚିତ ହୋଇଥିବ ଭାବି ଈଷାନ୍ ସେମାନଙ୍କ ପାଖକୁ ଯାଇଥିଲେ। ଠିକ୍ ଏହି ସମୟରେ ଦୁଇ ଜଣ ଯୁବକ ପଛ ପାର୍ଶ୍ୱରୁ ଆସି ତାଙ୍କୁ କାର୍ ଭିତରକୁ ଟାଣି ନେଇଥିଲେ। ତା’ପରେ ଈଷାନଙ୍କ ବେକରେ ଛୁରି ଲଗା ଫଟୋ ଉଠାଇ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିଲେ। ପରେ ଫୋନ୍ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ।
ଟେଲିଫୋନିକ କଲ୍ ପାଇବା ପରେ ବିଚଳିତ ହୋଇପଡ଼ିଥିଲେ ପରିବାର ଲୋକେ। କିଛି ଉପାୟ ନପାଇ ଧାଇଁ ଯାଇଥିଲେ ଲକ୍ଷ୍ମୀସାଗର ଥାନାକୁ। ତା’ପରେ କମିଶନରେଟ୍ ପୁଲିସ ଆରମ୍ଭ କରିଥିଲା ଅପରେସନ। ସ୍ପେଶାଲ୍ ସ୍କ୍ୱାର୍ଡ ମୁଖ୍ୟ ଏସିପି ସଂଜୀବ ଶତପଥୀଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ ହୋଇଥିଲା। ଆଉ ସବୁ ଟିମ୍ରେ ଲିଡ୍ କରୁଥିଲେ ଜଣେ ଜଣେ ବଛା ବଛା ଅଫିସର। ଈଷାନଙ୍କ ବାପା ରାମରୂପଙ୍କ ମୋବାଇଲକୁ ଅପହରଣକାରୀମାନେ ବାରମ୍ବାର ଫୋନ୍ କରି ଟଙ୍କା ମାଗୁଥିବାରୁ ତାଙ୍କୁ ଗାଡ଼ିରେ ବସାଇ ଛାନ୍ଭିନ୍ କରିଥିଲା ପୁଲିସ୍। ତାହାରି ଭିତରେ ଜାରି ରହିଥିଲା ଆସୁଥିବା ଫୋନ କଲ୍ ଭଏସ୍ ଏବଂ ଟେକ୍ନିକାଲ୍ ଆନାଲିସିସ୍।
ସେପଟେ ପୁଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ ଖୋର୍ଦ୍ଧାରୁ ନୟାଗଡ଼ ଯାଇଥିଲେ ଦୁର୍ବୃତ୍ତ। ସେଠାରୁ ବ୍ରହ୍ମପୁର ପୁଣି ନୟାଗଡ଼ ଜିଲ୍ଲାକୁ ନମ୍ବର ବିହୀନ କାରରେ ଯାଇ ଲୁଚି ବୁଲୁଥିଲେ। ପୁଲିସ-ଅପରାଧୀଙ୍କ ଏଭଳି ୩୬ ଘଣ୍ଟାର ଲୁଚକାଳି ଏବଂ ପ୍ରାୟ ୮ଶହ କିଲୋମିଟର ଚ୍ଛକାପଞ୍ଛା ପରେ ନୟାଗଡ଼ ରାଜସୁନାଖଳାର ଚୁଡ଼ା ଜଙ୍ଗଲ ପାଖରୁ ଅପହୃତଙ୍କୁ ଉଦ୍ଧାର କରିବା ସହ ୪ ଅପହରଣକାରୀଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍।
ଘଟଣାରେ ୭ ଜଣଙ୍କ ସଂପୃକ୍ତି ଥିବାବେଳେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ୩ ଜଣ ଫେରାର ଅଛନ୍ତି। ଗିରଫ ୪ ଜଣ ହେଲେ ବ୍ରହ୍ମପୁରର ରାମକ୍ରିଷ୍ଣ, ସମ୍ବଲପୁରର ସନ୍ତୋଷ ରାଉତ, ନୟାଗଡ଼ର ଧନେଶ୍ୱର ପାତ୍ର ଓ ଭୁବନେଶ୍ୱର ଖଣ୍ଡଗିରିର ମୁସ୍ତାକ ଅଲ୍ଲି। ଏମାନେ ଭୁବନେଶ୍ୱରର ଆଉ ଜଣେ ବ୍ୟବସାୟୀଙ୍କୁ ଗତବର୍ଷ ବ୍ରହ୍ମପୁରରେ ଅପହରଣ କରିଥିଲେ। ତା’ସହ ସଂପୃକ୍ତ ଦୁର୍ବୃତ୍ତ ଆଉ କେଉଁ କେଉଁ ଅପରାଧରେ ସଂଶ୍ଲିଷ୍ଟ, ସବୁ ଘଟଣାର ତଦନ୍ତ ପାଇଁ କମିଶନରେଟ୍ ପୁଲିସ ରିମାଣ୍ଡରେ ନେବ ବୋଲି କହିଛି ପୁଲିସ କମିଶନରେ ସୌମେନ୍ଦ୍ର ପ୍ରିିୟଦର୍ଶୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/Bhubaneswar.jpg)