Advertisment

ନିଶ୍ଚେତକ ଦେଲେ ଡାକ୍ତର, ହେଲେ ଫେରିଲାନି ଚେତା

ଝାଡ଼ାବାନ୍ତିରେ ଆକ୍ରାନ୍ତ ପିଲାଟିକୁ ମେଡିକାଲ ଆଣିଥିବା ବେଳେ ଚିକିତ୍ସାରେ ଅବହେଳା ହେତୁ ତା’ର ମୃତ୍ୟୁ ଘଟିଥିବା କହି ପରିବାର ଲୋକେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏପରିକି ଦୀର୍ଘ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ମୃତଦେହକୁ ହସ୍ପିଟାଲ ବେଡରେ ପକାଇ ରଖିଥିବା ବେଳେ ତାକୁ ଉଠାଉ ନାହାନ୍ତି।

ଅଦ୍ୟତନ ହୋଇଛି
Hospital

Hospital

Advertisment

‘ପିଲାଟିର ଦେହ ଖରାପ ହେବାରୁ ତାକୁ ଧରି ମେଡିକାଲ ଆସିଥିଲୁ। ଅନ୍ୟାନ୍ୟ ଇଞ୍ଜେକସନ୍‌, ସାଲାଇନ ସହ ନିଶ୍ଚେତକ ଇଞ୍ଜେକସନ୍‌ ବି ଦେଇଦେଲେ। କହିଲେ ୨ ଘଣ୍ଟା ପରେ ହୋସ୍‌ ଆସିଯିବ । ହେଲେ ସମୟ ଗଡ଼ି ଚାଲିଲା, କିନ୍ତୁ ଆଉ ଆମ ପିଲା ଉଠିଲା ନାହିଁ ।’ ଝାଡ଼ାବାନ୍ତିରେ ଆକ୍ରାନ୍ତ ପିଲାଟିକୁ ମେଡିକାଲ ଆଣିଥିବା ବେଳେ ଚିକିତ୍ସାରେ ଅବହେଳା ହେତୁ ତା’ର ମୃତ୍ୟୁ ଘଟିଥିବା କହି ପରିବାର ଲୋକେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏପରିକି ଦୀର୍ଘ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ମୃତଦେହକୁ ହସ୍ପିଟାଲ ବେଡରେ ପକାଇ ରଖିଥିବା ବେଳେ ତାକୁ ଉଠାଉ ନାହାନ୍ତି। ଏପରି ଏକ ସାଂଘାତିକ ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଡାକ୍ତରଖାନାରେ ଘଟିଥିବା ବେଳେ ଉତ୍ତେଜନା ଲାଗି ରହିଛି।

Advertisment

ଗତକାଲି ନାବାଳିକାଟି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାକୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଥିବା ଡା. ନବକିଶୋର କୁଣ୍ଡୁ ପିଲାଟିକୁ ସାଲାଇନ, ଇଞ୍ଜେକସନ ସହ ନିଶ୍ଚେତକ ଇଞ୍ଜେକସନ ବି ଦେଇଥିଲେ। ୨ ଘଣ୍ଟା ପରେ ଆପେ ଆପେ ପିଲାଟିର ହୋସ୍‌ ଆସିଯିବ ବୋଲି କହିଥିଲେ। ମାତ୍ର ଦୀର୍ଘ ସମୟ ପରେ ବି ପିଲାଟିର ହୋସ୍‌ ନ ଆସିବାରୁ ପରିବାର ଲୋକେ ଡାକ୍ତରଙ୍କ ପାଖକୁ ଧାଇଁଥିଲେ।

ବହୁ ସମୟ ପରେ ଡାକ୍ତର ଆସି ପିଲାଟିକୁ ପରୀକ୍ଷା କରିଥିଲେ। ହେଲେ ପିଲାଟିର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ନ କହି ତାକୁ କୋରାପୁଟ ରେଫର କରିବାକୁ କହିଥିଲେ। ଏପରିକି ନିଜେ ପିଲାଟିକୁ ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ଉଦ୍ୟତ ହେଉଥିଲେ । ମାତ୍ର ପିଲାଟିର ହୋସ୍‌ ଆସି ନ ଥିବାରୁ ଅନ୍ୟତ୍ର ନେବାକୁ ପରିବାର ଲୋକେ ମନା କରି ଦେଇଥିଲେ। ପରେ ପିଲାଟିର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ।

Advertisment

ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଡା. କୁଣ୍ଡୁ ଭୁଲ୍ ଇଞ୍ଜେକସନ୍ ଦେବାରୁ ଆମ ପିଲାର ଜୀବନ ଚାଲିଗଲା ବୋଲି ନାବାଳିକାର ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ତେଣୁ ଉଚିତ ତଦନ୍ତ କରାଯାଇ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରଖାନା ପରିସରରେ ମୃତଦେହ ଧରି ପଡ଼ି ରହିଛନ୍ତି। ଏପରିକି ଡାକ୍ତର କୁଣ୍ଡୁ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ବେଳେ ତୁରନ୍ତ ତାଙ୍କ ବଦଳି ବି ଦାବି କରିଛନ୍ତି।

ଅପରପକ୍ଷେ, ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଡାକ୍ତର କୁଣ୍ଡୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡାକ୍ତରଖାନାରେ ନାବାଳିକାର ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଇନାହିଁ । ରୋଗକୁ ଦେଖି ଚିକିତ୍ସା କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପିଲାଟିକୁ ରେଫର କରାଯାଉଥିଲା । କିନ୍ତୁ ସମ୍ପର୍କୀୟମାନେ କୋରାପୁଟ ନେଲେ ନାହିଁ । ଲକ୍ଷ୍ମୀପୁରରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଛି ।

ଏଥିସହ ସେ କହିଛନ୍ତି, ନାବାଳିକାଙ୍କ ସମ୍ପର୍କୀୟ ଅଯଥାରେ ବିଶୃଙ୍ଗଳା କରି ଶବ ନେଉନାହାନ୍ତି । ଅପ୍ରୀତିକର ପରିସ୍ତିତିକୁ ଦେଖି ପୁଲିସ୍‌କୁ ସୂଚନା ଦିଆଯାଇଛି। ଯଦି ଭୁଲ୍ ଚିକିତ୍ସା କରାଯାଇଛି ତାହେଲେ ଶବ ବ୍ୟବଚ୍ଛେଦ କରିବା ପରେ ଜଣାପଡିବ। କିନ୍ତୁ କୌଣସି ପ୍ରକାର ଭୁଲ ଚିକିତ୍ସା କରାଯାଇନଥିବା ନାବାଳିକାକୁ ଚିକିତ୍ସା କରିଥିବା ଡାକ୍ତର କୁଣ୍ଡୁ ସଫେଇ ଦେଇଛନ୍ତି।

Child Death Tension Situation Tension In Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe