Advertisment

KIIT : ପୁଣିଜଣେ ଛାତ୍ରଙ୍କ ଆତ୍ମହତ୍ୟା, ପ୍ରଶାସନ ଧରାଶାୟୀ,କେବେ ଚେତିବେ ସରକାର

ନେପାଳର ଦୁଇ ଛାତ୍ରୀଙ୍କ ପରେ ଏବେ ଛତିଶଗଡ଼ର ରାହୁଲ ଯାଦବ ନିଜ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଓ ଅବହେଳାକୁ ଜାତୀୟ ମାନବାଧିକାର ଆୟୋଗ ଓ ୟୁଜିସି କର୍ତ୍ତୃପକ୍ଷ ସିଧାସଳଖ ଦାୟୀ କରିଥିଲେ ମଧ୍ୟ ସବୁ ପ୍ରଶାସନିକ ବ୍ୟବସ୍ଥା ସତେଯେମିତି ଧରାଶାୟୀ ହୋଇପଡ଼ିଛି ।

author-image
Odisha Reporter
Kiit-1

କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ ପରିସରରେ ପୁଣିଜଣେ ଛାତ୍ରଙ୍କ ଆତ୍ମହତ୍ୟା । ନେପାଳୀ ଛାତ୍ରୀ ପ୍ରକୃତି ଲମସଲ୍ ଓ ପ୍ରିଶା ଶାହଙ୍କ ପରେ ରବିବାର ରାତିରେ ଛତିଶଗଡ଼ର ରାହୁଲ ଯାଦବ ନାମକ ଜଣେ ଛାତ୍ରଙ୍କ ମୃତଦେହକୁ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଛି । ଗତ ୧୦ମାସ ମଧ୍ୟରେ କିଟ୍ ହଷ୍ଟେଲ ପରିସରରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ଏହା ତୃତୀୟ ଘଟଣା ଓ ସମସ୍ତେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିଲେ ।

Advertisment


ରବିବାର ରାତିରେ ରାହୁଲ ଯାଦବଙ୍କ ଆତ୍ମହତ୍ୟା ଘଟଣାକୁ କିଟ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବାବେଳେ ପୁଲିସ ମଧ୍ୟ ତଦନ୍ତ ଜାରି ରଖିଥିବାର ସୂଚନା ଦେଇଛି । ତେବେ ଜାତୀୟ ମାନବାଧିକାର ଆୟୋଗଙ୍କଠୁ ଆରମ୍ଭ କରି ୟୁଜିସିଙ୍କ ପର୍ଯ୍ୟନ୍ତ ସମସ୍ତେ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ଅବହେଳା ଓ ଦୁର୍ବଳ ଭିତ୍ତିଭୂମିକୁ ଦାୟୀ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରକାରର ସରକାରୀ କାର୍ଯ୍ୟାନୁଷ୍ଠାନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ବର୍ଷକରେ ଗଲାଣି ୩ ଛାତ୍ରଛାତ୍ରୀଙ୍କ ଜୀବନ


ଛତିଶଗଡ଼ର ରାୟଗଡ଼ ଅଂଚଳର ରାହୁଲ ଯାଦବ କମ୍ପ୍ୟୁଟର ସାଇନ୍ସ ପ୍ରଥମବର୍ଷର ଛାତ୍ର ଥିଲେ । ସେ ରହୁଥିବା ହଷ୍ଟେଲ ରୁମରୁ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ଏହି ଆତ୍ମହତ୍ୟା ସମ୍ପର୍କରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ରାହୁଲଙ୍କ ରୁମ୍ ଅଧିକ ସମୟ ଧରି ବନ୍ଦ ରହିବାପରେ ହଷ୍ଟେଲ ସାଥୀମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଲିସ କହିଛି ଯେ, ରୁମ୍ ଭିତରପଟୁ ବନ୍ଦ ଥିଲା । ପୁଲିସର ଉପସ୍ଥିତିରେ ଭିଡିଓଗ୍ରାଫି କରି ରୁମ୍ ଖୋଲାଯାଇଛି । ମୃତଦେହକୁ କିମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଇନଫୋସିଟି ଥାନାରେ ଏନେଇ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । 

