Advertisment

ଯନ୍ତ୍ରଣା ଥିଲା, ରହିଛି; ବାସ୍‌ ବଦଳିଛି ରୂପ, ବେସାହାରା ହୋଇପଡ଼ିଛନ୍ତି ସିରମେ

ଯୌବନର ଚଞ୍ଚଳ ମନ କିନ୍ତୁ ତାଙ୍କୁ ବଣ ଜଙ୍ଗଲ ଭିତରେ ସୀମିତ କରି ରଖିପାରିନଥିଲା। ଆଉ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ସେ ୨୦୧୩ ମସିହାରେ ଆତ୍ମସମର୍ପଣ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Koraput

Koraput

ଆଦ୍ୟ ଯୌବନରେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ହେଲେ ବେଶୀ ଦିନ ସଙ୍ଗଠନରେ ରହିପାରିଲେ ନାହିଁ। ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ ସିରମେ ମାଣ୍ଡିଙ୍ଗି। ଘରକୁ ଫେରିବା ପରେ ବାହା ହୋଇ ସ୍ୱାମୀଙ୍କ ସହିତ ସଂସାର ଗଢ଼ିଥିଲେ। ହେଲେ ଅଧା ରାସ୍ତାରେ ହାତ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ସାତ ଜନମର ସାଥୀ। ଏବେ ସ୍ୱାମୀଙ୍କ ସନ୍ତକକୁ ହାତରେ ଦୁଃଖ ଯନ୍ତ୍ରଣାରେ ଜୀବନ ଜିଉଛନ୍ତି କୋରାପୁଟ ଜିଲ୍ଲାର ସିରମେ ମାଣ୍ଡିଙ୍ଗି।

Advertisment

ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ପାଚିଙ୍ଗି ଗାଁର ସିରମେ ମାଣ୍ଡିଙ୍ଗି। ସେ ଶ୍ରୀକାକୁଲମ୍‌ ଡିଭିଜନ୍‌ ନକ୍ସଲ ସଙ୍ଗଠନରେ ସାମିଲ୍‌ ହୋଇଥିଲେ। ନକ୍ସଲଙ୍କ ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ୍‌ କରିଥିଲେ। ଆଉ ମୁଖିଆଙ୍କ ଆଗରେ ନିଜକୁ ପ୍ରମାଣିତ କରିଥିଲେ। ଲାଲଗଡ଼ରେ କାୟା ବିସ୍ତାର କରିଚାଲି ଥିଲେ ସିରମେ।  

ଯୌବନର ଚଞ୍ଚଳ ମନ କିନ୍ତୁ ତାଙ୍କୁ ବଣ ଜଙ୍ଗଲ ଭିତରେ ସୀମିତ କରି ରଖିପାରିନଥିଲା। ଆଉ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ସେ ୨୦୧୩ ମସିହାରେ ଆତ୍ମସମର୍ପଣ କରିଥିଲେ। ସେତେବେଳେ ତାଙ୍କୁ ଲକ୍ଷେ ଟଙ୍କା ମିଳିଥିଲା। ଆବାସ ଯୋଜନାରେ ଘର ମିଳିବ ବୋଲି କୁହାଯାଇଥିଲା। ପ୍ରତିଶ୍ରୁତି ମୁତାବକ ଜିଲ୍ଲା ପ୍ରଶାସନ ତାଙ୍କୁ ଲକ୍ଷେ ଟଙ୍କା ମଧ୍ୟ ଦେଇଥିଲା। ହେଲେ ଘର ପାଇଁ ଅର୍ଥ ଦେଇନଥିଲା।

Advertisment
Koraputପିଲାକୁ କାଖେଇ ଘର ଆଗରେ ଛିଡ଼ା ହୋଇଛନ୍ତି ସିରମେ

ଆତ୍ମସମର୍ପଣ ପରେ ସିରମେ ବିବାହ କରିଥିଲେ। ବିବାହ ପରେ ଶାଶୁ ଘରକୁ ଚାଲି ଯାଇଥିଲେ। ସ୍ୱାମୀଙ୍କ ସହିତ ସଂସାର ଗଢ଼ିଥିଲେ ସିରମେ। ସ୍ୱାମୀ କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ ପରିବାର। ଘରର ଚାରି କାନ୍ଥ ଭିତରେ ନିଜକୁ ଗଢ଼ୁଥିଲେ। ଆଉ ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଦେଖୁଥିଲେ। ବେଶ୍‌ ହସଖୁସିରେ ଚାଲିଥିଲା ପରିବାର। ତେବେ ହଠାତ୍‌ ଏହି ପରିବାର ଉପରେ ପଡ଼ିଲା କାହା ନଜର। ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ ଦିନ ତଳେ ଆଖି ବୁଜିଲେ ସିରମେଙ୍କ ସ୍ୱାମୀ।

ସ୍ୱାମୀଙ୍କ ଦେହାନ୍ତ ପରେ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି ସିରମେ। ନିଜର ଘର ନଥିବାରୁ ଦୁଇ ବର୍ଷର ପିଲାକୁ ଧରି ସେ ଏବେ ନିଜ ଭାଇଙ୍କ ଘରେ ଆଶ୍ରୟ ନେଉଛନ୍ତି। ଜଙ୍ଗଲରୁ କାଠ ଓ ତେନ୍ତୁଳି ସଂଗ୍ରହ କରି ଚଳୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ସିରମେ। ତେବେ ଏନେଇ ଜିଲ୍ଲା ପ୍ରଶାସନ ବା ପୁଲିସ୍‌ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ନାରାୟଣପାଟଣାରୁ ଗୋବିନ୍ଦ ରାଜୁ ସୁବୁଦ୍ଧି

Naxal Koraput