Advertisment

Kiss Under Scrutiny: କିସ୍ ପାଲଟିଛି କି ମରଣଯନ୍ତା, ପୁଣିଜଣେ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପ୍ରଶାସନ ନିରବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୃହ ଜିଲ୍ଲା କେନ୍ଦୁଝରର ୨ଜଣ ଆଦିବାସୀ ଛାତ୍ରଙ୍କ ସମାନ ଶୈଳୀରେ ମୃତ୍ୟୁ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବା ମଧ୍ୟ ପରୋକ୍ଷରେ ‘କିସ’ରେ ରହୁଥିବା ହଜାର ହଜାର ଆଦିବାସୀ ପିଲାମାନଙ୍କ ସୁରକ୍ଷା ଓ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

KISS
Advertisment

ମାତ୍ର ୬ମାସ ବ୍ୟବଧାନରେ ଦୁଇଜଣ ଗରିବ ଆଦିବାସୀ କୋମଳମତି ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଏବେ ଭୁବନେଶ୍ୱରସ୍ଥିତ ‘କିସ’ ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୃହ ଜିଲ୍ଲା କେନ୍ଦୁଝରର ୨ଜଣ ଆଦିବାସୀ ଛାତ୍ରଙ୍କ ସମାନ ଶୈଳୀରେ ମୃତ୍ୟୁ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବା ମଧ୍ୟ ପରୋକ୍ଷରେ ‘କିସ’ରେ ରହୁଥିବା ହଜାର ହଜାର ଆଦିବାସୀ ଅନ୍ତେବାସୀ(ପିଲାମାନଙ୍କ) ସୁରକ୍ଷା ଓ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିସ୍ ଓ କିଟରେ ପଢ଼ୁଥିବା ପିଲାମାନେ କାହିଁକି ଏଭଳି ସନ୍ଦେହଜନକ ସ୍ଥିତିରେ ପ୍ରାଣ ହରାଉଛନ୍ତି ଏବଂ ସରକାର ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ରହସ୍ୟଜନକ ନିରବତା ଅବଲମ୍ବନ କରୁଛି ତାହା ଏବେ ସାଧାରଣରେ ଉଦବେଗର ବିଷୟ ପାଲଟିଛି ।

Advertisment

ସେବେ ମିଲନ ଏବେ ଶିବ, ୬ମାସରେ ଦ୍ୱିତୀୟ ମୃତ୍ୟୁ

ଡିସେମ୍ବର ୧୨ତାରିଖରେ ‘କିସ୍‌’ରେ ପଢ଼ୁଥିବା ନବମ ଶ୍ରେଣୀର ଛାତ୍ର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘେରାଉ କରିବା ପରେ ‘କିସ’ର ଅମାନବୀୟ କାର୍ଯ୍ୟ ପଦାକୁ ଆସିଛି । ହଷ୍ଟେଲର ଗାଧୁଆଘରେ ପଡ଼ି ଶିବଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କିସ୍ କର୍ତ୍ତୃପକ୍ଷ କହି ଶବ ହସ୍ତାନ୍ତର କରିଦେଇଥିଲେ । ମାତ୍ର ପୁଅର ବେକ ଓ ଶରୀରରେ କ୍ଷତ ଚିହ୍ନ ଦେଖିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ଶିବଙ୍କ ପିତା ଓ ସମ୍ପର୍କୀୟମାନେ । କେନ୍ଦୁଝର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇ ତାକୁ ଭୁବନେଶ୍ୱରର ଇନଫୋସିଟି ଥାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଶିବଙ୍କର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିଲେ ମଧ୍ୟ ତାଙ୍କର ଶବ ବ୍ୟବଚ୍ଛେଦ ନକରି କିମ୍ବା ପୁଲିସକୁ ଅବଗତ ନକରି ପରିବାର ଲୋକଙ୍କୁ ଡାକି ଶବ ହସ୍ତାନ୍ତର କରି ଚୁପ୍ ବସିଯାଇଥିଲେ କିସ୍ କର୍ତ୍ତୃପକ୍ଷ ।

୬ମାସ ପୂର୍ବରୁ ଅର୍ଥାତ୍ ୨୦୨୫ ଅଗଷ୍ଟ ମାସରେ ଅନୁରୂପ ଢଙ୍ଗରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା କିସରେ ପଢ଼ୁଥିବା କେନ୍ଦୁଝର ଜିଲ୍ଲାର ଚତୁର୍ଥ ଶ୍ରେଣୀର ଆଦିବାସୀ ଛାତ୍ର ମିଲନ ଓରାମଙ୍କର । ଅଗଷ୍ଟ ୨୫ତାରିଖରେ ତାଙ୍କ ପିତା ଅଭିଯୋଗ କରିବା ପରେ ଏହି ସନ୍ଦେହଜନକ ମୃତ୍ୟୁ ମାମଲା ପଦାକୁ ଆସିଥିଲା । ମିଲନଙ୍କ ପିତା ମକରନ୍ଦ ଓରାମ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ସେବେ କେନ୍ଦୁଝର ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ । ମକରନ୍ଦ ଅଭିଯୋଗ ଅନୁସାରେ ,ତାଙ୍କ ପୁଅ ଅଗଷ୍ଟ ୧୮ତାରିଖରେ ହଷ୍ଟେଲ ବେଡରୁ ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ୫ଦିନ ଧରି କିସ୍ କର୍ତ୍ତୃପକ୍ଷ ନିଜର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରଖିଥିଲେ । ଆଉ ଅଗଷ୍ଟ ୨୪ତାରିଖରେ ପରିବାର ଲୋକଙ୍କୁ ସୂଚନା ଦେଇ ପୁଅକୁ ଘରକୁ ନେଇଯିବାକୁ କହିଥିଲେ କିସ୍ କର୍ତ୍ତୃପକ୍ଷ । ସେମାନେ ପୁଅକୁ ତା’ର ମାମୁଁଘରକୁ ଆଣିବା ପରେ ତା’ର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ଆଉ ପୁଅକୁ ପଦମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଅଗଷ୍ଟ ୨୫ତାରିଖରେ ତା’ର ମୃତ୍ୟୁ ଘଟିଥିଲା । 

