ପ୍ରାପ୍ୟ ମାଗିବାରୁ ନିର୍ଧୂମ ମାଡ଼, ୧୧ଶହ କିମି ଚାଲିଲେ ଦାଦନ ଶ୍ରମିକ

ଗାଁରେ କାମ ନ ମିଳିବାରୁ କଳାହାଣ୍ଡି ଜିଲ୍ଲାରୁ ସୁଦୂର ବେଙ୍ଗାଲୁରୁ ଗୋଡ଼ କାଢ଼ିଲେ ୩ ଶ୍ରମିକ। ସେଠାରେ କାମ ମିଳିଲା, ହେଲେ ମିଳିଲାନି ଟଙ୍କା ।

ବେଙ୍ଗାଲୁରୁରୁ ଚାଲି ଚାଲି ଫେରିଥିବା ଦାଦନ ଶ୍ରମିକ।

  • Published: Monday, 03 April 2023
  • , Updated: 03 April 2023, 03:01 PM IST

ଗାଁରେ ମିଳିଲାନି ଏମଜିଏନଆରଇଜିଏସ୍‌ କାମ । ବିଲ ବାଡ଼ି ବି ନାହିଁ। ତେଣୁ ପେଟ ପୋଷିବାକୁ କଳାହାଣ୍ଡି ଜିଲ୍ଲାରୁ ସୁଦୂର ବେଙ୍ଗାଲୁରୁକୁ ଗୋଡ଼ କାଢ଼ିଲେ। ସେଠାରେ କାମ କରି କିଛି ରୋଜଗାର କରି ପରିବାର ପେଟ ପୋଷିବେ ବୋଲି ଭାବିଥିଲେ। ମାତ୍ର ୬ ମାସରେ ନିର୍ଯାତନା ଅସହ୍ୟ ହେଲା। ଠିକାଦାରଙ୍କୁ ଟଙ୍କା ମାଗିବାରୁ ସେ ନିର୍ଧୂମ ପିଟିଲେ। ଫଳରେ ପାଖରେ ଟଙ୍କାଟେ ନ ଥିବା ବେଳେ ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ରାତାରାତି କମ୍ପାନୀରୁ ଲୁଚି ଚାଲିବା ଆରମ୍ଭ କଲେ ୩ ଶ୍ରମିକ। ପ୍ରାୟ ୮ ଦିନରେ ୧୧ଶହ କିମି ଅତିକ୍ରମ କରିବା ପରେ ଉକ୍ତ ୩ ଦାଦନ ଶ୍ରମିକଙ୍କୁ କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରି ସେମାନଙ୍କ ଗାଁକୁ ପଠାଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟାଙ୍ଗିରେ ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ତିନି ଜଣ ବ୍ୟକ୍ତି ଗାଁରେ କାମ ନ ପାଇବାରୁ ବାହାରକୁ ଯିବାକଚୁ ମନସ୍ଥ କରିଥିଲେ। ବାଲୁଗାଁର ରାମକୃଷ୍ଣ ପ୍ରଧାନ ନାମକ ଠିକାଦାର ଜରିଆରେ ଜୟପାଟଣା ଅଞ୍ଚଳର ପ୍ରାୟ ୧୨ ଜଣ ବେଙ୍ଗାଲୁରୁ ଯାଇ ଏକ କମ୍ପାନୀରେ କାମ କଲେ। କାମ କରିବାର ପ୍ରାୟ ୬ ମାସ ପରେ ଏହି ୩ ଶ୍ରମିକ ଠିକାଦାରଙ୍କୁ ସେମାନଙ୍କ ପ୍ରାପ୍ୟ ମାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ଠିକାଦାର ସେମାନଙ୍କୁ ନିର୍ଧୂମ ପିଟିଥିଲେ।

ଏଥିରେ ଭୟଭୀତ ହୋଇ ତିନି ଶ୍ରମିକ ଦିନେ ରାତିରେ ସୁଯୋଗ ଦେଖି କମ୍ପାନୀରୁ ଲୁଚି ଖସି ଆସିଲେ। ପାଖରେ ଟଙ୍କା ନ ଥିବାରୁ ସେମାନେ ଚାଲି ଚାଲି ଗାଁକୁ ଯିବାକୁ ସ୍ଥିର କଲେ। ବାଟରେ ଯଦି କେଉଁଠୁ କିଛି ମିଳିଲା ଖାଇଲେ, ନଚେତ ଖାଲି ପେଟରେ ପାଦ ଆଗକୁ ବଢ଼ାଇବାକୁ ଲାଗିଲେ। ହାଲିଆ ହୋଇଗଲେ ଗଛ ମୂଳ ଦେଖି ଶୋଇ ପଡ଼ୁଥିଲେ ଓ ପୁଣି ଉଠି ଚାଲୁଥିଲେ। ୮ ଦିନରେ ସେମାନେ ପ୍ରାୟ ୧୧ଶହ କିମି ଅତିକ୍ରମ କରି ଗତକାଲି କୋରାପୁଟ ଜିଲ୍ଲା ପଟାଙ୍ଗୀରେ ପହଞ୍ଚିଥିଲେ।

ସେଠାରେ କିଛି ସ୍ୱେଚ୍ଛାସେବୀ ଓ ଟ୍ରକ୍‌ ମାଲିକ ସଂଘ ସେମାନଙ୍କୁ ପଚରାଉଚରା କରିବାରୁ ସେମାନେ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ସେମାନେ ଉକ୍ତ ଶ୍ରମିକମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରି ଏକ ଟ୍ରକ୍‌ରେ ଜୟପାଟଣା ଯିବା ବ୍ୟବସ୍ଥା କରିଥିଲେ। 

ଗାଁରେ କାମ ମିଳୁ ନ ଥିବାରୁ ଆମେ ବାହାରକୁ ଯିବାକୁ ବାଧ୍ୟ ହେଉଛୁ। ହେଲେ ସେଠିବି ଟଙ୍କା ନାଁ ଧରିଲେ ମାଡ଼ ମିଳୁଛି ବୋଲି ଏହି ଶ୍ରମିକମାନେ କ୍ଷୋଭର ସହ କହିଛନ୍ତି।

Related story