Advertisment

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବାଣ୍ଟିଲେ ତାଙ୍କ ଯୋଜନା, ଗଣମାଧ୍ୟମ ଦେଖି କହିଲେ ଆନ୍ଧ୍ର-ଓଡ଼ିଶା ଭାଇଭାଇ

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା କୋଟିଆ ଗ୍ରାମ ପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗସ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
Andhra Deputy Chief Minister

Andhra Deputy Chief Minister

Advertisment

କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା କୋଟିଆ ଗ୍ରାମ ପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗସ୍ତ କରିଛନ୍ତି। ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ସହ ଘର ଘର ବୁଲିବା ସହ ଲୋକଙ୍କୁ ଆନ୍ଧ୍ର ସରକାର ଦେଉଥିବା ସ୍କିମ୍‌ର ଲାଭ ନେବାକୁ ବୁକ୍‌ଲେଟ ବାଣ୍ଟିଛନ୍ତି। ସେମାନଙ୍କ ଘରେ ଆନ୍ଧ୍ର ସରକାରଙ୍କ ପ୍ରଚାର ଲିପଲେଟ ଲଗାଇଛନ୍ତି। ସେ ଆହୁରି ୩ ଦିନ ବାକି ଗ୍ରାମ ବୁଲିବେ। ସେପଟେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଖି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନ ‘ଆନ୍ଧ୍ର-ଓଡ଼ିଶା ଭାଇ ଭାଇ’ ଏବଂ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ ତାଙ୍କ ବାପା ଭଳି’ କହିବା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସେପଟେ ଏହି ଖବର ପ୍ରଚାରିତ ହେବା ପରେ ଫଗୁଣସିନେରୀ ଓ ଫାଟୁସିନେରୀ ରାସ୍ତାର ମାଡକାର ଠାରେ ୩ ଟ୍ରକ୍‌ ମାଟି ପକାଇ ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି। କିଏ ଓ କାହିଁକି ମାଟି ପକାଇଛି ଜଣାପଡିନି। ତେବେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ଓ ସ୍ଥାନୀୟ ପ୍ରଶାସନର ନିରବତା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ନେତୃତ୍ୱ।

ସୂଚନା ମୁତାବକ, ଏହି ପଞ୍ଚାୟତର ତଳ ଗଞ୍ଜେଇପଦରରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏକ ମେଗା ସ୍ୱାସ୍ଥ୍ୟ ମେଳା ଆୟୋଜନ କରିଥିଲା। କୋଟିଆର ଯେଉଁ ପରିବାରମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗା ଯାଇଛି, ତାଙ୍କ ଘର ଗୁଡ଼ିକରେ ଆନ୍ଧ୍ର ସରକାରଙ୍କ ପ୍ରତୀକ ଚିହ୍ନ ଲଗାଯାଇଥିଲା। ତଳସେମ୍ବୀ ଓ ଉପରସେମ୍ବୀ ଗ୍ରାମର ବହୁ ଲୋକ ଏହି ସ୍ୱାସ୍ଥ୍ୟ ମେଳାର ସୁବିଧା ନେଇଥିବାରୁ ସେମାନଙ୍କ ଘରେ ଆନ୍ଧ୍ର ସରକାରଙ୍କ ପ୍ରତୀକ ଚିହ୍ନ ଲଗାଇ ଦିଆଯାଇଛି।

Advertisment

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆରେ ପହଞ୍ଚି ‘ଇଣ୍ଟି ଇଣ୍ଟିଲୁ ଜଗନ ସରକାର’ ଦେଉଥିବା ସହାୟତା ସମ୍ପର୍କରେ ସେଠାକାର ଲୋକଙ୍କୁ ସୂଚନା ଦେଇ ଏହାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ। ଏହି ଗସ୍ତ ବେଳେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ସହ ସାଲୁର ତହସିଲଦାର, ବିଡ଼ିଓ, ପୁଲିସ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Kotiaମାଟି ପକାଇ କୋଟିଆକୁ ରାସ୍ତା ଅବରୋଧ କରାଯାଇଛି।

ଏନେଇ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଓଡ଼ିଶାର ସାମ୍ବାଦିକଙ୍କୁ ପ୍ରତିକ୍ରିୟା ନେବାକୁ ଆସୁଥିବା ଦେଖି କହିଥିଲେ, ‘ଓଡ଼ିଶା-ଆନ୍ଧ୍ରା ଭାଇ ଭାଇ’। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କୋଟିଆ ଲୋକଙ୍କୁ ଆନ୍ଧ୍ରସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବୁକ୍‌ ଲେଟ୍ ବଣ୍ଟା ଯାଇଛି। ଏଥିରେ ଆନ୍ଧ୍ର ସରକାର ଦେଉଥିବା ପେନସନ୍ ସୁବିଧା, ବାସଗୃହ, ରାସ୍ତା ଓ ଅନ୍ୟାନ୍ୟ ୨୬ଟି ସୁବିଧା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ସ୍ୱତନ୍ତ୍ର ଡ୍ରାଇଭରେ ଲୋକେ ଏହି ସୁବିଧା ନେବାକୁ ଚାହୁଁଛନ୍ତି ନା ନାହିଁ ପଚାରିବାକୁ ଆସିଛନ୍ତି। ଆମେ ଓଡ଼ିଶାର ଲୋକ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭଲପାଉ। ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବାପା ଭଳି ଭାବୁ। ଆମେ ତାଙ୍କ ସହ ଝଗଡ଼ା ନୁହେଁ, ବନ୍ଧୁତା କରିବାକୁ ଚାହୁଁଛୁ। ଏଠାକାର ଆଦିବାସୀ ଲୋକଙ୍କ ପାଇଁ ଆନ୍ଧ୍ର ସରକାର ଭଲ ପାଇବା ସ୍ୱରୁପ ସହାୟତା ଯୋଜନା ଦେବାକୁ ଚାହୁଁଛନ୍ତି।

ଏନେଇ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ି କହିଛନ୍ତି, ଆନ୍ଧ୍ର ସରକାରଙ୍କୁ ଲାଜ ନାହିଁ କି ସରମ ନାହିଁ। ଓଡ଼ିଶା ସରକାର କରିଥିବା କାମ ଉପରେ ଆନ୍ଧ୍ର ସରକାର ତାଙ୍କ ସଫଳତାର ଷ୍ଟିକର ମାରିଛନ୍ତି। ଏହା ନିନ୍ଦନୀୟ ଘଟଣା ଓ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଆନ୍ଧ୍ର ସରକାର ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପାଢ଼ି କହିଛନ୍ତି। ଏଥିସହ ସେ ଆନ୍ଧ୍ର ସରକାରଙ୍କୁ ଆହ୍ୱାନ ଦେଇ କୋଟିଆର ୩ ହଜାର ଲୋକଙ୍କୁ ଆବାସ ଯୋଜନାରେ ଘର ଦେଇକି ଦେଖାନ୍ତୁ, ତେବେ ଯାଇ କୋଟିଆ ପ୍ରତି ଆନ୍ଧ୍ରର ଦରଦ ଅଛି ବୋଲି ଆମେ ମାନିବୁ ବୋଲି ଗଣମାଧ୍ୟମ ଆଗରେ ସେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ସରକାରଙ୍କ ଆନ୍ତରିକତା ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

Kotia Issue Kotia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe