ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ସାହାଜପାଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍ ଭିତରେ ଘଟିଛି ଅଭାବନୀୟ କାଣ୍ଡ। ବସ୍ ଭିତରେ ଜଣେ ମଦ୍ୟପ ଜଣେ ଯୁବତୀଙ୍କୁ ଅସଦାଚରଣ କରୁଥିବା ସମୟରେ ଅନ୍ୟ ଜଣେ ଯୁବକ ପ୍ରତିବାଦ କରିଥିଲେ। ଫଳରେ ମଦ୍ୟପ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଆହତ ଯୁବକଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଛୁରୀ ଆକ୍ରମଣରେ ଆହତ ଯୁବକଙ୍କ ନାଁ ସାଗର ତାଣ୍ଡିଆ।
ମିଳିଥିବା ସୂଚନା ଅନୁଯାୟୀ, ମିଶ୍ର ନାମକ ଏହି ଘରୋଇ ବସ୍ଟି ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିଲା। ଅଭିଯୁକ୍ତ ମଦ୍ୟପ ବ୍ୟକ୍ତି ଜଣେ ଯୁବତୀଙ୍କୁ ଖରାପ ବ୍ୟବହାର ଦେଖାଇବା ସହିତ ତାଙ୍କୁ ହଇରାଣ କରିଥିଲେ। ବସ୍ କଣ୍ଡକ୍ଟର, ହେଲାପର କି କୌଣସି ଯାତ୍ରୀ ଉକ୍ତ ଯୁବତୀଙ୍କୁ ସାହାଯ୍ୟ କରି ନଥିଲେ। ତେବେ ଏହି ଘଟଣାକୁ ବିରୋଧ କରିଥିଲେ ସାଗର ତାଣ୍ଡିଆ। ମଦ୍ୟପ ବ୍ୟକ୍ତି ପକେଟରୁ ଏକ ଛୁରୀ ବାହାରି କରି ସାଗରଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା। ଏହା ପରେ ମଦ୍ୟପ ଉକ୍ତ ଯୁବତୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ତେବେ ସେତିକିବେଳେ ସାଗର ତାଙ୍କୁ ମାଡ଼ିବସିଥିଲେ ଏବଂ ବାଉଁଶୁଣୀ ଥାନାକୁ ଫୋନ୍ କରିଥିଲେ।
ଖବର ପାଇ ବାଉଁଶୁଣୀ ଥାନା ପୁଲିସ ସାହାଜପାଲ ନିକଟରେ ବସ୍ଟିକୁ ଅଟକାଇ ଅଭିଯୁକ୍ତକୁ କାବୁ କରିବା ସହିତ ଛୁରୀ ଆକ୍ରମଣରେ ଆହତ ହୋଇଥିବା ସାଗରଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେହିପରି ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲା।
ପୁଲିସ ବସ୍ଟିକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ବସ୍ରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/bus-2026-02-10-15-56-37.jpg)