/odisha-reporter/media/post_attachments/uploadimage/library/16_9/16_9_0/student_1688196700.jpg)
student
ଅନ୍ଧାରୀ ନଦୀ ପାଇଁ ୪୦ବର୍ଷ ହେଲା ଅନ୍ଧାର ରହିଯାଇଛି ଶିସକୁଢି ଗ୍ରାମବାସୀଙ୍କ ଭବିଷ୍ୟତ। ଗାଁ ଦେଇ ବୋହିଯାଇଥିବା ଅନ୍ଧାରୀ ନଦୀ ଉପରେ ପୋଲଟିଏ ନ ଥିବାରୁ ପଥର ବନ୍ଧ କରି ବିପଦ ସଙ୍କୁଳ ଅବସ୍ଥାରେ ବର୍ଷବର୍ଷ ହେଲା ନଦୀ ପାର ହେଉଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଶିସକୁଢି ଗାଁରେ।
ଶିସକୁଢି ଗାଁରେ ଆଦିବାସୀ ଓ ପାଇକ ସମ୍ପ୍ରଦାୟର ୪୫ ପରିବାର ବସବାସ କରନ୍ତି। ଗାଁ ନିକଟ ଦେଇ ବୋହିଯାଇଥିବା ଅନ୍ଧାରୀ ନଦୀ ପାର ହୋଇ ପ୍ରତିଦିନ ଶହଶହ ଗ୍ରାମବାସୀ ବଜାର ହାଟକୁ ଯାଇଥାନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ନଦୀ ପାର ହୋଇ ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ଯାଇଥାନ୍ତି। ନଦୀ ଆରପଟେ ସ୍କୁଲ, କଲେଜ, ବଜାର, ପଞ୍ଚାୟତ ଅଫିସ ଓ ବ୍ଲକ୍ ଅଫିସ ଥିବାରୁ ଗ୍ରାମବାସୀ ପ୍ରତିଦିନ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ। ହେଲେ ନଦୀରେ ପୋଲ ନଥିବାରୁ ଲୋକେ ପଥର ବନ୍ଧ ଉପରେ ଚଢ଼ି ନଦୀ ପାର ହୋଇଯାଇଥାନ୍ତି। ଅନ୍ଧାରୀ ନଦୀରେ ସ୍ଥାୟୀ ପୋଲ ନଥିବାରୁ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସଟି ଆସିପାରେ ନାହିଁ। ଗର୍ଭବତୀଙ୍କୁ ଭାରରେ ବୋହି ନଦୀ ପାର କରିଥାନ୍ତି ଗ୍ରାମବାସୀ।
ଖରା ଓ ଶୀତ ଦିନ କଥା ଅଲଗା। କିନ୍ତୁ ବର୍ଷା ଦିନେ ଗ୍ରାମବାସୀ ଭାରି ହଇରାଣ ହୁଅନ୍ତି। ବର୍ଷା ଦିନରେ ନଦୀରେ ବଢ଼ି ଆସିଲେ ଶିସକୁଢି ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଯାହାଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଇଥା’ନ୍ତି। ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳିନାହିଁ। ଆଜି ପର୍ଯ୍ୟନ୍ତ ଅନ୍ଧାରୀ ନଦୀ ଉପରେ ପୋଲଟି ନିର୍ମାଣ ହୋଇପାରି ନାହିଁ।
ନଦୀ ପାର ହୋଇଯାଉଛନ୍ତି ଗ୍ରାମବାସୀଶିସକୁଢି ଗାଁର ଜଣେ ଗ୍ରାମବାସୀ କହିଛନ୍ତି, ପୋଲଟି ନଥିବାରୁ ଆମେ ଅସୁବିଧାର ସମ୍ମୁଖୀନ ହେଉଛି। ପୋଲଟିଏ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ,ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଛୁ, ହେଲେ କୌଣସି ସୁଫଳ ମିଳିନାହିଁ।
ଦଶମନନ୍ତପୁର ବିଡ଼ିଓ ଡମ୍ବୁର ଧର ମଲ୍ଲିକ କହିଛନ୍ତି, ୨୦୧୯- ୨୦ରେ ଏହି ପୋଲ ପାଇଁ ୩୦ ଲକ୍ଷ ଟଙ୍କା ଅଟକଳ ହୋଇଥିଲା। ଯେତିକି ଟଙ୍କା ଅଟକଳ ହୋଇଥିଲା ସେତିକି ଟଙ୍କା ପୋଲ ନିର୍ମାଣ ହୋଇ ପାରି ନଥାନ୍ତା। ପୋଲ ନିର୍ମାଣ ପାଇଁ ୪୦ ଲକ୍ଷ ଟଙ୍କା ଆବଶ୍ୟକ। ପୁଣି ଥରେ ଟଙ୍କା ଅଟକଳ କରାଯାଇ ଯଥାଶୀଘ୍ର ପୋଲ ନିର୍ମାଣ କରାଯିବ।
କେବେ ଅନ୍ଧାରୀ ନଦୀରେ ପୋଲଟି ଏ ନିର୍ମାଣ ହେବ, କେବେ ଗ୍ରାମବାସୀ ଜୀବନରୁ ଅନ୍ଧାର ଦୂର ହୋଇ ଆଲୋକ ଦୀପ ଜଳିବ ଚାତକ ହୋଇ ଅନାଇ ବସିଛନ୍ତି ଶିସକୁଢି ଗ୍ରାମବାସୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
