Advertisment

KISS Exposed: ପଦାରେ ପଡ଼ିଲା ‘କିସ୍’ ଗୁମର, ବିଶ୍ୱ ସଂଗଠନ କରିଛନ୍ତି ବାସନ୍ଦ, କାହା ଚାପରେ ଚୁପ୍ ବସିଛନ୍ତି ସରକାର, କେବେ ହେବ ଆକ୍ସନ୍‌?

ଦୀର୍ଘ ଦୁଇ ଦଶନ୍ଧି ଧରି ଅଚ୍ୟୁତଙ୍କ ମାଲିକାନାରେ ଥିବା ‘କିସ’ରେ ‘ସାଂସ୍କୃତିକ ଗଣହତ୍ୟା’ ଚାଲିଥିବାର ସଙ୍ଗୀନ ଅଭିଯୋଗ ବିଶ୍ୱସ୍ତରୀୟ ସଂଗଠନଗୁଡ଼ିକ ଆଣିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାହିିଁକି ଗୁରୁତ୍ୱର ସହ ବିଚାରକୁ ନେଇନାହାନ୍ତି ?

KISS-World-Org.

‘କିସ୍’ ପ୍ରତି ବିଶ୍ୱର ଶୀର୍ଷ ସଂଗଠନ ଦେଇଥିବା ପ୍ରତିକୂଳ ମନ୍ତବ୍ୟ (ଫଟୋରେ)

Advertisment

ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ଓ ବାସନ୍ଦ ହେବାପରେ ଏବେ ନିଜ ମାଟିରେ ଛାତ୍ର ହତ୍ୟା ଭଳି ସଙ୍ଗିନ ଅପରାଧ ମାମଲାରେ ଛନ୍ଦି ହୋଇପଡ଼ିଛି ‘କିସ’ । ୨୦୨୩ ମସିହାରେ ‘ୱାଲର୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ’ରୁ ବାସନ୍ଦ ହେବା ଓ ‘ସର୍ଭାଇଭାଲ ଇଂଟରନ୍ୟାସନାଲ’ ଦ୍ୱାରା ‘ଫ୍ୟାକ୍ଟ୍ରି ସ୍କୁଲ’ ଭାବେ ଟ୍ୟାଗ୍ ପାଇଥିବା ‘କିସ’ରେ ଆଦିବାସୀ ଛାତ୍ର ଶିବ ମୁଣ୍ଡାର ହତ୍ୟାକୁ ଚାପି ଦେବାକୁ ହୋଇଥିବା ଷଡ଼ଯନ୍ତ୍ର ଉପରୁ ପରଦା ହଟିବାରେ ଲାଗିଛି । ଜାତୀୟ ଜନଜାତି ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରି ନିଜଆଡ଼ୁ ମାମଲା ରୁଜୁ ସହ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିବା ପରେ ‘କିସ’ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି ।

Advertisment

ଦୀର୍ଘ ଦୁଇ ଦଶନ୍ଧି ଧରି ଅଚ୍ୟୁତଙ୍କ ମାଲିକାନାରେ ଥିବା ‘କିସ’ରେ ‘ସାଂସ୍କୃତିକ ଗଣହତ୍ୟା’ ଚାଲିଥିବାର ସଙ୍ଗୀନ ଅଭିଯୋଗ ବିଶ୍ୱସ୍ତରୀୟ ସଂଗଠନଗୁଡ଼ିକ ଆଣିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାହିିଁକି ଗୁରୁତ୍ୱର ସହ ବିଚାରକୁ ନେଇନାହାନ୍ତି ତଥା କିଏ ଅଚ୍ୟୁତଙ୍କୁ ସୁରକ୍ଷା ଦେଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷା ଓ ସମାଜସେବାର ମୁଖା ପିନ୍ଧି ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କର୍ପୋରେଟ ସଂସ୍ଥାଗୁଡ଼ିକର ଆର୍ଥିକ ପ୍ରୋତ୍ସାହନରେ ଚାଲିଥିବା ଏହି ବ୍ୟବସାୟିକ ସାମ୍ରାଜ୍ୟର ଭିତ୍ତିଭୂମି ଓ ଇକୋ ସିଷ୍ଟମ ପଛର ଗୁମର ଖୋଲିବାରେ ଲାଗିଛି ।

