/odisha-reporter/media/post_attachments/uploadimage/library/16_9/16_9_0/Koraput_1687433115.jpeg)
Koraput
ପାସେଞ୍ଜର ଟ୍ରେନ୍ରୁ ଧରାପଡ଼ିଲା ନକଲି ଟିଟିଇ (ଟ୍ରାଭଲିଂ ଟିକେଟ୍ ଏଗ୍ଜାମିନର)। କୋରାପୁଟ୍ରୁ ଆସିଛି ଏପରି ଖବର। ନକଲି ଟିଟିଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଳବାଇ ପୁଲିସ୍।
ଛତିଶଗଡ଼ କୋୟାପାଲି ଗାଁର ବୁଦୁରି ନାଗ ଜଣେ ବେକାର ଯୁବକ। ବିଶାଖାପାଟଣାରେ ସେ ଏକ କାଠ ଡିପୋରେ କାମ କରୁଥିଲା। ପରବର୍ତ୍ତୀ ସମୟରେ ଲୋକଙ୍କୁ ଠକିବା ଭଳି ପେଶାକୁ ଆପଣାଇ ନେଇଥିଲା। ନିୟମିତ ନକଲି ଟିଟି ବେଶ୍ରେ ଲୋକାଲ୍ ଟ୍ରେନ୍ରେ ଚଢ଼ୁଥିଲା। ଆଉ ଯାତ୍ରୀଙ୍କ ଟିକଟ ଯାଞ୍ଚ କରୁଥିଲା। ଯାହା ପାଖରେ ଟିକଟ ନଥିଲା, ତାଙ୍କୁ ମୋଟା ଅଙ୍କର ଫାଇନ୍ କରୁଥିଲା। ଅଭିଯୋଗ ଅନୁସାରେ ବୁଦୁରି ବୁଧବାର କୋରାପୁଟ୍-ବିଶାଖାପାଟଣା ପାସେଞ୍ଜରରେ ଚଢ଼ିଥିଲା। ଟିକଟ କରିଥିବା ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ କରି କରି ରାଉଳି ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ସେ ଟ୍ରେନ୍ରୁ ଓହ୍ଲାଇଥିଲା। ସେ ପୁଣି ଥରେ ରାଉଳି ଷ୍ଟେସନ୍ରୁ ବିଶାଖାପାଟଣା- କୋରାପୁଟ୍ ପାସେଞ୍ଜରରେ ଚଢ଼ିଥିଲା।
ତେବେ ଲକ୍ଷ୍ମୀପୁର ଷ୍ଟେସନ୍ ପୂର୍ବରୁ ବୁଦୁରି ଟ୍ରେନ୍ ଭିତରେ ଟିକଟ ଯାଞ୍ଚ କରୁଥିବା ବେଳେ ଆର୍ପିଏଫ୍ ନଜରରେ ପଡ଼ିଥିଲା। ବୁଦୁରି ପିନ୍ଧିଥିବା ଟିଟିଇ ୟୁନିଫର୍ମକୁ ନେଇ ସନ୍ଦେହ ହୋଇଥିଲା। ପରେ ଆରପିଏଫ୍ ତାକୁ ଧରି କୋରାପୁଟ ରେଳବାଇ ପୁଲିସକୁ ହସ୍ତାନ୍ତର କରିଥିଲା। ପୁଲିସ୍ ତାକୁ ଘନଘନ ଜେରା କରିଥିଲା। ଜେରା ବେଳେ ସବୁ ସତ ଓଗାଳିଥିଲା ବୁଦୁରି। ପରେ ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
