
‘କିସ୍’ ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀର ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) କ୍ଷୁବ୍ଧ ହେବା ସହ ପୁଲିସକୁ ୧୫ଦିନ ମଧ୍ୟରେ ଆକ୍ସନଟେକେନ୍ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ ବିସ୍ଫୋରକ ମନ୍ତବ୍ୟ ଦେଇ ‘କିସ’ ଓ ‘କିଟ’ ଶିକ୍ଷାନୁଷ୍ଠାନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛନ୍ତି । ଏପଟେ ପୁଲିସ ଆଦିବାସୀ ଛାତ୍ର ଶିବ ମୁଣ୍ଡା ହତ୍ୟା ମାମଲାରେ ୩ଜଣ ସହପାଠୀ ଓ ୮ଜଣ କିସ୍ କର୍ମଚାରୀଙ୍କୁ ଗିରଫ କରିବାର ୭ଦିନ ପରେ ମଧ୍ୟ ମିଛ ହୃଦଘାତ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ଛୁଇଁପାରିନଥିବା ଜଣାପଡ଼ିଛି । ଜାତୀୟ ଜନଜାତି ଆୟୋଗ ଓ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପୁଲିସର ତଦନ୍ତରେ ଏଭଳି ଶିଥିଳତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଅର୍ଥ ବଳରେ ଆଇନକୁ ହାତବାରିସି କରୁଛି ‘କିସ୍’
ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଅନୁଷ୍ଠାନ ପାଖରେ ଏତେ ଅଥର୍ବଳ ରହିଛି ଯେ ସେମାନେ ଦାମୀ ଓକିଲଙ୍କୁ ଛିଡ଼ା କରି ସରକାରୀ ତଦନ୍ତ ଉପରେ ହାଇକୋର୍ଟରୁ ରହିତାଦେଶ ଆଣିପାରୁଛନ୍ତି । ଏହି କାରଣରୁ ବାରମ୍ବାର ପିଲାଙ୍କ ମୃତ୍ୟୁ ଘଟୁଥିଲେ ହେଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ । ଏନଏଚଆରସି ସଦସ୍ୟଙ୍କ ଏହି ବୟାନ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକି ସିଧାସଳଖ ‘କିସ’ର କାର୍ଯ୍ୟଶୈଳୀକୁ ସନ୍ଦେହଘେରକୁ ଟାଣିଛି ।
ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କ ମୃତ୍ୟୁପରେ ‘କିସ୍’ କର୍ତ୍ତୃପକ୍ଷ ଯେଭଳି ପଦକ୍ଷେପ ନେଇଛନ୍ତି, ତାକୁ ନେଇ ଶ୍ରୀ କାନୁନଗୋ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜଣେ ନାବାଳକର ମୃତ୍ୟୁ ପରେ ପୁଲିସକୁ ସୂଚନା ନଦେଇ କିମ୍ବା ପୋଷ୍ଟମଟର୍ମ ନକରି ତରବରିଆ ଭାବେ ଶବ ସଂସ୍କାର କରିଦେବା ଏକ ସାଂଘାତିକ ଅପରାଧ । ପ୍ରମାଣ ନଷ୍ଟ କରିବାର ଏହା ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ ବୋଲି ସେ ଦର୍ଶାଇଛନ୍ତି । ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ, ଶିକ୍ଷାନୁଷ୍ଠାନ ମଧ୍ୟରେ ପିଲାଙ୍କ ସୁରକ୍ଷା ପାଇଁ ଯେଉଁ ନିୟମ ରହିବା କଥା, ତାହା ‘କିସ'ରେ ବାରମ୍ବାର ଉଲ୍ଲଂଘନ ହେଉଛି। ଶିଶୁ ମଙ୍ଗଳ କମିଟର ପୂର୍ବ ରିପୋର୍ଟକୁ ପ୍ରଶାସନ କାହିଁକି ଅଣଦେଖା କଲା, ସେ ନେଇ ମଧ୍ୟ ଶ୍ରୀ କାନୁନଗୋ ରାଜ୍ୟ ସରକାରଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି ।
ଏନଏଚଆରସିଙ୍କ କଡ଼ା ଆଭିମୁଖ୍ୟ, ୧୫ ଦିନର ମହଲତ୍
