/odisha-reporter/media/post_attachments/uploadimage/library/16_9/16_9_0/IMAGE_1686570654.jpg)
Daggubati Purandeswari
ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଆଜି ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଥିବା ବିକାଶ କାର୍ଯ୍ୟ ଗୁଡ଼ିକର ପରିଦର୍ଶନ କରିଥିଲେ। ପରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କୋରାପୁଟ ଗସ୍ତରେ ଯାଇ ସୁଙ୍କିଠାରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ସେ ଦଳେଇଗୁଡ଼ା ଯାଇ ଜିଲ୍ଲାରେ ହେଉଥିବା ଭରତମାଳା ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ଡ଼ାଙ୍ଗଦେଉଲା ଗାଁକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଉଥିବା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଲୋକଙ୍କ ସହ ଆଲୋଚନା ବେଳେ କେନ୍ଦ୍ରୀୟ ଯୋଜନା କିପରି ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଛନ୍ତି, ତାହା ଦେଖି ସେ ଚକିତ ଓ ବିଚଳିତ ହୋଇଥିଲେ। ପରେ ଲୋକଙ୍କୁ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍, ଜନଧନ ଯୋଜନା ଓ ଚାଉଳ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଗ୍ରାମାଞ୍ଚଳରେ ଦେଖାଦେଇଥିବା ବାସ୍ତବ ସ୍ଥିତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ବୋଲି ସୂଚନା ଦେଇଛନ୍ତି।
ଡ଼ାଙ୍ଗଦେଉଲା ଗାଁରେ କାର୍ଯ୍ୟକ୍ରମ ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଡି. ପୁରନ୍ଦେଶ୍ୱରୀ ଜୟପୁର ନିକଟ ଫାମ୍ପୁଣିକୁ ଯାଇଥିଲେ। ସେଠାରେ ସେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରେ ସେ ବ୍ୟବସାୟୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତା’ପରେ ସେ କୋରାପୁଟ ଫେରିବାର କାର୍ଯ୍ୟକ୍ରମ ରହିଛି। ଡି. ପୁରନ୍ଦେଶ୍ୱରୀ କୋରାପୁଟରେ ରାତ୍ରୀ ଯାପନ କରିବାର ଯୋଜନା ରହିଛି। ମଙ୍ଗଳାବର ସେ ଲକ୍ଷ୍ମୀପୁରଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ରାୟଗଡା ଜିଲ୍ଲା ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।
ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