Advertisment


ସାଇଣ୍ଟିଫିକ୍ ଟିମ୍ ମଧ୍ୟ ହଷ୍ଟେଲରେ ପହଂଚି ପୁଲିସ ଉପସ୍ଥିତିରେ ଛାତ୍ରଙ୍କ ମୋବାଇଲ ଫୋନ୍‌, ଲାପଟପ୍ ଓ ଅନ୍ୟାନ୍ୟ ପ୍ରମାଣ ଜବତ କରିଛି । ଛାତ୍ରଙ୍କ ଅଭିଭାବକ ଆସିବା ପର୍ଯ୍ୟନ୍ତ ରୁମକୁ ସିଲ୍ କରାଯାଇଛି । ତାଙ୍କ ପରିବାର ଲୋକେ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।


ୟୁଜିସିଙ୍କ କାର୍ଯ୍ୟାନୁଷ୍ଠାନ ଧମକ ପରେ ବି କିଟ୍ ବେଫିକର


ୟୁଜିସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଠିତ ପ୍ରଫେସର ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ତଦନ୍ତ କମିଟି ଭୁବନେଶ୍ୱର ଆସି ସରଜମିନ୍ ଯାଂଚ କରିବା ପରେ ନେପାଳୀ ଛାତ୍ରୀ ପ୍ରକୃତି ଲମସଲ ଓ ପ୍ରିଶା ଶାହାଙ୍କ ଆତ୍ମହତ୍ୟା ପାଇଁ କିଟ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଥିଲେ । ଜୁଲାଇ ୨୧ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟକୁ ନୋଟିସ୍ ପଠାଇ ୭ଦିନ ମଧ୍ୟରେ ସନ୍ତୋଷଜନକ ଜବାବ ଦାଖଲ ନକଲେ ଏକପାଖିଆ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ପ୍ରଫେସର ରାଓଙ୍କ ନେତୃତ୍ୱାଧୀନ ଟିମର ତଦନ୍ତ ରିପୋର୍ଟ୍ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ଦାଖଲ କରାଯାଇଥିଲା । ସେହି ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଥିଲେ ‘ଆତ୍ମହତ୍ୟା’କୁ ରୋକାଯାଇ ପାରିଥାନ୍ତା । ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଜିସି କମିଟି ସୁପାରିଶ କରିବା ସହ ଷ୍ଟୁଡେଣ୍ଟସ ୱେଲଫେୟାର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନର ଗୁରୁତର ତ୍ରୁଟିର ଇଙ୍ଗିତ କରିଥିଲେ । ଏତେସବୁ ପରେ ମଧ୍ୟ କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ୟୁୂଜିସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିନାହିଁ ।


ଓଡ଼ିଶା ସରକାରଙ୍କ ତଦନ୍ତ କମିଟି,୯ମାସ ବିତିଲା,ସନ୍ଦେହ ବଢ଼ୁଛି


ନେପାଳୀ ଛାତ୍ରୀ ପ୍ରକୃତି ଲମସଲଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଚଳିତବର୍ଷ ଫେବୃୟାରୀ ୧୮ତାରିଖରେ ରାଜ୍ୟ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ୟ ୨ଜଣ ସଚିବଙ୍କୁ ନେଇ ୩ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟି ଫେବୃୟାରୀ ୨୧ରେ ବିଶ୍ୱବିଦ୍ୟାଳୟର ୮ଜଣ, ୨୭ରେ ୬ଜଣ ଓ ମାର୍ଚ୍ଚ ୬ରେ ୫ଜଣଙ୍କୁ ପଚରାଉଚୁରା କରିଥିଲା । ମାତ୍ର ୯ମାସ ପରେ ମଧ୍ୟ ଏହି କମିଟି ରିପୋର୍ଟ କ’ଣ ହେଲା ତାହା କାହାରିକୁ ଜଣାନାହିଁ । ସରକାର ଏହି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା ଓଲଟା କିଟ୍ ମାଲିକଙ୍କ ଦ୍ୱାରା ଆପ୍ୟାୟିତ ହେବାରେ ଲାଗିଛନ୍ତି ।