କିସ୍ ଛାତ୍ର ହତ୍ୟା ମାମଲାକୁ ନେଇ ଏନଏଚଆରସି ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଏନଏଚଆରସି ସଦସ୍ୟ ଶ୍ରୀ କାନୁନଗୋ ସୂଚନା ଦେଇ କହିଛନ୍ତି ଯେ, ପୁଲିସକୁ ଆକ୍ସନଟେକନ ରିପୋର୍ଟ ପାଇଁ ୧୫ ଦିନର ସମୟ ଦିଆଯାଇଛି । ପୁଲିସର ଏହି ରିପୋର୍ଟ ଆସିବା ପରେ ସେଠାକୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ପଠାଯିବ କି ନାହିଁ ତାହା ଆୟୋଗ ସ୍ଥିର କରିବେ । ତେବେ ଗରିବ ଜନଜାତି ପିଲାଙ୍କ ଜୀବନ ସହ ଖେଳୁଥିବା ଏହି ଅନୁଷ୍ଠାନ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ହାଇକୋର୍ଟଙ୍କ ରହିତାଦେଶ ପରେ ମଧ୍ୟ ସେଠାରେ ପିଲାଙ୍କ ମୃତ୍ୟୁ ଥମୁନାହିଁ ବୋଲି ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ରଖିବାର ଆବଶ୍ୟକତା ରହିଛି । ଏହି ସଂସ୍ଥାର ପରିଚାଳନା କେତେଦୂର ସୁରକ୍ଷିତ ତାହା ଉପରେ ପୁନଃବିଚାର ହେବା ଜରୁରୀ ବୋଲି ସେ କହିଛନ୍ତି ।
ଜାତୀୟ ଜନଜାତି ଆୟୋଗ ବି କରୁଛନ୍ତି ତଦନ୍ତ
କିସ୍ ଛାତ୍ର ମୃତ୍ୟୁ ଘଟଣାରେ କେବଳ ଜାତୀୟ ମାନବାଧିକାର ଆୟୋଗ ନୁହଁନ୍ତି ପୂର୍ବରୁ ଜାତୀୟ ଜନଜାତି ଆୟୋଗ ମଧ୍ୟ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିସାରିଛନ୍ତି । ଜାତୀୟ ଜନଜାତି ଆୟୋଗ ନିଜଆଡ଼ୁ ମାମଲା ରୁଜୁ କରିବା ସହ ଡିସେମ୍ବର ୧୮ ତାରିଖରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନକୁ ଏକ ନୋଟିସ ଜାରି କରି ୩ ଦିନ ମଧ୍ୟରେ ‘ଆକ୍ସନ ଟେକନ ରିପୋର୍ଟ\' ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହତ୍ୟାକୁ ହୃଦଘାତର ରୂପ ଦେବା ଏବଂ ପ୍ରକୃତ ଦୋଷୀଙ୍କୁ ଆଢୁଆଳରେ ରଖିବା ପ୍ରୟାସକୁ ଆୟୋଗ ଗମ୍ଭୀରତାର ସହ ନେଇଥିଲେ । ଏହି ଅବଧିକୁ ୬ଦିନ ପୁରିଲାଣି । ଆୟୋଗଙ୍କୁ ରାଜ୍ୟ ସରକାର ରିପୋର୍ଟ ଦେଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ ।
ପୁଲିସ ତଦନ୍ତରେ ଶିଥିଳତା, ୭ଦିନ ଧରି ନିରବ, ଡାକ୍ତରଙ୍କୁ ଛୁଇଁପାରୁନି
ପୁଲିସ ପ୍ରାରମ୍ଭିକ ତଦନ୍ତ କରି ଏହି ମାମଲାରେ ମୃତ ଶିବ ମୁଣ୍ଡାଙ୍କ ୩ଜଣ ସହପାଠୀ ଓ ୮ଜଣ କିସ୍ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା । କିନ୍ତୁ ହୃଦଘାତ ବୋଲି ମିଥ୍ୟା ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ଏପର୍ଯ୍ୟନ୍ତ ଛୁଇଁବାକୁ ପୁଲିସ ସକ୍ଷମ ହୋଇପାରିନାହିଁ । ଯଦିଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସ୍ପଷ୍ଟ ଭାବେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏବେ ପ୍ରଶ୍ନ ଉଠୁଛି, ‘କିମ୍ସ'ର ଯେଉଁ ଡାକ୍ତରମାନେ ହତ୍ୟାକୁ ହୃଦଘାତ ବୋଲି ମିଥ୍ୟା ରିପୋର୍ଟ ଦେଇଥିଲେ, ସେମାନଙ୍କ ବିରୁଦ୍ଧରେ ପୁଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନି । ଏହି ମାମଲାର ମୁଖ୍ୟ ସୂତ୍ରଧର ଓ ମିଛ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନକାରୀଙ୍କୁ ପୁଲିସ କାର୍ହିକି ସୁରକ୍ଷା ଦେଉଛି, ତାହା ଏବେ ବି ରହସ୍ୟଘେରରେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
