NCST Case Details(Pic)
ନବମ ଶ୍ରେଣୀର ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମାମଲାରେ ‘କିସ୍’ ଶିକ୍ଷାନୁଷ୍ଠାନର ଅଡ଼ୁଆ ବଢ଼ିଛି । ଜାତୀୟ ଅନୁସୂଚିତ ଜନଜାତି(ଏସଟି) ଆୟୋଗ ଏହି ମାମଲାକୁ ଗୁରୁତ୍ୱର ସହ ବିଚାରକୁ ନେଇ ନିଜଆଡ଼କୁ ମାମଲା ରୁଜୁ କରିବା ସହ ନୋଟିସ୍ ଜାରି କରି ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି । ଆଉ କମିଶନ ମଧ୍ୟ ଖୁବଶୀଘ୍ର ଭୁବନେଶ୍ୱର ଆସି ସରଜମିନ୍ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଏପଟେ ଶିବଙ୍କୁ ଡିସେମ୍ବର ୧୧ତାରିଖ ରାତିରେ ତଂଟି ଚିପି ହତ୍ୟା କରାଯାଇଥିବା ସତ୍ତ୍ୱେ କାହା ନିର୍ଦ୍ଦେଶରେ ଡାକ୍ତର ତାଙ୍କର ମୃତ୍ୟୁ ହୃଦଘାତଜନିତ ଦର୍ଶାଇଥିଲେ ବୋଲି ଏବେ ପୁଲିସ ଖୋଳତାଡ଼କୁ ତ୍ୱରାନ୍ୱିତ କରିଛି ।
କିସ୍ ପରିସରରେ ଏତେବଡ଼ ଅଘଟଣ ସତ୍ତ୍ୱେ ଶିକ୍ଷାନୁଷ୍ଠାନ କିମ୍ବା ଅଚ୍ୟୁତଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଅବା ବୟାନ ମଧ୍ୟ ଦିଆଯାଇନାହିଁ । କିସ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଚାପ ବଢ଼ୁଥିଲେ ମଧ୍ୟ ଏବେବି ମାମଲାକୁ ଚପାଇ ଦେବାକୁ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜୋରଦାର କସରତ କରୁଥିବା ଚର୍ଚ୍ଚା ହେଉଛି ।
ମାମଲା ରୁଜୁ ସହ ନୋଟିସ୍ ଜାରି, ସରଜମିନ୍ ଯାଂଚ ପାଇଁ ଆସିବେ ଜନଜାତି ଆୟୋଗ
ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍) ପରିସରରେ ନବମ ଶ୍ରେଣୀର ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ଘଟଣାରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଇଂରାଜୀ ଖବରକାଗଜ ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଖବରକୁ ନିଜଆଡ଼ୁ ବିଚାରକୁ ନେଇ ଆୟୋଗ ଏକ ମାମଲା (ଫଟୋରେ ବିସ୍ତୃତ ତଥ୍ୟ) ରୁଜୁ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଡିସିପି, ଗଣଶିକ୍ଷା ସଚିବ ଓ ଅନୁସୂଚିତ ଜାତି-ଜନଜାତି ବିଭାଗର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ୩ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି ।
ଜାତୀୟ ଜନଜାତି ଆୟୋଗ ସଦସ୍ୟ ଜାତୋଥୁ ହୁସେନ୍ ଏ ସମ୍ପର୍କରେ ଗଣମାମଧ୍ୟମକୁ ଅଧିକ ସୂଚନା ଦେଇ କହିଛନ୍ତି ଯେ, ‘କିସ’ରେ ଏଭଳି ଅଘଟଣ ପୂର୍ବରୁ ମଧ୍ୟ ଘଟିଥିବା ଶୁଣିବାକୁ ପାଇଛୁ । ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆୟୋଗଙ୍କ ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ସେ ଖୁବଶୀଘ୍ର ଭୁବନେଶ୍ୱର ଆସି ଏହି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ପ୍ରଶାସନ ପକ୍ଷରୁ ରିପୋର୍ଟ ମିଳିବା ପରେ କମିଶନ ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ କ୍ଷେତ୍ରସ୍ତରୀୟ ସରଜମିନ୍ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଯାଂଚ କରିବେ । ଶିଶୁମାନଙ୍କ ସୁରକ୍ଷା କ୍ଷେତ୍ରରେ ଏଭଳି ଅବହେଳାକୁ ଆୟୋଗ ଆଦୌ ବରଦାସ୍ତ କରିବେ ନାହିଁ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ମାମଲା ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଥିବା ସେ କହିଛନ୍ତି ।
ସଠିକ୍ ତଦନ୍ତର ପ୍ରତିଶ୍ରୁତି ଦେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କିସ୍ ଛାତ୍ର ହତ୍ୟା ମାମଲାକୁ ନିନ୍ଦା କରିବା ସହ ଓଡ଼ିଶା ସରକାରଙ୍କ ଉପରେ ଭରସା ରଖିଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କିସରେ ବାରମ୍ବାର ଏଭଳି ଘଟଣା ନିନ୍ଦନୀୟ । ଏସବୁ ପାଇଁ କର୍ତ୍ତୃପକ୍ଷ ସତର୍କ ରହିବା ଜରୁରୀ । ଏ ମାମଲାରେ ତଦନ୍ତ ଠିକ୍ ହେବା ଦରକାର । ରାଜ୍ୟରେ ଆମର ସରକାର ଅଛି । ତଦନ୍ତ ନିଶ୍ଚୟ ଠିକ୍ ହେବ ବୋଲି ମୋର ଆଶା ଅଛି । ଯିଏ ଦୋଷୀ ସେ କଠୋର ଦଣ୍ଡରେ ଦଣ୍ଡିତ ହେବେ । ରାଜ୍ୟ ସରକାରଙ୍କ ଉପରେ ମୋର ଭରସା ରହିଛି ବୋଲି ଶ୍ରୀ ଓରାମ କହିଛନ୍ତି ।
କାର୍ଯ୍ୟାନୁଷ୍ଠାନ ଓ ଆଦିବାସୀ ଛାତ୍ରଙ୍କୁ ନ୍ୟାୟ ପାଇ ବଢ଼ିଲା ଚାପ
କିସ୍ ପରିସରରେ ଛାତ୍ରଙ୍କୁ ହତ୍ୟା କରାଯିବା ଘଟଣାରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ, ସାଂସଦ ଅନନ୍ତ ନାଏକ ଓ ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଉଦବେଗ ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ହତ୍ୟା ଘଟଣାକୁ ନେଇ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ, କିସ୍ ପରିସରରେ ପିଲାଙ୍କ ମୃତ୍ୟୁ ନୂଆ କଥା ନୁହେଁ । କିସ୍ ପାଇଁ ଛାତ୍ରହତ୍ୟା ନୂଆ ନୁହେଁ । ଆଗରୁ ବି ଏପରି ଘଟିଛି । ସବୁ ଘଟଣାକୁ ଚାପି ଦିଆଯାଉଥିଲା । ଆମ ସରକାର ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଛନ୍ତି । କେହି ବର୍ତ୍ତିବେ ନାହିଁ । ଆଗରୁ କିସ୍ ମୁଖିଆ ସାଂସଦ ଥିଲେ ଓ ତାଙ୍କ ଦଳ ତାଙ୍କୁ ସୁରକ୍ଷା ଦେଉଥିଲା । ଏବେ ସବୁ ପଦାକୁ ଆସିଛି । ନେପାଳୀ ଛାତ୍ରୀ ହତ୍ୟା ମାମଲାରେ ବି ଗିରଫଦାରୀ ହୋଇଥିଲା । ଏବେ ବି ଆମ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ବିଜେପି ସାଂସଦ ଅନନ୍ତ ନାଏକ ମଧ୍ୟ ଏହି ଘଟଣାରେ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ସାଂସଦ ବଳଭଦ୍ର ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ, କିସ୍ ଓ କିଟ୍ ଯେଉଁ ଆଭିମୁଖ୍ୟ ନେଇ ଗଠନ ହୋଇଥିଲା ତାହା ଏବେ ସେଭଳି ସ୍ଥିତିରେ ନାହିଁ । ଗରିବ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇବା ଉଦ୍ଦେଶ୍ୟରେ ଗଢ଼ା ହୋଇଥିଲା । ଏବେ କିନ୍ତୁ ଏହା ବ୍ୟବସାୟିକ ସଂସ୍ଥାରେ ପରିଣତ ହୋଇଗଲାଣି ଓ କୋଟିକୋଟି ଟଙ୍କା ରୋଜଗାର କରୁଥିବା ସେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, କିସ୍ ଛାତ୍ରଙ୍କ ତଂଟି ଚିପି ସହପାଠୀମାନେ ହତ୍ୟା କରିବା ଘଟଣାକୁ ହୃଦଘାତର ରୂପ ଦିଆଯିବା ବହୁତ ବଡ଼ ଅପରାଧ । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଥିପାଇଁ ଅନୁଷ୍ଠାନର କର୍ତ୍ତୃପକ୍ଷ ଦାୟୀ । ଯେଉଁ ଡାକ୍ତର ଏହି ହତ୍ୟାକୁ ହୃଦଘାତର ରୂପ ଦେଲେ ତାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ଭକ୍ତ ପ୍ରଶ୍ନ କରିବା ସହ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କାହିଁକି ଦାୟୀ କରାଯାଉନି ? ବାଲେଶ୍ୱର ଘଟଣାପରେ ସବୁ ଶିକ୍ଷାନୁଷ୍ଠାନ ପକ୍ଷରୁ କରାଯାଇଥିବା ଆଭ୍ୟନ୍ତରୀଣ କମିଟି କ’ଣ କରୁଛନ୍ତି । ସରକାରୀ ହେଉ କି ବେସରକାରୀ ଶିକ୍ଷାନୁଷ୍ଠାନ, ପିଲାମାନଙ୍କ ପାଇଁ କରାଯାଇଥିବା ମାନସିକ ସ୍ୱାସ୍ଥ୍ୟର କାଉନସେଲିଂ ନିୟମିତ କରାଯିବା ଉଚିତ୍ । ସରକାରୀସ୍ତରରେ ଯେଭଳି ତତ୍ପରତା କରାଯିବା କଥା ତାହା ହେଉନି ବୋଲି ସେ କହିଛନ୍ତି ।
ଅଚ୍ୟୁତ ସାମନ୍ତ ଓ କିମସ୍ ଡାକ୍ତରଙ୍କ ଭୂମିକା ଉପରେ ସନ୍ଦେହ
ପୁଲିସ କମିଶନର ଏସ ଦେବଦତ୍ତ ସିଂ ଗତକାଲି ସୂଚନା ଦେଇଥିଲେ ଯେ, ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାଙ୍କର ତଂଟି ଚିପି ହତ୍ୟା କରାଯାଇଛି । ଆଉ କିସ୍ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କିମସ୍ ହସ୍ପିଟାଲର ଡାକ୍ତରମାନେ ମୃତ୍ୟୁର ପ୍ରକୃତ କାରଣ ଲୁଚାଇ ହୃଦଘାତ ବୋଲି କହିଥିଲେ । ଏହି ଘଟଣାରେ ୩ ଜଣ ସହପାଠୀଙ୍କ ସମେତ ଅନୁଷ୍ଠାନର ୮ କର୍ମଚାରୀଙ୍କୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କିସ୍ ଶିକ୍ଷାନୁଷ୍ଠାନ ଭିତରେ ପିଲାମାନଙ୍କର ‘ଜୋକର ଗ୍ୟାଙ୍ଗ’ ସକ୍ରିୟ ଥିଲା ଓ ସେମାନେ ହିଁ ଶିବ ମୁଣ୍ଡାଙ୍କ ହତ୍ୟା କରିଛନ୍ତି ।
ତେବେ ନିୟମିତ କିସ୍ ଓ କିଟ୍ ଗସ୍ତ କରୁଥିବା ଏହାର ପ୍ରତିଷ୍ଠାତା କିଭଳି ଏହି ଜୋକର ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଲେ ନାହିଁ ଓ ସେହି ଗ୍ୟାଙ୍ଗର ଅପରାଧିକ ଗତିବିଧି ପୂର୍ବରୁ କ’ଣ ରହିଥିଲା ତାହା କାହିଁକି ଖୋଳତାଡ଼ କରାଗଲାନି ବୋଲି ପ୍ରଶ୍ନ ଉଠିଛି । କାହା ନିର୍ଦ୍ଦେଶରେ କିମସ୍ ହସ୍ପିଟାଲର ଡାକ୍ତରମାନେ ଏହି ମୃତ୍ୟୁକୁ ହୃଦଘାତ ବୋଲି ଦର୍ଶାଇଥିଲେ? ଚର୍ଚ୍ଚା ହେଉଛି, କିସ୍ , କିଟ୍ ଓ କିମସରେ ଅଚ୍ୟୁତଙ୍କ ବିନା ନିର୍ଦ୍ଦେଶରେ ପତ୍ର ବି ହଲେନାହିଁ । ତେଣୁ ଏଭଳି ମିଛ ରିପୋର୍ଟ ପ୍ରସ୍ତୁତ କରିବା ପଛରେ ଅଚ୍ୟୁତଙ୍କ ସିଧାସଳଖ ସମ୍ପୃକ୍ତି ରହିଛି କି ? ତେବେ ପୁଲିସ କାହିଁକି ସେହି ଡାକ୍ତରମାନଙ୍କୁ ଗିରଫ କରି ପ୍ରକୃତ ସତ୍ୟକୁ ପଦାକୁ ଆଣୁନାହିଁ ତାହା ଏବେବି ଅସ୍ପଷ୍ଟ । ଯେଉଁ ପିଲାମାନେ ଏହି ହତ୍ୟାକାଣ୍ଡର ସାକ୍ଷୀ ଥିଲେ ସେମାନଙ୍କୁ କିଏ ଧମକଚମକ ଦେଇଥିଲେ ପୁଲିସ ତାକୁ ମଧ୍ୟ ସାର୍ବଜନୀନ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us