ସେହିପରି ପ୍ରକୃତି ମାମଲାରେ ଜାତୀୟ ମାନବାଧିକାର ଆୟୋଗ ଏକ ସରଜମିନ୍ ତଦନ୍ତ କରିବା ପରେ ମାର୍ଚ୍ଚ ୨୭ତାରିଖରେ ରାଜ୍ୟ ସରକାର,ୟୁଜିସି, ନାକ୍ ଓ ପୁଲିସକୁ  ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ହାଇକୋର୍ଟରୁ ରହିତାଦେଶ ଆଣିବାରେ କିଟ୍ କର୍ତ୍ତୃପକ୍ଷ ସକ୍ଷମ ହୋଇଥିବାବେଳେ ଏହି ମାମଲାରେ ଓଡ଼ିଶା ସରକାର କାଉଣ୍ଟର ଆଫିଡେଭିଟ୍ ଫାଇଲ୍ କରିବାରେ ମଧ୍ୟ ଟାଳଟୂଳ ନୀତି ଆପଣାଇଥିବା ଜଣାପଡ଼ିଛି ।
 ଗତ ନଭେମ୍ବର ୧୧ତାରିଖରେ ଜାତୀୟ ମାନବାଧିକାର ଆୟୋଗ ଅନ୍ୟ ଅଭିଯୋଗ ଆଧାରରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ଏହି ଅବଧି ଇତିମଧ୍ୟରେ ଶେଷ ହୋଇସାରିଛି, ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓଡ଼ିଶା ସରକାର ଦାଖଲ କରିନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

କିଟ୍ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ, ପ୍ରଶାସନ ଧରାଶାୟୀ


କିଟ୍ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଓ ଅବହେଳାକୁ ଜାତୀୟ ମାନବାଧିକାର ଆୟୋଗ ଓ ୟୁଜିସି କର୍ତ୍ତୃପକ୍ଷ ସିଧାସଳଖ ଦାୟୀ କରିଥିଲେ ମଧ୍ୟ ସବୁ ପ୍ରଶାସନିକ ବ୍ୟବସ୍ଥା ସତେଯେମିତି ଧରାଶାୟୀ ହୋଇପଡ଼ିଛି । ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆନ୍ତର୍ଜାତିକସ୍ତରରେ ଓଡ଼ିଶାକୁ ବଦନାମ ମୁଣ୍ଡାଇବାକୁ ପଡ଼ିଲା । ସେହି ମାମଲାରେ ୟୁଜିସି କର୍ତ୍ତୃପକ୍ଷ ଜୁଲାଇ ୨୧ତାରିଖରେ ନୋଟିସ୍ ପଠାଇ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ମାତ୍ର କ’ଣ ଆକ୍ସନ ନେଲେ ତାହା ଏବେବି ଅସ୍ପଷ୍ଟ ।

ସେହିପରି ନଭେମ୍ବର ୧୧ତାରିଖରେ ଜାତୀୟ ମାନବାଧିକାର ଆୟୋଗ ୧୫ଦିନ ସୁଦ୍ଧା ଆକ୍ସନଟେକେନ୍ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ । କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟ ଦାଖଲ ହୋଇନଥିବା ଓ କିଛିଦିନ ସମୟ ମଗାଯାଇଥିବା ଜଣାପଡ଼ିଛି । ଏପରିକି ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାର ଫେବୃୟାରୀ ୧୮ତାରିଖରେ ୩ଜଣ ସଚିବଙ୍କୁ ନେଇ ଗଢ଼ିଥିବା ଉଚ୍ଚସ୍ତରୀୟ କମିଟି ମୋଟ ୨୧ଜଣଙ୍କୁ ଜେରା କରିଥିଲେ ସେହି ତଦନ୍ତ ରିପୋର୍ଟ ଆଜିପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲା ନାହିଁ ।

 ନେପାଳର ଦୁଇ ଛାତ୍ରୀ ଫେବୃୟାରୀ ୧୬ରେ ପ୍ରକୃତି ଲମସଲ ଓ ମେ’ ୧ରେ ପ୍ରିଶା ଶାହଙ୍କ ପରେ ଏବେ ଛତିଶଗଡ଼ର ରାହୁଲ ଯାଦବଙ୍କ ଭଳି ମେଧାବୀ ଛାତ୍ରଛାତ୍ରୀ ନିଜ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି । ସରକାର ଓ ପ୍ରଶାସନର ଏଭଳି ନୀରବତା ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାର ଅଭାବ ଯୋଗୁ କିଟ୍ କର୍ତ୍ତୃପକ୍ଷ ନିଜର ବ୍ୟବସ୍ଥାଗତ ସୁଧାର ଆଣିବା ପରିବର୍ତ୍ତେ ତ୍ରୁଟି ଲୁଚାଇବାର ଗଳାବାଟ ଖୋଜିବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟ ସରକାର ଆଉ କେତେ ଦିନ ଏହି ଅନୁଷ୍ଠାନକୁ ସୁରକ୍ଷା ଦେବେ ଓ କେବେ ଚେତା ପଶିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ଘରୋଇ ବିଶ୍ୱବିଦ୍ୟାଳୟ ସ୍କାନରରେ


ସୁପ୍ରିମକୋର୍ଟ ଗତ ନଭେମ୍ବର ୨୦ତାରିଖରେ ଆୟେଶା ଜୈନ ଓ ଆମିଟି ବିଶ୍ୱବିଦ୍ୟାଳୟ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଡ଼ିଶା ସମେତ ଦେଶର ସମସ୍ତ ଘରୋଇ ବିଶ୍ୱବିଦ୍ୟାଳୟର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କ୍ୟାବିନେଟ୍ ସଚିବ,ରାଜ୍ୟର ମୁଖ୍ୟ ସଚିବ ଓ ୟୁଜିସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବେ, କାହାରି ମାଧ୍ୟମରେ ଏହି ସତ୍ୟପାଠ ଦେବେ ନାହିଁ । ଏହି ସତ୍ୟପାଠରେ ଯଦି କୌଣସି ମିଥ୍ୟା ବୟାନ ଦେଇଥିବାର ପ୍ରମାଣିତ ହୁଏ ତା’ହେଲେ କଠୋର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଛନ୍ତି ।

 ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ବିନା ଲାଭ ଓ କ୍ଷତିରେ ପରିଚାଳିତ ହେଉଛନ୍ତି କି ନାହିଁ, ସରକାର ଓ ନିୟାମକର ନିୟନ୍ତ୍ରଣ ଏବଂ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅଭିଯୋଗର ସମାଧାନ ପାଇଁ କ’ଣ ବ୍ୟବସ୍ଥା ରହିଛି ଆଦି ସମ୍ପର୍କରେ ସତ୍ୟପାଠ ଦାଖଲ କିରବାକୁ କୁହାଯାଇଛି । କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୮ତାରିଖକୁ ଧାର୍ଯ୍ୟ କରିଛନ୍ତି ଓ ତା’ପୂର୍ବରୁ ସତ୍ୟପାଠ ଦାଖଲ କରିବା ମୁଖ୍ୟ ସଚିବଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଜଣାପଡ଼ିଛି ।