Advertisment

କୋଟିଆରେ ଆନ୍ଧ୍ର ଅଫିସରଙ୍କୁ ଗୋ’ ବ୍ୟାକ୍‌ କହିଲେ କେନ୍ଦ୍ରମନ୍ତ୍ରୀ

‘ଅପାର ସମ୍ଭାବନାର ଅଞ୍ଚଳ କୋରାପୁଟର ଆମ୍ବ, ପଣସ, ମାଣ୍ଡିଆ, ଚାଉଳ ଓ କୁନ୍ଦୁଲି ହାଟରେ ମିଳୁଥିବା ପନିପରିବା ଏବଂ ଡାଲିର ସ୍ୱାଦ ଅନନ୍ୟ। ଏହିଭଳି କୃଷିଜାତ ସାମଗ୍ରୀର ପ୍ରଚାର ପ୍ରସାର କରିବା ଆମର ଦାୟିତ୍ୱ ହେଉ।’

ଅଦ୍ୟତନ ହୋଇଛି
Dharmendra

Dharmendra

Advertisment

ଆଜି ହେଉଛି ଉତ୍କଳ ଦିବସ। ଏହି ଦିନକୁ କୋଟିଆରେ ପାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ କୋଟିଆର ଫାଟୁସିନେରୀ ଗସ୍ତ ବେଳେ ସେଠାରେ ଡେରା ପକାଇଥିବା ଆନ୍ଧ୍ର ଅଫିସରଙ୍କୁ ଦେଖି ବର୍ଷିଥିଲେ ଧର୍ମେନ୍ଦ୍ର। ଆପଣମାନେ ଏଠାକୁ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ। ଏଠି ୨୧ଟି ଗାଁ ସେମାନଙ୍କର ବୋଲି ଆନ୍ଧ୍ର ଅଫିସରମାନେ କହିବାରୁ ତାଗିଦ କରିଥିଲେ ଧର୍ମେନ୍ଦ୍ର। ଏହା ଓଡ଼ିଶାର, ଆନ୍ଧ୍ର ଗୋ’ ବ୍ୟାକ୍‌... ବନ୍ଦେ ଉତ୍କଳ ଜନନୀ କହିଥିଲେ ଧର୍ମେନ୍ଦ୍ର।

Advertisment

ଫାଟୁସିନେରୀରେ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ନେଇ ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଲେଖିଛନ୍ତି, କୋଟିଆ ଏକ ଗ୍ରାମପୁଞ୍ଜ ନୁହେଁ। ବରଂ ଓଡ଼ିଶା ପ୍ରଦେଶର ଅସ୍ମିତା ଓ ଅଖଣ୍ଡତାର ପରିଚୟ। ଆଜି ‘ଉତ୍କଳ ଦିବସ’ ଅବସରରେ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସିନେରି ଗ୍ରାମବାସୀଙ୍କ ସହ ଆମର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ନିଜକୁ ଗୌରବାନ୍ୱିତ ମନେ କରୁଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‌ରେ ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, ସ୍ୱତନ୍ତ୍ର ପ୍ରଦେଶ ଗଠନରେ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବା ନାହିଁ । ଗଣତନ୍ତ୍ରରେ ମତ ଓ ବାଦ ବିବାଦ ଭିନ୍ନ ରହିବ। ମାତ୍ର ଆଜିର ଉତ୍କଳ ଦିବସ ପରି ଦିନରେ ଆମେ ସମସ୍ତେ ଦଳୀୟ ପ୍ରସଙ୍ଗ ଭିତ୍ତିରେ ନୁହେଁ, ବରଂ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ଟାଣିବା ଭଳି ସମସ୍ତେ ଏକାଠି ହେବାର ଦିନ। ଆନ୍ଧ୍ର ଯଦି ଆମର ମାଟି ମାଆ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଲୋଲୁପ ଦୃଷ୍ଟି ପକାଇବାକୁ ଚାହିଁବ, ତେବେ ଆମେ ଏହାର ବିରୋଧ କରିବା ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି।

Advertisment

ଶ୍ରୀ ପ୍ରଧାନ ଲେଖିଛନ୍ତି, ୨୦୨୩ ଏପ୍ରିଲ ୧ ତାରିଖଟି ମୋ’ ପାଇଁ ଅବିସ୍ମରଣୀୟ ଦିନ। ଆଜିର ଦିନ ବାଦ ବିବାଦର ଦିନ ନୁହେଁ, ବରଂ ସାଢେ ୪ କୋଟି ଓଡ଼ିଆଙ୍କ ଏକାଠି ହେବାର ଦିନ। ଓଡ଼ିଶାକୁ ବଡ଼ କରିବା ଓ ଓଡ଼ିଶା ପାଇଁ ବଡ଼ ସ୍ୱପ୍ନ ଦେଖିବାର ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ଅଣାଯାଇଛି। ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ କୋଟିଆ ଅଞ୍ଚଳର ସ୍ଥାନୀୟ କୁଇ ଭାଷା ସମେତ କୋରାପୁଟର ସ୍ଥାନୀୟ ଭାଷାରେ ପିଲାଙ୍କୁ ପାଠ ପଢାଇବା ପାଇଁ ଉଦ୍ୟମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଅପାର ସମ୍ଭାବନାର ଅଞ୍ଚଳ କୋରାପୁଟର ଆମ୍ବ, ପଣସ, ମାଣ୍ଡିଆ, ଚାଉଳ ଓ କୁନ୍ଦୁଲି ହାଟରେ ମିଳୁଥିବା ପନିପରିବା ଏବଂ ଡାଲିର ସ୍ୱାଦ ଅନନ୍ୟ। ଏହିଭଳି କୃଷିଜାତ ସାମଗ୍ରୀର ପ୍ରଚାର ପ୍ରସାର କରିବା ଆମର ଦାୟିତ୍ୱ ହେଉ। ଆଜି କୋଟିଆର ଫାଟୁସିନେରି ଥିବା ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ବେଳେ ସେମାନଙ୍କ ମନରେ ଡାକ୍ତର ଓ ଅଫିସର ହୋଇ ଲୋକଙ୍କ ସେବା କରିବାର ସ୍ୱପ୍ନ ଅଛି। ଆମର ଦାୟିତ୍ୱ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କଳ୍ପନା କରିବା ଏବଂ ଆମର ସୀମା ଓ ଭାଷାକୁ ସୁରକ୍ଷିତ ରଖିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉତ୍କଳ ଦିବସ କାର୍ଯ୍ୟକ୍ରମ ସରିବା ପରେ କେନ୍ଦ୍ରମନ୍ତ୍ରୀ କୋଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ତା’ପରେ କୋଟିଆ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

Bjp Dharmendra Pradhan Kotia Issue Kotia Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe