ଗାଁ ପୋଖରୀ ତୁଠରେ ବସି କଇଁକଇଁ ହୋଇ କାନ୍ଦୁଛି ମା’। ମା’ ବାହୁନି ବାହୁନି କହୁଛି, ମୋତେ ଆଉ କିଏ ବୋଉ ବୋଲି ଡାକିବ। ବାପା, ପରିବାର ବର୍ଗ, ସମ୍ପର୍କୀୟଙ୍କ କାନ୍ଦରେ ଫାଟି ପଡ଼ୁଛି ପୂରା ଅଞ୍ଚଳ। ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକରେ ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚାନା ଗାଁରେ ୨ ନାବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।
ମୃତକ ହେଲେ କଞ୍ଚାନା ଗାଁର ଅର୍ଜୁନ କ୍ରିସାନିଙ୍କ ପୁଅ ଅମୀର କ୍ରିସାନି ଓ ଓ ଲବ କ୍ରିସାନିଙ୍କ ପୁଅ ପବିତ୍ର କ୍ରିସାନି। ସୂଚନା ମୁତାବକ, ଏହି ଗାଁ’ର ୩ ଜଣ ନାବାଳକ ସାଙ୍ଗ ହୋଇ ଗାଁ ନିକଟ ଖଡାପୁଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୨ ଜଣ ବୁଡି ଯାଇଥିଲେ। ଅନ୍ୟ ନାବାଳକ ଜଣକ ତୁରନ୍ତ ଏଠାରୁ ଦୌଡ଼ି ଯାଇ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।
ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିବା ପରେ ୨ ନାବାଳକଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ରିପୋର୍ଟ- ଲମତାପୁଟରୁ ଜଗତଜୀବନ କୋଚିମ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।