କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଉପରେ ଏବେ ଆନ୍ଧ୍ରର ଦୃଷ୍ଟି ପଡ଼ିଛି। କୋଟିଆ ତେନ୍ତୁଳି କିଣିବାକୁ ରାଜ୍ୟ ସରକାରଙ୍କ ଯୋଜନା କିମ୍ବା ଆଗ୍ରହ ନାହିଁ। ଏହାର ଫାଇଦା ନେଉଛନ୍ତି ଆନ୍ଧ୍ର ସାହୁକାର। କୋଟିଆ ଆଦିବାସୀଙ୍କ ଠାରୁ ସାଗମାଛ ଦରରେ ତେନ୍ତୁଳି କିଣି ନେଇ ସେମାନେ ମାଲେମାଲ ହେଉଛନ୍ତି। ଫଳତଃ ଆଦିବାସୀମାନଙ୍କ ଆର୍ଥିକ ଉନ୍ନତି ହୋଇପାରୁନି। ସେମାନେ ଯେଉଁ ଗରିବ, ସେହି ଗରିବ ହୋଇ ରହିଛନ୍ତି।
କୋଟିଆ ବାସିନ୍ଦା ଜଙ୍ଗଲ, ପାହାଡ, ନଦୀ, ନାଳ ଉପରେ ଭରସା କରି ଜୀବନଯାପନ କରନ୍ତି। ଜଙ୍ଗଲରୁ ସଂଗ୍ରହ କରି ଆଣୁଥିବା ବିଭିନ୍ନ ଜିନିଷକୁ ବିକ୍ରି କରି ପରିବାର ଚଳାନ୍ତି। ଯାହା ଭିତରୁ ତେନ୍ତୁଳି ଅନ୍ୟତମ। ତେନ୍ତୁଳି ସଂଗ୍ରହ କରିବା ପରେ ଏହାକୁ ଶୁଖାଇବା, ଚୋପା ଛଡ଼ାଇବା ଓ ମଞ୍ଜି ବାହାର କରିବା ନିମନ୍ତେ ବହୁ ପରିଶ୍ରମ କରିଥାନ୍ତି। ହେଲେ ଆନ୍ଧ୍ର ସାହୁକାର ଏଠାକାର ଆଦିବାସୀ ପରିବାରଙ୍କ ଘର ଦୁଆରେ ଗାଡ଼ି ଲଗାଇ ତେନ୍ତୁଳି କେଜି ପିଛା ମାତ୍ର ୨୦ରୁ ୨୫ ଟଙ୍କାରେ ନେଉଛନ୍ତି।
ଏହି ଜଙ୍ଗଲଜାତ ଜିନିଷ କିଣିବା ନିମନ୍ତେ ଓଡ଼ିଶା ସରକାର ଦୃଷ୍ଟି ଦେଉନାହାନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି, ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉନାହାନ୍ତି। ଏଭଳି ପରିସ୍ଥିତିରେ ଆନ୍ଧ୍ର ଭରସାରେ କୋଟିଆବାସୀ ଥିବା ଅଭିଯୋଗ କରିଛନ୍ତି।
ଏନେଇ ଗ୍ରାମବାସୀ ଅନ୍ତ ତାଡିଙ୍ଗୀ, ଜଡ଼ନା ଖୋରା, ଜିମେଲ ସିଙ୍ଗନା କହିଛନ୍ତି, ଜଙ୍ଗଲରୁ ପ୍ରଚୁର ତେନ୍ତୁଳି ଅମଳ ହେଉଛି ସତ, ଘରେ ଘରେ ତେନ୍ତୁଳିର ଆବଶ୍ୟକତା ଓ ଚାହିଦା ଅଛି ସତ, କିନ୍ତୁ ଚାଷୀଙ୍କ ପାଇଁ ବିକ୍ରି କରିବାର କୌଣସି ବଜାର ସୁବିଧା ନାହିଁ। ତେନ୍ତୁଳିର ସର୍ବନିମ୍ନ ଦର ଧାର୍ଯ୍ୟ କରିବା କିମ୍ବା ପ୍ରକ୍ରିୟା କରଣ କରି ତେନ୍ତୁଳିର ବିଭିନ୍ନ ଜିନିଷ ପ୍ରସ୍ତୁତି କରିବାର ବ୍ୟବସ୍ଥା ନାହିଁ। ଯାହାର ଫାଇଦା ପଡୋଶୀ ଆନ୍ଧ୍ର ପ୍ରଦେଶ ଅଞ୍ଚଳର ସାହୁକାରମାନେ ନେଉଛନ୍ତି।
ସାମାଜିକ କର୍ମୀ ରଞ୍ଜିତ୍ ପାଙ୍ଗୀ କହିଛନ୍ତି, ତେନ୍ତୁଳିକୁ ଖଟା ଓ ଅନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଆଦିବାସୀଙ୍କ ଠାରୁ ଏହା କିଣି ସଂରକ୍ଷଣ ବ୍ୟବସ୍ଥା ସହ ବଜାରରେ ବିକ୍ରି ନିମନ୍ତେ ଶିଳ୍ପ କରାଗଲେ ଏହାର ଲାଭ ସମସ୍ତେ ପାଇପାରନ୍ତେ। ହେଲେ ଏହା ହେଉନି।
ଜିଲା ପରିଷଦ ସଦସ୍ୟା ଟିକାଇ ଜିମେଲ ଓ ସରପଞ୍ଚ ଲିୟୁ ଜିମେଲ କହିଛନ୍ତି, ସରକାର ଏଠାକାର ବାସିନ୍ଦାଙ୍କ ଠାରୁ ଜଙ୍ଗଲଜାତ ଜିନିଷ କିଣିବାକୁ ଆଗ୍ରହ ଦେଖାଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଏହା ପ୍ରତି ଗୁରୁତ୍ୱଦେବା ଉଚିତ୍।
କୋରାପୁଟ ଜିଲ୍ଲା କାପକୋ ଶାଖାର ଦାୟିତ୍ୱରେ ଥିବା ପରିଚାଳକ ସୁଶାନ୍ତ ପଟ୍ଟନାୟକ କହିଛନ୍ତି, ବର୍ତମାନ ସୁଦ୍ଧା କୋଟିଆରୁ ତେନ୍ତୁଳି କିଣାବିକା ପାଇଁ ରାଜ୍ୟ ସ୍ତରରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ତେଣୁ ବିଭାଗ ତରଫରୁ ଏଥିପାଇଁ ପଦକ୍ଷେପ ନିଆଯାଇ ପାରୁନି। ଏବାବଦରେ ଆଗକୁ ପଦକ୍ଷେପ ନିଆଯିବ।
ସୂଚନା ଥାଉକି, ଆନ୍ଧ୍ର ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗର ଲଘୁ ବନଜାତ ଦ୍ରବ୍ୟ କିଣାବିକା କରିବାକୁ ଏକ ସ୍ୱତନ୍ତ୍ର ଦୋକାନ ଘର କରାଯାଇଛି। ଏଥିସହ ବାଉଁଶ, ତେନ୍ତୁଳି, ହଳଦୀ, ଖଜୁରୀ ବରଡ଼ା ପ୍ରଭୃତି ବନଜାତ ଜିନିଷ ବ୍ୟବହାର କରି କୁଟୀର ଶିଳ୍ପ ଚଳାଇବାର ତାଲିମ ଦିଆଯାଉଛି। ଯାହା ପ୍ରତି କୋଟିଆ ଲୋକେ ଆକର୍ଷିତ ହେଉଛନ୍ତି।
ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା