/odisha-reporter/media/post_attachments/uploads/2015/07/vlcsnap-2015-07-22-11h05m57s965.png)
krushnasagaria
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସୁସମ୍ପର୍କ ରହିଛି। ଯେଉଁଥିପାଇଁ ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଶ୍ରୀ ମିଶ୍ର ସର୍ବଦା ଚୁପ୍ ରହିଥାନ୍ତି। ଏପରିକି ବିଧାନସଭାରେ ଏସବୁ ପ୍ରସଙ୍ଗ ଉଠାଇବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧରି ଅନୁରୋଧ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି।
'ଓଡ଼ିଶା ରିପୋର୍ଟର' ସହ ଆଲୋଚନାବେଳେ ଶ୍ରୀ ସଗରିଆ କହିଛନ୍ତି ଯେ, ଗତକାଲି ସେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ପାଖକୁ ଏକ ଚିଠି ପଠାଇଛନ୍ତି। ଯାହାକୁ ସେ ଆଜି ସମସ୍ତ ଗଣମାଧ୍ୟମକୁ ଦେଇଛନ୍ତି। ତାଙ୍କ ଚିଠି ଉପରେ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟାକୁ ସେ ଅପେକ୍ଷା କରିଛନ୍ତି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଗୋଟିଏ ମିନିଟ୍ ସମୟ କାଢ଼ି ପାରିନଥିବା ଶ୍ରୀ ମିଶ୍ର ବିରୋଧୀ ଦଳ ନେତା ପଦରେ ଥାଇ ମଧ୍ୟ ଆଦିବାସୀ ଓ ଦଳିତଙ୍କ ସାମ୍ବିଧାନିକ ସୁରକ୍ଷାକୁ ନେଇ ମୁହଁ ଖୋଲିନାହାନ୍ତି। "ଶ୍ରୀ ମିଶ୍ର ସବୁବେଳେ ନିଜସ୍ୱ ଫାଇଦାର ରାଜନୀତି କରୁଛନ୍ତି" ବୋଲି ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ଭବନରେ ୧୫ତାରିଖରେ ବୈଠକବେଳେ ତାଙ୍କର ଇସ୍ତଫା ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗଣଦୁଷ୍କର୍ମର ଶିକାର ଜଣେ ଦଳିତ ନାବାଳିକା ନ୍ୟାୟ ନପାଇ ଆତ୍ମହତ୍ୟା କରିବା ଘଟଣା ସର୍ବଦା ତାଙ୍କର ବିବେକକୁ ଦଂଶନ କରୁଥିଲା। ସରକାରୀ କଳ ତ ସେ ଝିଅକୁ ନ୍ୟାୟ ଦେଲାନି। ଯାହାର ପ୍ରତିବାଦରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ତା’ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କିନ୍ତୁ ତାଙ୍କର ଇସ୍ତଫାକୁ ରାଜନୀତିକରଣ କରି କିଛି ଦଳୀୟ ନେତାଙ୍କ ଚାପରେ ସେ ଇସ୍ତଫା ଦେଇଥିବା ନରସିଂହ ମିଶ୍ର ମତ ଦେଇଛନ୍ତି। କିନ୍ତୁ ତାଙ୍କୁ ନିନ୍ଦିତ କରିବା ପାଇଁ ଶ୍ରୀ ମିଶ୍ର ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସେ ସଫଳ ହେବେନି। ବରଂ ଇସ୍ତଫା ଦେବା ପାଇଁ ସେ ନିଜର ବିବେକର ଆହ୍ୱାନକୁ ଗ୍ରହଣ କରିଛନ୍ତି ବୋଲି ଶ୍ରୀ
ସଗରିଆ କହିଛନ୍ତି।
ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଶ୍ରୀ ଶଗରିଆ କହିଛନ୍ତି ଯେ, ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଅନେକ ଥର ତାଙ୍କ ସହ ଆଲୋଚନା କଲେ ବି ସେ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ‘ସଂରକ୍ଷଣ’ ଦେବା ପାଇଁ ବିଧାନସଭାରେ ଦାବି କରାଗଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଧରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ତାଙ୍କ କଥା ମାନି ଅନେକ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ିଥିଲେ। ଯାହା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେଲା। କିନ୍ତୁ ବିରୋଧୀ ଦଳ ନେତା ଭାବେ ଶ୍ରୀ ମିଶ୍ର ଚୁପଚାପ ବସିରହିଲେ।
ଶ୍ରୀ ସଗରିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ରଙ୍କର ଥିବା ସୁସମ୍ପର୍କର ଫାଇଦା ଉଠାଇ ଦଳିତ ଓ ଆଦିବାସୀ ସମାଜ କିଛି ଲାଭବାନ ହେବ ବୋଲି ଭାବିଥିଲି କିନ୍ତୁ ତା’ବଦଳରେ ଶ୍ରୀ ମିଶ୍ର କେବଳ ଅପମାନ ଦେଲେ। ହଜାର ହଜାର ବର୍ଷ ଧରି ଅନ୍ୟାୟ ସହିଥିବା ଦଳିତ ଓ ଆଦିବାସୀମାନେ ଏହାକୁ ଆଉ କିଛିଦିନ ସହିଲେ ଭାଙ୍ଗି ପଡ଼ିବେ ନାହିଁ ବୋଲି ସେ କହିଛନ୍ତି। ସମାଜ ଏବେ ବଦଳୁଛି ଓ ଶ୍ରୀ ମିଶ୍ର ମଧ୍ୟ ବଦଳିବେ ବୋଲି ଶ୍ରୀ ସଗରିଆ ଆଶାବ୍ୟକ୍ତ କରିଛନ୍ତି।
ତାଙ୍କର ଇସ୍ତଫା ସମ୍ପର୍କରେ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇ ଶ୍ରୀ ସଗରିଆ କହିଛନ୍ତି ଯେ ଜଣେ ଦଳିତ ଭାବେ ସେ ତାଙ୍କର ଧର୍ମ ପାଳନ କରୁଛନ୍ତି, ଆଉ ବିରୋଧୀ ଦଳ ନେତା ଭାବେ ସେ ବି ତାଙ୍କର ଧର୍ମ ପାଳନ କରନ୍ତୁ।
------
ଶ୍ରୀ ସଗରିଆ ଶ୍ରୀ ମିଶ୍ରଙ୍କୁ ଲେଖିଥିବା ଖୋଲାଚିଠି:
ପ୍ରିୟ ନରସିଂହ ବାବୁ,
ନମସ୍କାର! ଗତକାଲି (ତା୧୫/୧୧/୨୦୧୮ରିଖ) ଦଳୀୟ ବୈଠକରେ ମୋର ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେବା ସମ୍ପର୍କରେ ଆପଣ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା’ ମୋ ଦୃଷ୍ଟିକୁ ଆସିଛି। ମତେ କେତେଜଣ ଦଳୀୟ ନେତା ପ୍ରଭାବିତ କରି ମୋର ଇସ୍ତଫା ଦେବା ସମ୍ପର୍କୀୟ ଆପଣଙ୍କ ବକ୍ତବ୍ୟ କେବଳ ନିରାଧାର ନୁହେଁ, ଏହା ମତେ ନିନ୍ଦିତ କରିବାର ଏକ ପ୍ରୟାସ। ମୋର ଇସ୍ତଫା ମୋର ବିବେକର ଆହ୍ୱାନ ଥିଲା।
ଗୋଟିଏ ୧୪ ବର୍ଷର ଦଳିତ ଝିଅଟିର ଗଣଦୁଷ୍କର୍ମ ଓ ନ୍ୟାୟ ନପାଇ ତା’ର ଆତ୍ମହତ୍ୟା ମୋର ବିବେକକୁ ସର୍ବଦା ଦଂଶନ କରୁଥିଲା। ତା’ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ସ୍ୱରୂପ ମୋର ଇସ୍ତଫା ଯାହା ମୋର ତା’ପ୍ରତି ଶ୍ରଦ୍ଧାଞ୍ଜଳି। ଏହା ଯଦି ଆପଣଙ୍କ ଦୃଷ୍ଟିରେ ଦଳୀୟ ବିଶୃଙ୍ଖଳା ତେବେ ବାରବାର ଏଭଳି ବିଶୃଙ୍ଖଳା କରିବି।
ଆପଣଙ୍କ ସହ ବିଧାନସଭାରେ କାର୍ଯ୍ୟ କରିବା ସମୟରେ ବହୁବାର ଦଳିତ ଓ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି। କିନ୍ତୁ କେବେବି ଆପଣ ସେ କଥାକୁ ଗୁରୁତ୍ୱ ଦେଇନାହାନ୍ତି। ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ (ମେଡିକାଲ, ଇଞ୍ଜିନିୟରିଂ) “ସଂରକ୍ଷଣ” ଦାବି ସମ୍ପର୍କରେ ବିଧାନସଭା ଭିତରେ ଆମେ ପ୍ରଶ୍ନ ଉଠାଇଲା ବେଳେ ଆପଣ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦଧରି ଅନୁରୋଧ କରିବାକୁ। ତା’ମଧ୍ୟ ଆପଣଙ୍କ ପରାମର୍ଶ ମାନି ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡ଼ିଥିଲେ। ଯାହା ବିଭିନ୍ନ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲରେ ପ୍ରସାରିତ ହେଲା। ଆପଣ କିନ୍ତୁ ଚୁପ୍ଚାପ ବସିରହିଲେ। ଦଳିତ ଓ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷାରେ ବିରୋଧୀ ଦଳ ନେତା ଭାବେ କ’ଣ ଆପଣଙ୍କର କିଛି ଭୂମିକା ନଥିଲା? ଠିକ୍ ସେହିଭଳି କୁନ୍ଦୁଲି ଝିଅଟିର ଗଣଦୁଷ୍କର୍ମକୁ ବିଧାନସଭାରେ ଉପସ୍ଥାପିତ କରିବାକୁ କ’ଣ ଗୋଟିଏ ମିନିଟ୍ ସମୟ ଆପଣ ପାଇଲେ ନାହିଁ?
ତେବେ ଯାହା ହେଉ, ଆପଣ ଆପଣଙ୍କ ଧର୍ମ ପାଳନ କରୁଛନ୍ତି ଓ ମୁଁ ଜଣେ ଦଳିତ ଭାବରେ ମୋର ଧର୍ମ ପାଳନ କରୁଛି। ଆପଣଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କର ଫାଇଦା ନେଇ ମୁଁ ଭାବିଥିଲି ଦଳିତ ଓ ଆଦିବାସୀ ସମାଜ କିଛି ଲାଭବାନ ହୋଇଥାଆନ୍ତେ, କିନ୍ତୁ ତାହା ବଦଳରେ ଆମକୁ କେବଳ ଅପମାନ ମିଳିଲା। ଆମେ ହଜାର ହଜାର ବର୍ଷ ଅନ୍ୟାୟ ସହି ଆସିଛୁ- ଆଉ କେତେ ଦିନ ସହିଯିବାରେ ଆମେ ଭାଙ୍ଗିପଡ଼ିବୁ ନାହିଁ। ସମାଜ କିନ୍ତୁ ବଦଳୁଛି। ଆଶା କରେ ଆପଣ ବି ବଦଳିବେ।
ଇତି
କୃଷ୍ଣ ଚନ୍ଦ୍ର ସଗରିଆ
(ଦ୍ରଷ୍ଟବ୍ୟ: ଶ୍ରୀ ସଗରିଆଙ୍କ ଚିଠିରେ ଥିବା ବନାନଗତ ଅଶୁଦ୍ଧିକୁ ସଂଶୋଧନ କରାଯାଇଛି।)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
