elelphant
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱର ସବୁଠାରୁ ବଡ଼ ପବ୍ଲିକ୍ ଆର୍ଟ ଇଭେଣ୍ଟ ଏଲିଫ୍ୟାଣ୍ଟ ପରେଡରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳାକୃତି। ଆସନ୍ତାବର୍ଷ ମୁମ୍ବାଇରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବ ପୁରୀର ପଟ୍ଟଚିତ୍ର ଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ ‘କ୍ରିଷ୍ଣାହାତୀ’। ମୁମ୍ବାଇ ପ୍ରଦର୍ଶନୀରେ ପୁରସ୍କୃତ ହେଲେ ଏହା ନିଲାମ ପାଇଁ ଲଣ୍ଡନ ଯିବାର ବ୍ୟବସ୍ଥା ରହିଛି।
‘କ୍ରିଷ୍ଣାହାତୀ’ ହେଉଛି ଫାଇବରେ ନିର୍ମିତ ହାତୀ ଶରୀରରେ କୃଷ୍ଣଲୀଳାର ଚମତ୍କାର ଚିତ୍ରକଳା। ମସ୍ତକର ରାମାନନ୍ଦୀ ଚିତାରେ ଜଗତର ନାଥ ଜଗନ୍ନାଥ। ତା ତଳକୁ ଶୋଭା ପାଉଛନ୍ତି ଗରୁଡ଼ାରୁଢ଼ ନାରାୟଣ। ଏଥିସହ ଶରୀରର ଅଙ୍ଗେ ଅଙ୍ଗେ ଫୁଟି ଉଠିଛି ଗଜ ଉଦ୍ଧାରଣଠୁ ନେଇ କାଳୀୟ ଦଳନ, କୁବଳା ହାତୀ ଆକ୍ରମଣ, ଗିରି ଗୋବର୍ଦ୍ଧନ ଟେକି ଧରିବା ଭଳି କୃଷ୍ଣଙ୍କ ବହୁ ବାଲ୍ୟଲୀଳାର ଦୃଶ୍ୟ। ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳାରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ଏ କ୍ରିଷ୍ଣାହାତୀକୁ ଏଲିଫ୍ୟାଣ୍ଟ ପରେଡ୍ ପାଇଁ ସଜାଉଛନ୍ତି ପ୍ରଣବ।
ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୦୬ ମସିହାରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇ ଆସୁଛି ହାତୀଙ୍କ ଉପରେ କଳାକୃତିକୁ ନେଇ ଏମିତି ପ୍ରଦର୍ଶନୀ। ବଡ଼ କଥା ହେଉଛି, ସଂକଟଜନକ ସ୍ଥିତିରେ ଥିବା ଏସୀୟ ହାତୀଙ୍କ ସୁରକ୍ଷା ପାଇଁ ଏଲିଫ୍ୟାଣ୍ଟ ପରେଡ୍ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବରରୁ ଫେବୃୟାରୀ ୨୦୧୮ ପର୍ଯ୍ୟନ୍ତ ଭାରତରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପାରମ୍ପରିକ ଚିତ୍ରକଳା ବର୍ଗରେ ଏଥର ଏଲିଫ୍ୟାଣ୍ଟ ପରେଡରେ ରାଜସ୍ଥାନ ସହ ଓଡ଼ିଶାର ଚିତ୍ରକଳା ସ୍ଥାନ ପାଇବାକୁ ଯାଉଛି। କ୍ରିଷ୍ଣାହାତୀ ପ୍ରଥମେ ନଭେମ୍ବର ମାସରେ ଜୟପୁରରେ ପ୍ରାରମ୍ଭିକ ପ୍ରଦର୍ଶନୀ ପରେ ଆସନ୍ତା ବର୍ଷ ମୁମ୍ବାଇରେ ଚୂଡ଼ାନ୍ତ ପ୍ରଦର୍ଶନୀରେ ଦେଖିବାକୁ ମିଳିବ। ଏହାପରେ ପ୍ରଦର୍ଶନୀରୁ କିଛି ବଛାବଛା ଚିତ୍ରକଳାକୁ ଲଣ୍ଡନରେ ନିଲାମ କରାଯିବ। ଏଥିରୁ ସଂଗୃହିତ ଅର୍ଥ ଦେଶରେ ଥିବା ୧୦୧ଟି ଏଲିଫ୍ୟାଣ୍ଟ କରିଡ଼ରର ଉନ୍ନତି ପାଇଁ ଲାଗିବାର ବ୍ୟବସ୍ଥା ରହିଛି।
ବିଶ୍ୱର ସବୁଠାରୁ ବଡ଼ ପବ୍ଲିକ ଆର୍ଟ ଇଭେଣ୍ଟ କୁହାଯାଉଥିବା ଏଲିଫ୍ୟାଣ୍ଟ ପରେଡରେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳା ସାମିଲ ହେଉଥିବାରୁ ରାଜ୍ୟ ଚିତ୍ରଶିଳ୍ପୀ ଜଗତ ଉତ୍ସାହିତ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
