Advertisment

ଆଉ ଜଣେ ଦାନ ମାଝି, ପତ୍ନୀଙ୍କ ଶବକୁ ବୋହିଲେ ୩୩ କିମି

ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା। ଏହାପରେ ସହାୟତା ପାଇଁ ଘୂରି ବୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Husband carried wifes body

Husband carried wifes body

କଳାହାଣ୍ଡି ଜିଲ୍ଲା ଦାନ ମାଝି ଘଟଣାର ପୁନରାବୃତ୍ତି ଘଟିଛି। ଏଥର ଆନ୍ଧ୍ରରେ ଏହି ଘଟଣା ଘଟିଥିବା ବେଳେ ପତ୍ନୀଙ୍କ ଶବ କାନ୍ଧରେ ବୋହିଥିବା ବ୍ୟକ୍ତି ଜଣଙ୍କ ଓଡ଼ିଆ। ଶବ ବାହାକ ଗାଡ଼ି ନ ମିଳିବାରୁ ସ୍ତ୍ରୀର ମୃତଦେହକୁ ପ୍ରାୟ ୩୩ କିଲୋମିଟର ବୋହି ଆଣିବାପରେ ଏହି ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୁଲିସ ନଜରକୁ ଆସିଥିଲା। ଆନ୍ଧ୍ର ପୁଲିସ ମାନବିକତା ଦେଖାଇବା ସହିତ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ଶବ ପଠାଇବା ବ୍ୟବସ୍ଥା କରିଥିଲା।

Advertisment

ଏହି ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଗୁରୁ। ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଗୁରୁ ପତ୍ନୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବିଶାଖାପାଟଣାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ପତ୍ନୀଙ୍କ ଅକାଳ ବିୟୋଗ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଗୁରୁ ଶେଷକୃତ୍ୟ ପାଇଁ ଶବ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ।

Advertisment

ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା। ଏହାପରେ ସହାୟତା ପାଇଁ ଘୂରି ବୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିଥିଲେ। ତଥାପି କେହି ସହାୟତା ପାଇଁ ଆଗେଇ ଆସିନଥିଲେ। ଏପଟେ ପତ୍ନୀଙ୍କ ଚିକିତ୍ସା ବାବଦରେ ସମସ୍ତ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ଗାଡ଼ି ଭଡ଼ା କରି ନେବାକୁ ପକେଟ୍‌ରେ ଆଦୌ ଟଙ୍କା ନଥିଲା।

ରାଜ୍ୟ ବାହାରେ ଅସହାୟ ଅବସ୍ଥାରେ ରହିଥିବା ଗୁରୁ ଶେଷରେ ପତ୍ନୀଙ୍କୁ କାନ୍ଧରେ ବୋହି ଗାଁ ପର୍ଯ୍ୟନ୍ତ ଯିବାକୁ ସ୍ଥିର କରିଥିଲେ। ଡାକ୍ତରଖାନାରୁ ପତ୍ନୀଙ୍କ ଶବ କାନ୍ଧରେ ପକାଇ ଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ଜାତୀୟ ରାଜପଥରେ ଚାଲିଚାଲି ଯିବା ମଧ୍ୟରେ ଅନେକ ଲୋକ ଏହି ଅଭାବନୀୟ ଦୃଶ୍ୟ ଦେଖି ଚକିତ ହୋଇଥିଲେ। ହେଲେ କେହି ସହାୟତାର ହାତ ବଢ଼ାଇନଥିଲେ।

ପତ୍ନୀଙ୍କ ଶବକୁ କାନ୍ଧେଇ କାନ୍ଧେଇ ଗୁରୁ  ପ୍ରାୟ ୩୩କିଲୋମିଟର ଚାଲିବା ପରେ ବିଜୟନଗର ନିକଟରେ କିଛି ଲୋକ ସ୍ଥାନୀୟ ପୁଲିସକୁ ‌ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୁରୁଙ୍କୁ ପଚରାଉଚରା କରିଥିଲା। ଟଙ୍କା ଅଭାବରୁ ଗାଡ଼ି ନପାଇ ପତ୍ନୀଙ୍କ ଶବ କାନ୍ଧେଇ ନେଉଥିବା ଜାଣିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୁଲିସ ସହାୟତାର ହାତ ବଢ଼ାଇଥିଲେ। ତୁରନ୍ତ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁକୁ ଶବ ପଠାଇବା ବ୍ୟବସ୍ଥା କରିଥିଲା।

ସୂଚନାଯୋଗ୍ୟ, ୬ ବର୍ଷ ତଳେ କଳାହାଣ୍ଡି ଜିଲ୍ଲାରେ ଦାନ ମାଝି ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହିବା ଘଟଣା ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଥିଲା।

Deadbody Koraput