‘କିସ’ ଛାତ୍ରଙ୍କୁ ହତ୍ୟା, ଆୟୋଗ ଖପ୍ପା, ସରକାର ନିରବ

‘କିସ୍‌’ ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀର ଛାତ୍ର ଶିବ ମୁଣ୍ଡାଙ୍କୁ ତାଙ୍କର ୩ଜଣ ସହପାଠୀ ତଂଟି ଚିପି ହତ୍ୟା କରିଥିବା ଏବଂ ‘କିମସ’ ଡାକ୍ତରମାନେ ଏହାକୁ ହୃଦଘାତର ରୂପ ଦେଇଥିବା ନେଇ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ଗଣମାଧ୍ୟମକୁ ସୂଚନା ଦେବାର ୪୮ଘଣ୍ଟା ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ନା ହତ୍ୟାକୁ ଲୁଚାଇଥିବା କିମସ୍ ଡାକ୍ତରଙ୍କୁ ବାନ୍ଧି ପାରୁଛି ନା ତାଙ୍କୁ ଅଘୋଷିତ ନିର୍ଦ୍ଦେଶ ଦେଇଥିବା ପରଦା ପଛର ମୁଖ୍ୟଙ୍କୁ ଛୁଇଁପାରୁଛି । ‘କିସ୍‌’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ବା ‘କିସ’ ପ୍ରଶାସନ କୌଣସି ମତ-ମନ୍ତବ୍ୟ ବି ରଖୁନାହିଁ । ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ପ୍ରଶାସନ ୩ଜଣ ସହପାଠୀ ଓ ୮ଜଣ କିସ୍ କର୍ମଚାରୀଙ୍କୁ ଗିରଫ କରିଛି ସତ । ମାତ୍ର ହତ୍ୟାକୁ ହୃଦଘାତର ରୂପ ଦେଇଥିବା ପାଇଁ କାହିଁକି କିସ୍ ପ୍ରତିଷ୍ଠାତାଙ୍କ ସମ୍ପୃକ୍ତିକୁ ପୁଲିସ ଏଡ଼ାଇ ଯାଉଛି ତାହା ଏବେବି ସନ୍ଦେହଘେରରେ । ଅବଶ୍ୟ ଜାତୀୟ ଜନଜାତି ଆୟୋଗ କଡ଼ା ଆଭିମୁଖ୍ୟ ପୋଷଣ କରି ଡିସେମ୍ବର ୧୮ତାରିଖରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ରାଜ୍ୟ ସରକାର ଓ ପ୍ରଶାସନକୁ ୩ଦିନର ମହଲତ ଦେଇଛନ୍ତି । ସନ୍ତୋଷଜନକ ଉତ୍ତର ନମିଳିଲେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେବେ ବୋଲି ଆୟୋଗ ମଧ୍ୟ ରାଜ୍ୟ ସରକାରୀ ଅଫିସରଙ୍କୁ ସତର୍କ କରାଇ ଦେଇଛନ୍ତି ।

Advertisment


ବିଶ୍ୱସ୍ତରରେ ନିନ୍ଦିତ: ‘ଶିକ୍ଷାନୁଷ୍ଠାନ’ ନୁହେଁ ‘ଫ୍ୟାକ୍ଟ୍ରି ସ୍କୁଲ’

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଚ୍ୟୁତଙ୍କ ‘କିସ’ର କଳାକାରନାମା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ । ବିଶ୍ୱସ୍ତରରେ ‘କିସ୍‌’ ନିଜର ଶିକ୍ଷା ମଡେଲ୍ ପାଇଁ ନିନ୍ଦିତ ଓ ବାସନ୍ଦ ହୋଇସାରିଛି । ବିଶ୍ୱର ପ୍ରତିଷ୍ଠିତ ଆଦିବାସୀ ଅଧିକାର ସଂଗଠନ 'ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ' କିସ୍‌କୁ ଏକ 'ଫ୍ୟାକ୍ଟ୍ରି ସ୍କୁଲ' ଭାବେ ଅଭିହିତ କରିଥିବାବେଳେ, ୱେନର ଗ୍ରେନ୍ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ଲେଖାରେ ମଧ୍ୟ ଏହି ଶିକ୍ଷା ପଦ୍ଧତିକୁ ତୀବ୍ର ସମାଲୋଚନା କରାଯାଇଛି।" ତେବେ ସମ୍ମାନଜନକ ୧୯ତମ 'World Anthropology Congress'(ବିଶ୍ୱ ନୃତତ୍ତ୍ୱ କଂଗ୍ରେସ) ଆୟୋଜକ ତାଲିକାରୁ ବାଦ୍ ପଡ଼ିବା ପରେ ଅଚ୍ୟୁତଙ୍କ ‘କିସ’ର ଆନ୍ତର୍ଜାତିକସ୍ତରରେ ନୈତିକ ପରାଜୟ ଓ ଶକ୍ତ ଧକ୍କା ଥିଲା ।

୨୦୧୮ ମସିହାରେ ଫ୍ଲୋରିଆନାପୁଲିସଠାରେ ୧୮ତମ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ(ୱାଲର୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ)ର ଆୟୋଜନବେଳେ ‘କିସ୍‌’ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଇଣ୍ଡିଆନ ଆନ୍ଥ୍ରୋପୋଲୋଜି ସୋସାଇଟିକୁ ମିଳିତ ଭାବେ ୨୦୨୩ ମସିହାରେ ସମ୍ମାନଜନକ ୧୯ତମ ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ର ଆୟୋଜନର ଦାୟିତ୍ୱ ମିଳିଥିଲା । କିସ୍ ଏହି ଆୟୋଜନର ମୁଖ୍ୟ ଭାବେ ସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତା । କିନ୍ତୁ ବିଶ୍ୱସ୍ତରରେ ବିରୋଧ ପରେ  କିସ ଠାରୁ ୨୦୨୩ ବିଶ୍ୱ ନୃତତ୍ତ୍ୱ କଂଗ୍ରେସର ଆୟୋଜନ ଅଧିକାରକୁ (International Union of Anthropological and Ethnological Sciences-IUAES )ପ୍ରତ୍ୟାହାର କରି ନେଇଥିଲା।  

୨୦୨୦ ମେ’ ମାସରେ ବିଶ୍ୱର ପ୍ରତିଷ୍ଠିତ ସଂସ୍ଥା ‘ସର୍ଭାଇଭାଲ୍ ଇଂଟରନ୍ୟାସନାଲ(Survival International)’ ତା’ର ଏକ ରିପୋର୍ଟରେ ‘କିସ’କୁ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ‘ଫ୍ୟାକ୍ଟ୍ରି ସ୍କୁଲ’ ଭାବେ ଅଭିହିତ କରିଥିଲା । ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲର ଏହି ଅଭିଯାନକୁ ବିଶ୍ୱର ୨୫୦ରୁ ଅଧିକ ପ୍ରତିଷ୍ଠିତ ନୃତତ୍ତ୍ୱବିତଙ୍କ ସମର୍ଥନ ମିଳିଥିଲା । ୱେନର ଗ୍ରେନ୍ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ନୃତତ୍ତ୍ୱ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ପତ୍ରିକା ‘ସାପିଏନ୍ସ’ ମଧ୍ୟ ‘କିସ୍‌’ର ଶିକ୍ଷା ମଡେଲକୁ ତୀବ୍ର ସମାଲୋଚନା କରି ଏହା କିପରି ଆଦିବାସୀ ପିଲାଙ୍କ ପରିଚୟକୁ ନଷ୍ଟ କରୁଛି  ଓ ସେମାନଙ୍କ ପରିଚୟରୁ ବିଚ୍ଛିନ୍ନ କରି ଏକ "ସାଂସ୍କୃତିକ ଗଣହତ୍ୟା (Cultural Genocide)" ଚଳାଇଛି ବୋଲି ଦର୍ଶାଯାଇଥିଲା। ଏହି ଲେଖାରେ ଅଚ୍ୟୁତ ସାମନ୍ତ ଆଦିବାସୀଙ୍କୁ "ମାଙ୍କଡ଼" ଓ "ବୋଝ" କହିବା ଘଟଣାକୁ ନୈତିକତା ବିରୋଧୀ ବୋଲି ଦର୍ଶାଯାଇଥିଲା।

International Union of Anthropological and Ethnological Sciences (IUAES) କୁ ଏହି ନୃତତ୍ତ୍ୱବିତମାନେ ଲେଖିଥିବା ଖୋଲା ଚିଠିରେ ଅଚ୍ୟୁତ ସାମନ୍ତଙ୍କ ମାନସିକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, କିସ୍ ଆଦିବାସୀ ପିଲାଙ୍କୁ ସେମାନଙ୍କର ମୂଳ ସଂସ୍କୃତି, ଭାଷା, ଆଧ୍ୟାତ୍ମିକ ସମ୍ପର୍କ, ପ୍ରକୃତି ଓ ପରମ୍ପରାଠାରୁ ବିଚ୍ଛିନ୍ନ କରି ଏକ ଭିନ୍ନ ମୁଖ୍ୟସ୍ରୋତରେ ସାମିଲ କରୁଛି । ଯାହାକି ‘ସାଂସ୍କୃତିକ ଗଣହତ୍ୟା’ ବୋଲି ସେମାନେ ଅଭିଯୋଗ କରିଥିଲେ । ଏହାପରେ ୨୦୨୦ ଅଗଷ୍ଟ ୧୬ତାରିଖରେ ଆଇୟୁଏଇଏସ(IUAES) ଆନୁଷ୍ଠାନିକ ଭାବେ ‘କିସ’ ସହ ସମସ୍ତ ସମ୍ପର୍କ ଛିନ୍ନ କରି ‘କିସ’କୁ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ ଆୟୋଜନରୁ ବାସନ୍ଦ କରିଥିଲା । 

ବିଶ୍ୱର ବିଭିନ୍ନ ନୃତତ୍ତ୍ୱ ସଂଘଗୁଡ଼ିକର ଶୀର୍ଷ ପରିଷଦ WCAA (World Council of Anthropological Associations) ଓ  Wenner-Gren Foundation ମଧ୍ୟ KISS ର ଶିକ୍ଷା ପଦ୍ଧତିକୁ ନୈତିକତା ବିରୋଧୀ ବୋଲି ଦର୍ଶାଇ କଡ଼ା ଚେତାବନୀ ଦେଇଥିଲେ।

‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ ଆୟୋଜନରୁ ବାଦ୍ ପଡ଼ିଲା ‘କିସ’, ଅଚ୍ୟୁତଙ୍କୁ ଧକ୍କା

ତେବେ ଆୟୋଜକ ତାଲିକାରୁ ବାଦ୍ ପଡ଼ିବା ପରେ ଅଚ୍ୟୁତଙ୍କ ‘କିସ’ ଆନ୍ତର୍ଜାତିକସ୍ତରରେ ନିଜର ନୈତିକ ପରାଜୟକୁ ଲୁଚାଇବା ପାଇଁ ୨୦୨୧-୨୩  ମସିହା ମଧ୍ୟରେ ଦୁଇଟି ୱେବସାଇଟ୍ ତିଆରି ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’କୁ ନେଇ ନିଜର ପ୍ରଚାରପ୍ରସାର କରିଥିଲା । ଏପରିକି ‘ୟୁନାଇଟେଡ୍ ଇଣ୍ଡିଆନ ଆନ୍ଥ୍ରୋପୋଲୋଜି ଫୋରମ ଗଢ଼ି ୨୦୨୩ ଅଗଷ୍ଟ ୯ରୁ ୧୪ତାରିଖ ମଧ୍ୟରେ ସମାନ୍ତରାଳ ସମ୍ମିଳନୀ ଆୟୋଜନ କରିଥିଲେ । ଯାହାକୁ IUAES ମଧ୍ୟ ‘ଭ୍ରମାତ୍ମକ’ ବୋଲି ଘୋଷଣା କରିଥିଲା ।(ଫଟୋରେ ବିସ୍ତୃତ ତଥ୍ୟ) । ଅବଶ୍ୟ ଭାରତରେ ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ର ଆୟୋଜନ ହେବା ପାଇଁ ନିଷ୍ପତ୍ତି ହୋଇଥିବାରୁ ୨୦୨୩ ଅକ୍ଟୋବର ମାସରେ ଦିଲ୍ଲୀଠାରେ ଏହା ଅନୁଷ୍ଠିତ ମଧ୍ୟ ହୋଇଥିଲା । 

