/odisha-reporter/media/media_files/2026/02/24/sanjay-2026-02-24-14-36-42.jpg)
ମୁଖ୍ୟମନ୍ତ୍ରୀଙ୍କ ସହ ସଞ୍ଜୟ
ଗାଦି ଛାଡ଼ ବୋଲି ବେବିଙ୍କ ଆହ୍ବାନ ପରେ ମୋହନଙ୍କ ସରଣେ ସଂଜୟ। ଓସିଏ ସଂପାଦକ ସଂଜୟ ବେହେରା, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଗତ ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-20 କ୍ରିକେଟ୍ ମ୍ୟାଚର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହାୟତା କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏଠି ପ୍ରଶ୍ନ ହଠାତ ସଂଜୟ ବାବୁଙ୍କୁ କାହିଁକି ଦରକାର ପଡ଼ିଲା ଏଭଳି ସୌଜନ୍ୟମୂଳକ ସାକ୍ଷାତକାରର।
ଚର୍ଚ୍ଚା ହେଉଛି, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ କରିବା ପାଇଁ ଦେଇଥିବା ଆହ୍ବାନ ଯୋଗୁଁ ଏଭଳି ଭେଟଘାଟ କି । ଗତ ରବିବାର ବସିଥିବା ଓସିଏ (OCA) ସାଧାରଣ ପରିଷଦ ବୈଠକରେ ନିର୍ବାଚନକୁ ନେଇ ସଦସ୍ୟ ହୋ ହାଲ୍ଲା କରିଥିଲେ। ଓସିଏ ନିର୍ବାଚନ ତୁରନ୍ତ କରିବା ପାଇଁ କିଛି ସଦସ୍ୟ ଦାବି କରିଥିଲେ। ଯାହାକୁ ନେଇ ବୈଠକରେ ଯୁକ୍ତିତର୍କ ହୋଇଥିଲା।
ଓସିଏ କାଉନସିଲ ସଦସ୍ୟ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ସହ କିଛି ସଦସ୍ୟ ଓସିଏ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ। ହେଲେ ଅନ୍ୟ ସଦସ୍ୟମାନେ କହିଥିଲେ ଓସିଏ ନିର୍ବାଚନ ଏବେ ନହୋଇ ନୂଆ ସ୍ପୋର୍ଟସ ବିଲ ଆସିବା ପରେ ହେଉ। ଯାହାକୁ ଓସିଏ ରାଜନୀତି ସରଗରମ ହୋଇଛି। ଲଳିତେନ୍ଦୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସମସ୍ତ ନିୟମକୁ ଉଲ୍ଲଂଘନ କରି ଓସିଏ ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଲୋଧା କମିଟି ନିୟମ ଅନୁସାରେ ୧୬ଟି ରାଜ୍ୟ କ୍ରିକେଟ ଆସୋସିଏସନ୍ ନିର୍ବାଚନ କରିସାରିଲାଣି ହେଲେ ଓସିଏ କରୁନାହିଁ। ତେବେ ସଂଜୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଲଳିତେନ୍ଦୁ ମଧ୍ୟ କହିଛନ୍ତି ସେ ମଧ୍ୟ ସାକ୍ଷାତ କରିବେ। ନିର୍ବାଚନ ନେଇ କୋର୍ଟକୁ ମଧ୍ୟ ଯିବେ।
ଅନ୍ୟପଟେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଥିଲେ ଓସିଏ ସ୍ପେଶାଲ ଜେନେରାଲ ବଡି ମିଟିଂରେ ନିଷ୍ପତ୍ତି ନିଆଗଲା ନିର୍ବାଚନ ଏବେ ହେବ ନାହିଁ। ପ୍ରାୟ ସମସ୍ତ ସଦସ୍ୟ ସହମତି ଲିଖିତ ଆକାରରେ ଜଣାଇଛନ୍ତି। କୈଣସି ନିୟମ ଉଲ୍ଲଂଘନ ହୋଇନାହିଁ। ନୂଆ ସ୍ପୋର୍ଟସ ବିଲ ଆସିବା ପରେ ନିର୍ବାଚନ ହେବ। ତାହାର ରୂପରେଖ କଣ ହେଉଛି ଏବଂ ବିସିସିଆଇର ନିର୍ଦ୍ଦେଶ ପରେ ନିର୍ବାଚନ କରାଯିବ। କିଛି ସଦସ୍ୟ ନିର୍ବାଚନ ହେବା ପାଇଁ କହୁଥିଲେ ହେଲେ ଅଧିକାଂଶ ସଦସ୍ୟ ନହେବା ପାଇଁ ସହମତି ଦେଇଛନ୍ତି ବୋଲି ସଂଜୟ କହିଥିଲେ ।
ପ୍ରଥମେ ଆଶୀର୍ବାଦ ବେହେରା ଆଉ ତାପରେ ସଂଜୟ ବେହେରା। ଆଶୀର୍ବାଦ ବେହେରା ୨୦୦୬ରୁ ପ୍ରାୟ ୨୦୧୭ ମସିହା ଯାଏଁ ଓସିଏର ସଂପାଦକ ଭାବେ କାର୍ଯ୍ୟ ତୁଲାଇ ଥିଲେ। ଏହାପରେ ଗତ ପ୍ରାୟ ୬ ବର୍ଷ ହେଲାଣି ସଂଜୟ ସଂପାଦକ ଭାବେ ଅଛନ୍ତି। ବର୍ତ୍ତମାନ ପୂର୍ବତନ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧାର ମହାପାତ୍ର ପ୍ରଥମ ଥର ସଂଜୟଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଥିବାରୁ ସଂଜୟ ଅଡୁଆରେ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି।
କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
