Advertisment

ଲକ୍ଷାଧିକ ଟଙ୍କା ଖାଇଗଲା ଡାକ ବିଭାଗ! ଅଫିସ୍‌ରେ ପଡ଼ିଛି ତାଲା

ଜମାକାରୀମାନେ ଏନେଇ ଅଭିଯୋଗ କରିବାରୁ ଡାକ ବିଭାଗ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଡାକ ବିଭାଗର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବୃନ୍ଦାବନ ଦଳେଇକୁ ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ରହିଛି।

author-image
Manoranjan Sial
Narayanpatna

Narayanpatna

ଉପଡାକ ଘରୁ ଲକ୍ଷାଧିକ ଟଙ୍କା ହଡପ୍‌ ଅଭିଯୋଗ। ନକଲି ପାସ୍‌ ବୁକ୍‌ ଦେଇ ଗରିବଙ୍କ ଟଙ୍କା ହଡପ୍‌ କରିନେଲେ ଡାକ କର୍ମଚାରୀ। ୧୪ ମାସ ପରେ ମଧ୍ୟ ଗରିବ ଜମାକାରୀଙ୍କୁ ମିଳିଲାନି ଟଙ୍କା। ତେଣୁ ସେମାନେ ଧାରଣାରେ ବସି ଛନ୍ତି। ପୋଷ୍ଟ ଅଫିସ୍‌ ଖୋଲିବାକୁ ଦେଉନାହାନ୍ତି। ଯେଉଁଥିପାଇଁ ଡାକ ଘରେ ପଡ଼ିଛି ତାଲା। ଏପରି ଚିତ୍ର ଆସିଛି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ।

Advertisment

କଷ୍ଟ ଉପାର୍ଜିତ ଟଙ୍କା ସୁରକ୍ଷିତ ରହିବ ବୋଲି ଭାବି ଗରିବ ଲୋକମାନେ ନାରାୟଣପାଟଣା ଉପଡାକ ଘରେ ଖାତା ଖୋଲି ଜମା ରଖିଥିଲେ। ହେଲେ ସେହି ଟଙ୍କା ହଡ୍‌ପ ହୋଇଥିବା ଅଭିଯୋଗ ହୋଇଛି। ଡାକ ବିଭାଗର କିଛି କର୍ମଚାରୀ ଏହି ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ୪୦ ଜଣ ଜମାକରୀଙ୍କର ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ନକଲି ପାସ୍‌ବୁକ୍‌ ଇସ୍ୟୁ କରି ଟଙ୍କା ହଡପ୍‌ ହୋଇଥିବା ଅଭିଯୋଗ ହୋଇଥିଲା।

କିଛି ମାସ ତଳେ ଜମାକାରୀମାନେ ଏନେଇ ଅଭିଯୋଗ କରିବାରୁ ଡାକ ବିଭାଗ ଥାନାରେ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଡାକ ବିଭାଗର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବୃନ୍ଦାବନ ଦଳେଇକୁ ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ରହିଛି। ଅନ୍ୟପକ୍ଷରେ ୧୪ ମାସ ଭିତରେ ଠକାମୀରେ ଶିକାର ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ଡାକ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ଇତି ମଧ୍ୟରେ ୧୪ ମାସ ବିତିଲାଣି।

Advertisment

ହେଲେ ଆଜି ପର୍ଯ୍ୟନ୍ତ ଜମାକରୀଙ୍କୁ ଟଙ୍କା ମିଳି ନାହିଁ। ଯାହାକୁ ନେଇ ଠକାମୀରେ ଶିକାର ହୋଇଥିବା ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଜମାକାରୀମାନେ ସୋମବାରଠାରୁ ନାରାୟଣପାଟଣା ଉପ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଏପରିକି ଅଫିସ୍‌ ଖୋଲିବାକୁ ଦେଉନାହାନ୍ତି। ଉପ ଡାକଘର କର୍ମଚାରୀମାନେ ଅଫିସ୍‌ ଭିତରକୁ ଯାଇନପାରି ଫେରୁଥିବା ଦେଖିବାକୁ ମିଳିଛି। ସେପଟେ ଆନ୍ଦୋଳନକାରୀମାନେ କହିଛନ୍ତି, ଜମା ଟଙ୍କା ଫେରି ନପାଇବା ପର୍ଯ୍ୟନ୍ତ ଧାରଣା ଦିଆଯିବ।

ଅନ୍ୟପକ୍ଷରେ ଡ଼ାକ ବିଭାଗର ପୋଷ୍ଟ ମାଷ୍ଟର ପ୍ରମୋଦ କୁମାର ସେଠୀ କହିଛନ୍ତି, ଜମାକାରୀ ଅଫିସ ଖୋଲିବାକୁ ଦେଉନାହାନ୍ତି। ଯାହାଫଳରେ ବନ୍ଦ କରିବାକୁ ପଡୁଛି। ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କ ସହ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୪୦ କିମି ଦୂରରୁ ନିଜର ଭତ୍ତା ପାଇଁ ଉପଡ଼ାକଘରକୁ ଆସି ବନ୍ଦ ଥିବାରୁ ଫେରିଯାଉଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି।

ରିପୋର୍ଟ-ନାରାୟଣପାଟଣାରୁ ପି.ଗୋବିନ୍ଦ ରାଜୁ ସୁବୁଦ୍ଧି

Fraud Koraput Postal Scam