କେବଳ ସେତିକି ନୁହେଁ ବିଶ୍ୱସ୍ତରରେ ନିଜର ଶିକ୍ଷା ମଡେଲକୁ ନେଇ ନିନ୍ଦିତ ହେବା ଓ ବାସନ୍ଦ ହେବାପରେ ‘କିସ’ କର୍ତ୍ତୃପକ୍ଷ ବିଶ୍ୱର ପ୍ରତିଷ୍ଠିତ ନୃତତ୍ତ୍ୱବିତ୍ ଓ ସଂଗଠନକୁ ନାଲିଆଖି ଦେଖାଇବାକୁ ପଛାଇ ନଥିବା ଜଣାପଡ଼ିଛି । କିସକୁ ‘ଫ୍ୟାକ୍ଟ୍ରି ସ୍କୁଲ’ ବୋଲି ଅଭିହିତ କରି ସାଂସ୍କୃତିକ ଗଣହତ୍ୟାର ଅଭିଯୋଗ ଆଣିଥିବାରୁ ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ ସହ ଜଡ଼ିତ ବ୍ୟକ୍ତିମାନଙ୍କ ସମେତ ନୃତତ୍ତ୍ୱବିତ୍ ଫେଲିକ୍ସ ପାଡେଲ ଓ ନିକୋଲାସ ବାର୍ଲାଙ୍କୁ କିସ୍ କର୍ତ୍ତୃପକ୍ଷ ଲିଗାଲ୍ ନୋଟିସ୍ ପଠାଇଥିଲେ ବୋଲି ଜଣାପଡ଼ିଛି ।

‘୨୦୨୩ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ରୁ ‘କିସ’କୁ ବାସନ୍ଦ କରାଯିବା ଓ  IUAES ପକ୍ଷରୁ ସହଭାଗିତା ରଦ୍ଦ କରାଯିବା ଅଚ୍ୟୁତ ସାମନ୍ତଙ୍କ ପାଇଁ ଏକ ବଡ଼ ଆନ୍ତର୍ଜାତୀୟ ଧକ୍କା ଥିଲା । କିସ୍ ଶିକ୍ଷା ମଡେଲ ଓ ଅଚ୍ୟୁତଙ୍କ ଆଦିବାସୀଙ୍କ ପ୍ରତି ନକରାତ୍ମକ ମାନସିକତା ବିରୋଧରେ ସ୍ୱରକୁ ନୃତତ୍ତ୍ୱବିତ୍ ପ୍ରଣବ ଡୋଲେ, ଜାସିନ୍ତା କେର୍କେଟା ଓ ନିକୋଲାସ ବାର୍ଲା ପ୍ରମୁଖ ବିଶ୍ୱସ୍ତରରେ ଶାଣିତ କରିଥିଲେ ବୋଲି ଜଣାପଡ଼ିଛି ।

‘କିସ’ ଜାତିସଂଘର UNDRIP ଧାରା ୧୫ କୁ ଉଲ୍ଲଂଘନ କରି ଆଦିବାସୀଙ୍କୁ ଶିକ୍ଷା ନାଁରେ "ଡାଟା’ ଓ "ପ୍ରୟୋଗଶାଳାର ବସ୍ତୁ’ ଭାବେ ବ୍ୟବହାର କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ରାଜ୍ୟରେ ଖଣି ଖାଦାନରେ ଲିପ୍ତ ଦେଶର ପ୍ରମୁଖ କର୍ପୋରେଟ ସଂସ୍ଥାର ଆର୍ଥିକ ସହାୟତାରେ ‘କିସ’ କିଭଳି ଆଦିବାସୀଙ୍କୁ ମୋହରା କରିଛି ତା’ର ବିସ୍ତୃତ ତଥ୍ୟ ମଧ୍ୟ ‘ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ’ର ‘ଫ୍ୟାକ୍ଟ୍ରି ସ୍କୁଲ’ ରିପୋର୍ଟରେ ପ୍ରକାଶିତ ହୋଇଛି । 

ଏହି ସମସ୍ତ ରିପୋର୍ଟ ଉପରେ ‘କିସ୍’ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ ପାଇଁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe