Advertisment

ବିବାଦରେ KISS; ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କିଟ୍‌ ପରେ ବିବାଦରେ କିସ୍‌। ନବମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ହଇଚଇ। ସନ୍ଦେହ ଘେରରେ କିସ୍ କର୍ତ୍ତୃପକ୍ଷ। ଛାତ୍ରଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।

author-image
Jitendra Garnayak
Kendujhar

କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣ ଦେଇଛନ୍ତି ମୃତ ଶିବଙ୍କ ପରିବାର ଲୋକେ

କିଟ୍‌ (KIIT) ପରେ ବିବାଦରେ କିସ୍‌। ନବମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ହଇଚଇ। ସନ୍ଦେହ ଘେରରେ କିସ୍ କର୍ତ୍ତୃପକ୍ଷ। ଛାତ୍ରଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।

Advertisment

ମୃତ ଛାତ୍ରଙ୍କ ନାଁ ଶିବ ମୁଣ୍ଡା। ତାଙ୍କ ଘର କେନ୍ଦୁଝର ଟାଉନ ଥାନା ଟିକର ଘୁମୁରା ଗାଁରେ। ଶିବଙ୍କ ବାପା ରଘୁନାଥ ମୁଣ୍ଡାଙ୍କ ଅଭିଯୋଗ ଅନୁସାରେ ଗତକାଲି ତାଙ୍କ ପାଖକୁ କିସରୁ ଫୋନ୍ ଆସିଥିଲା। ପୁଅ ଝାଡ଼ା ଗଲା ବେଳେ ପାଇଖାନାରେ ପଡ଼ି ଆହତ ହୋଇଛି ଓ ତା’ର ଚିକିତ୍ସା ଚାଲିଛି ବୋଲି କହିଥିଲେ। ଏହା ସହିତ ଶୀଘ୍ର ଭୁବନେଶ୍ୱର ଆସିବାକୁ କହିଥିଲେ।

ଏଭଳି ଏକ ଫୋନ୍ କଲ୍ ପାଇଁ ବ୍ୟସ୍ତ ହୋଇପଡ଼ିଥିବା ରଘୁନାଥ ମୁଣ୍ଡା ଭୁବନେଶ୍ୱର ଆସିଥିଲେ। ହେଲେ ସେ ପହଞ୍ଚିବା ପରେ ତାଙ୍କ ପୁଅ ଶିବ ମୁଣ୍ଡାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କୁ କୁହାଯାଇଥିଲା। ଏହା ପରେ ଶିବ ମୁଣ୍ଡାଙ୍କର ଶବକୁ ବ୍ୟବଚ୍ଛେଦ ନକରି ତଥା ପୁଲିସକୁ ନଜଣାଇ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ସେଥିରେ ରଘୁନାଥଙ୍କ ସହିତ ଗାଁକୁ ପଠାଇ ଦେଇଥିଲେ। ତା’ପୂର୍ବରୁ ସେମାନେ କିଛି କାଗଜରେ ରଘୁନାଥଙ୍କ ଦସ୍ତଖତ ମଧ୍ୟ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ପୁଅର ମୃତଦେହ ଧରି ଗାଁରେ ପହଞ୍ଚିବା ପରେ ରଘୁନାଥ ପରିବାର ତଥା ଗାଁ ଲୋକଙ୍କୁ ସବୁ କଥା କହିଥିଲେ। ଶିବଙ୍କ ମୃତଦେହ ଦେଖିବା ପରେ ରଘୁନାଥଙ୍କଠାରୁ ସବୁକଥା ଶୁଣିବା ପରେ ସମସ୍ତେ ତାତି ଯାଇଥିଲେ। ମୃତ ଶିବଙ୍କ ବେକର ଦୁଇ ପାର୍ଶ୍ୱରେ ଲାଲ୍ ମୋଟା ଦାଗ ରହିଥିବା ଦେଖାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି। ଝାଡ଼ା ଯାଇଥିବା ଶିବ ପାଇଖାନାରେ ପଡ଼ି ପ୍ରାଣ ହରାଇଥିବା ସ୍କୁଲ କର୍ତ୍ତପକ୍ଷ କହିଥିଲା ବେଳେ ବେକରେ କିଭଳି ଦାଗ ହେବ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ। ଶରୀରର ଅନ୍ୟ କୌଣସି ସ୍ଥାନରେ କିପରି କ୍ଷତି ହେଲା ନାହିଁ ବୋଲି ବି ସେମାନେ ପ୍ରଶ୍ନ କରିଛନ୍ତି।

ଆଜି ପରିବାର ଲୋକେ ଶିବଙ୍କ ମୃତଦେହ ଧରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲେ। ଶିବଙ୍କୁ ହତ୍ୟା କରାଯାଇଥିବା ଓ ଏହାର ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ। ଏହା ସହ କୋଟିଏ ଟଙ୍କାର କ୍ଷତିପୂରଣ ଦେବାକୁ ଅଡ଼ି ବସିଥିଲେ। କେନ୍ଦୁଝର ଟାଉନ ଥାନା ପୁଲିସ ଏନେଇ ଏକ ଜିରୋ ଏଫ୍ଆଇଆର୍ କରିଥିବା ବେଳେ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ନବମ ଛାତ୍ର ଶିବ ମୁଣ୍ଡାଙ୍କ ମୃତ୍ୟୁ ହେଲା କିପରି? ଯଦି ପାଇଖାନାରେ ପଡ଼ି ମୃତ୍ୟୁ ହେଲା, ତା’ହେଲେ ଶରୀରର ଅନ୍ୟ କେଉଁଠି କିଛି ଦାଗ ନଥାଇ କେବଳ ବେକରେ ଦାଗ ଲାଗିଲା କିଭଳି? ପାଇଖାନାରେ ପଡ଼ି ମୃତ୍ୟୁ ହୋଇଥିଲେ, ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ। ଏଭଳି ମୃତ୍ୟୁ ଘଟଣାକୁ ସ୍ଥାନୀୟ ପୁଲିସଠୁ ଲୁଚାଇ ପରିବାର ଲୋକଙ୍କୁ ମୃତଦେହ ଦେଇ ଘରକୁ ପଠାଇ ଦେବାର କାରଣ କ’ଣ? ଯଦି ଦୁର୍ଘଟଣାରେ ମୃତ୍ୟୁ ବେକର ଦାଗ କେଉଁଠୁ ଆସିଲା? କିସ୍ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ କରାଇଲେ ନାହିଁ କାହିଁକି? ସେଥିରେ କ’ଣ ଅସୁବିଧା ଥିଲା? କ’ଣ ଲେଖି କାଗଜପତ୍ରରେ ରଘୁନାଥଙ୍କ ଦସ୍ତଖତ ନେଇ ମୃତଦେହ ଦେଲେ କିସ୍ ଅଧିକାରୀ? ଏ ନେଇ କିଟ୍‌ର ପ୍ରତିକ୍ରିୟା ମିଳିପାରିନାହିଁ। 

ବର୍ଷକ ମଧ୍ୟରେ କିଟ୍ ଓ କିସରେ ଛାତ୍ରଛାତ୍ରୀ ମୃତ୍ୟୁର ଇଏ ହେଉଛି ଚତୁର୍ଥ ଘଟଣା। କିଟ୍ ଓ କିସରେ ବାରମ୍ବାର ଏଭଳି ଘଟଣା ଘଟିଚାଲିଥିଲେ ବି ସରକାରଙ୍କ ନିରବତାକୁ ନେଇ ଉଦବେଗ ସୃଷ୍ଟି ହୋଇଛି।

KIIT