Advertisment

ଏହି ମାମଲାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମିଲନଙ୍କ ଶବ ବ୍ୟବଚ୍ଛେଦ ହେବା ସହ କେନ୍ଦୁଝର ସଦର ଥାନାରେ ବିଏନଏନଏସ୍ ଧାରା ୧୦୬(୧) ଓ ୧୨୫ ଅନ୍ତର୍ଗତ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପରିବାର ଲୋକେ ସିଧାସଳଖ ‘କିସ୍‌’ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ । ମାତ୍ର ଏପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ କେବଳ କାଗଜପତ୍ର ମଧ୍ୟରେ ସୀମିତ ରହିଗଲା ।

ଶିଶୁ ଅଧିକାର ଆୟୋଗଙ୍କ ନୋଟିସକୁ ବି ବେଖାତିର

ମିଲନଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନିଜଆଡ଼ୁ ମାମଲାକୁ ଗୁରୁତ୍ୱର ସହ ବିଚାରକୁ ନେଇଥିଲେ । ଆଉ ଏନେଇ କିସ୍ କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ପୁଲିସ ଡିସିପି ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିଲେ । କିନ୍ତୁ ‘କିସ୍‌’ ଉପରେ ଏହାର ପ୍ରଭାବ କିଛି ପଡ଼ିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଜଣେ ଗରିବ ଆଦିବାସୀ ଛାତ୍ରର ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ମଧ୍ୟ ପ୍ରଶାସନ ବିଶେଷ ଗୁରୁତ୍ୱ ନଦେଇ  ‘କିସ୍‌’କୁ ସୁରକ୍ଷା ଦେବାକୁ ସମୟ ଗଡ଼ାଇଥିବା ଜଣାପଡ଼ିଛି ।  କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତ ଦୂରର କଥା ନିରପେକ୍ଷ ତଦନ୍ତ କରିନଥିବା ସୂଚନା ମିଳିଛି । ଯଦି ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଇଥାନ୍ତା ହୁଏତ ଶିବଙ୍କ ଭଳି କୋମଳମତି ଛାତ୍ରର ଜୀବନ ବଂଚିଯାଇ ପାରିଥାନ୍ତା । 

ଶିଶୁଙ୍କ ପ୍ରତି ସାମାନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ: ଆୟୋଗ ଅଧ୍ୟକ୍ଷା

ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର  କହିଛନ୍ତି ଯେ, ଆୟୋଗ ଅଗଷ୍ଟ ମାସରେ କିସ୍ ଛାତ୍ର ମିଲନଙ୍କ ମୃତ୍ୟୁ ମାମଲାକୁ  ନିଜଆଡ଼ୁ ଗୁରୁତ୍ୱର ସହ ନେଇ ସବୁ ପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ । ଏବେ ଉକ୍ତ ମାମଲା ଆୟୋଗଙ୍କ ବିଚରାଧୀନ ରହିଛି। ତେବେ ରାଜ୍ୟରେ ଶିଶୁମାନଙ୍କ ସହ କୌଣସି ପ୍ରକାରର ଅବହେଳା, ନିର୍ଯାତନା ଓ ମୃତ୍ୟୁକୁ କଦାପି ବରଦାସ୍ତ କରାଯିବ ନାହିଁ । ଆୟୋଗ ନିଜଆଡ଼ୁ ମଧ୍ୟ ବହୁ ମାମଲାକୁ ବିଚାରକୁ ନେଇ ତା’ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀମତୀ ପାତ୍ର କହିଛନ୍ତି ।

ବାରମ୍ବାର ବିବାଦ ସତ୍ତ୍ୱେ କାହିଁକି ସୁଧୁରୁନି କିସ୍ ଓ କିଟ୍‌

କିସ୍ ଭଳି କିଟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଦୁଇ ବିଦେଶୀ ଛାତ୍ରୀ ଏବଂ ଛତିଶଗଡ଼ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ସରକାର ମଧ୍ୟ ସନ୍ଦେହଜନକ ନିରବତା ଅବଲମ୍ବନ କରିଚାଲିଛନ୍ତି । କିଟ୍ ଓ କିସରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା କିମ୍ବା ସ୍ଥିତିରେ ସୁଧାର ନଆସିବା ମଧ୍ୟ ସ୍ପଷ୍ଟ ପ୍ରମାଣିତ କରୁଛି ଯେ,ପ୍ରଶାସନର ‘କିସ୍‌’ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଯଦିଓ ଜାତୀୟ ମାନବାଧିକାର ଆୟୋଗ ଏନେଇ କଡ଼ା ପ୍ରତିକ୍ରିୟା ଦେବା ସହ ପିଲାମାନଙ୍କୁ ଠିକ୍ ପରିବେଶରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମାଜସେବା ଓ ଶିକ୍ଷାଦାନର ମୁଖା ପିନ୍ଧିଥିବା ‘କିସ୍‌’ ପିଲାଙ୍କୁ ସର୍ବନିମ୍ନ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଶିକ୍ଷା ନାଁରେ ପିଲାଙ୍କ ଜୀବନ ସହ ଖେଳୁଥିବା ଏହି ଅନୁଷ୍ଠାନରେ ଏଭଳି କୋମଳମତି ପିଲାମାନଙ୍କ ମୃତ୍ୟୁର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe