Advertisment

ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର, ଲାଇନ୍‌ରୁ ଖସିଲା ମାଲବାହୀ ଟ୍ରେନ୍

ଦୁର୍ଘଟଣାରୁ ବାର୍ତ୍ତିଛି ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର। ଏକ ଛୋଟ ସାପ ଏହି ଅଘଟଣର କାରଣ ସାଜିବାକୁ ବସିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Train accident

Train accident

ଆଜି କୋରାପୁଟ ଓ ଜଗତସିଂହପୁର ଜିଲ୍ଲାରେ ଦୁଇଟି ଛୋଟ ଟ୍ରେନ୍‌ ଦୁର୍ଘଟଣାର ଖବର ମିଳିଛି।

Advertisment

ଦୁର୍ଘଟଣାରୁ ବାର୍ତ୍ତିଛି ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର। ଏକ ଛୋଟ ସାପ ଏହି ଅଘଟଣର କାରଣ ସାଜିବାକୁ ବସିଥିଲା। ତେବେବି ଏହି ସାପ ପାଇଁ ପ୍ରାୟ ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଅଟକି ରହିଥିଲା ଟ୍ରେନ। କୋରାପୁଟ ଜିଲ୍ଲା ପାଲିବା ଷ୍ଟେସନ ନିକଟରେ ଆଜି ଏଭଳି ଘଟଣା ଘଟିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବୈଷୟିକ ଟିମ୍ ଘଟଣାସ୍ଥଳକୁ ଆସି ଟ୍ରେନର ପାନ୍ଟୋଗ୍ରାଫକୁ ମରାମତି କରିବା ପରେ ଟ୍ରେନ୍‌ ଆଗକୁ ଗଡ଼ିଥିଲା। ଏନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ବିଶାଖାପାଟଣାରୁ କିରଣ୍ଡୁଲ ଆସୁଥିବା ବେଳେ କୋରାପୁଟ ରେଳ ଷ୍ଟେସନ ଠାରୁ ପ୍ରାୟ ୨୦ କିମି ଦୂର ପାଲିବା ଷ୍ଟେସନ ନିକଟରେ ଦିନ ପ୍ରାୟ ୧ ଟା ୩୮ ବେଳେ ହଠାତ୍ ଅଟକି ଯାଇଥିଲା। ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଟ୍ରେନ୍‌ ଆଗକୁ ଗଡ଼ି ନ ଥିଲା। ଏନେଇ ଡ୍ରାଇଭର ସ୍ଥାନୀୟ ରେଳ ଷ୍ଟେସନ ଓ ମୁଖ୍ୟାଳୟକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳକୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଯାଇଥିଲା। ସେଠାରେ କାରଣ ଖୋଜିବା ବେଳକୁ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଟ୍ରେନର ପାନ୍ଟୋଗ୍ରାଫରେ ଏକ ସାପ ଗୁଡ଼ାଇ ହୋଇ ରହିଥିଲା। ଫଳରେ ଟ୍ରେନକୁ ବିଦ୍ୟୁତ୍ ଯୋଗାଉଥିବା ତାର ସହିତ ବିଛିନ୍ନ ହୋଇଯାଇଥିଲା।

Advertisment
train accidentଟ୍ରେନ୍ ମରାମତି କରାଯାଉଛି

ତୁରନ୍ତ ସାପର ମୃତଦେହକୁ ସେଠାରୁ କାଢିବା ସହ ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ମରାମତି ପରେ ଦିନ ୩ ଟା ୧୫ ବେଳକୁ ଟ୍ରେନ୍ ଯାତାୟତ ସ୍ୱାଭାବିକ ହୋଇଥିଲା। ତେବେ ବିଦ୍ୟୁତ୍ ତାରରୁ ପାନ୍ଟୋଗ୍ରାଫ ବିଛିନ୍ନ ହେବା ଘଟଣାକୁ ଯାତ୍ରୀମାନେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି।

ସାପଗୁଡ଼ାଇ ହେବା ପରେ ଯଦି ସଟ୍‌ସର୍କିଟ ହୋଇ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ହୋଇଥାନ୍ତା। ଯାହା ସୌଭାଗ୍ୟ ହୋଇନି ବୋଲି କୁହାଯାଉଛି।

Snake in Trainମୃତ ସାପକୁ ବାହାର କରାଯାଇଛି।

ସେହିପରି ଆଜି ଜଗତସିଂହପୁର ଜିଲ୍ଲା ପାରାଦୀପ ରଙ୍ଗିଆଗଡ ନିକଟରେ ଟ୍ରାକରୁ ମାଲବାହୀ ରେଳ ଇଞ୍ଜିନ ଖସି ପଡ଼ିଥିବା ଖବର ଆସିଛି। ପେଟ୍ କୋକ୍ ବୋଝେଇ ଏହି ମାଲବାହୀ ଟ୍ରେନ ଇଞ୍ଜିନର ୭ଟି ଚକ ଟ୍ରାକରୁ ଖସି ଯାଇଛି। ଫଳରେ ସେଠାରେ ଅଟକି ରହିଛି ମାଲବାହୀ ଟ୍ରେନ୍‌।

train accidentଲାଇନ୍‌ଚ୍ୟୁତ୍ ହୋଇଥିବା ଟ୍ରେନ୍ ଇଞ୍ଜିନ୍

ଖବର ପାଇବା ପରେ ବିଭାଗୀୟ ଇଞ୍ଜିନିୟର ଓ ଅଧିକାରୀମାନେ ପହଞ୍ଚି ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ଲାଇନଚ୍ୟୁତର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗ ପକ୍ଷରୁ ମଧ୍ୟ ଏନେଇ କିଛି ସ୍ପଷ୍ଟ କରାଯାଇନି।

Jagatsinghpur Train Accident Koraput OIdisha Train Accident