Advertisment

ରାଜ୍ୟ ପାଇଁ କଳଙ୍କ; ଡକାୟତି ଗ୍ୟାଙ୍ଗରେ ପୁଲିସ ଓ ରାଜନେତା

ଗତକାଲି ଆନ୍ଧ୍ରର ୨ ଜଣ ଯୁବକ ପାୱାର ଟିଲର କିଣିବାକୁ ଚିଟି ବାବୁ ଓ ବିଶୋଇ ଭିମଧର ବାଇକରେ ଜୟପୁର ଆସୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Arrested

Arrested

ଡକାୟତି ଗ୍ୟାଙ୍ଗରେ ପୁଲିସ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟା ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ ଜଣେ ଗ୍ରାମରକ୍ଷୀ, ୨ଜଣ ହୋମଗାର୍ଡ ଓ ଜଣେ ପୂର୍ବତନ ସମିତି ସଭ୍ୟଙ୍କୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କୋରାପୁଟ ଜିଲ୍ଲା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ଏସଡିପିଓ କହିଛନ୍ତି, କୋରାପୁଟ ଜିଲ୍ଲା ପାଡୁଆ ଥାନା ପୁଲିସକୁ ସଫଳତା ମିଳିଛି। ସବୁଠୁ ବଡ଼ କଥା ହେଲା, ପାଡୁଆ ଥାନାରେ କାର୍ଯ୍ୟରତ  ଜଣେ ଗ୍ରାମରକ୍ଷୀ, ୨ଜଣ ହୋମଗାର୍ଡ ଓ ଜଣେ ପୂର୍ବତନ ସମିତି ସଭ୍ୟ ଏହି ଡକାୟତି ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛନ୍ତି ପୂର୍ବତନ ସମିତିସଭ୍ୟ।

ସେ ଆହୁରି କହିଛନ୍ତି ଯେ, ଗତକାଲି ଆନ୍ଧ୍ରର ୨ ଜଣ ଯୁବକ ଚିଟି ବାବୁ ଓ ବିଶୋଇ ଭିମଧର ପାୱାର ଟିଲର କିଣିବାକୁ ବାଇକରେ ଜୟପୁର ଆସୁଥିଲେ। ଏହି ସମୟରେ କୁଲାରସିଂର ପୂର୍ବତନ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ଗୁଣ୍ଠା, ବିଲେଇ ଝୋଲା ଗାଁର ମାଣିକ ଗୁଣ୍ଠା, ପାଡୁଆ ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ନୀଳକଣ୍ଠ ପାଙ୍ଗି, ହୋମଗାର୍ଡ ଡ଼ମ୍ବୁରୁ ଧର ମାଝୀ ଓ ଅର୍ଜୁନ ପାଙ୍ଗୀ କାର୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ୫ଜଣ କାର୍‌ରୁ ଓହ୍ଲାଇ ଆସି ଟଙ୍କା ବ୍ୟାଗ ଦେବାକୁ କହିଥିଲେ। ଚିଟି ଓ ବିଶୋଇ ଟଙ୍କା ବ୍ୟାଗ ଦେବାକୁ ଅରାଜି ହେବାରୁ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପରେ ତାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ସେହି ବ୍ୟାଗରେ ୧ଲକ୍ଷ ୧୫ହଜାର ଟଙ୍କା ଥିଲା। ଏନେଇ ଚିଟି ଓ ବିଶୋଇ ପାଡୁଆ ଥାନାରେ ଅଭିଯୋଗ କରିଥିଲେ। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଓ ପାଡୁଆ ପୁଲିସ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଗାଡ଼ିମୋଟର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ  ପୁଲିସ ଡକାୟତରେ ବ୍ୟବହୃତ କାରକୁ ଠାବ କରିବା ସହ ୫ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ପରେ ସେମାନଙ୍କ ପାଖରୁ ନଗଦ ୮୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍ ଓ ଡ଼କାୟତିରେ ବ୍ୟବହୃତ କାରକୁ ଜବତ କରିଥିଲା।

Advertisment

 ଏହି ୫ଜଣଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିବା ଏସଡିପିଓ ସୂଚନା ଦେଇଛନ୍ତି। 

Odisha Police Koraput