ଆବାସ ଯୋଜନା: ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ପତ୍ର ଦେବ ବିଜେପି

ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ କହିଛନ୍ତି ଯେ, ଆବାସ ଯୋଜନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । କାଲି ଶେଷତାରିଖ ସରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ

BJP PhotoInternet

ବିଜେପି ଦଳୀୟ ଚିହ୍ନ

Ordigital Desk
  • Published: Monday, 23 January 2023
  • Updated: 23 January 2023, 10:49 PM IST

Sports

Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି କଡ଼ା ଆଭିମୁଖ୍ୟ ପୋଷଣ କରିବା ସହ ଯୋଗ୍ୟ ହିତାଧିକାରୀ ଯେଭଳି ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ଦାବି କରିଛି । ଦଳୀୟ ଆଧାରରେ ବିଜେଡି ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିଛି ତାକୁ ତୁରନ୍ତ ସଂଶୋଧନ କରିବା ପାଇଁ ବିଜେପି ଦାବି କରିବା ସହ ଆସନ୍ତା ୨୫ତାରିଖରୁ ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚେତାବନୀ ପତ୍ର ପଠାଇବ ବୋଲି ଘୋଷଣା କରିଛି । ଏପରିକି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସବୁ ବ୍ଲକରେ ଆନ୍ଦୋଳନକୁ ଦଳ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ କହିଛନ୍ତି ଯେ, ଆବାସ ଯୋଜନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । କାଲି ଶେଷତାରିଖ ସରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ ଜଣେ ହେଲେ ବାସହୀନ ରହିବେ ନାହିଁ ଏବଂ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ଦାୟିତ୍ୱ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ନେଇଛନ୍ତି । ରାଜ୍ୟରେ ୨୭ ଲକ୍ଷ ପକ୍କାଘରର ଆବଶ୍ୟକତା ଥିବା ରାଜ୍ୟ ସରକାର ବିଧାନସଭାରେ କହିଥିବାବେଳେ ମୋଦି ସରକାର ଏବେସୁଦ୍ଧା ପାଖାପାଖି ୨୮ ଲକ୍ଷ ଘର ମଂଜୁର କରିଛନ୍ତି । ନିକଟରେ ଆବଂଟନ ହୋଇଥିବା ୯.୫୮ ଲକ୍ଷ ପକ୍କାଘର ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ହେବ ବୋଲି ବିଜେପି ଆଶଙ୍କା କରୁଛି ।  ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ରଖିଛନ୍ତି । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ପକ୍କାଘର ପାଇବାରୁ ଯେପରି ବଂଚିତ ନହେବେ ସେଥିପ୍ରତି ବିଜେପି ସଜାଗ ଅଛି । ଆସନ୍ତାକାଲି ଅଭିଯୋଗ ଦାଖଲର ଶେଷ ଦିନ । ତେଣୁ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ସାମିଲ କରିବାର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁା ଏ ନେଇ ଆସନ୍ତା ୨୫ ତାରିଖ ଦିନ ବିଜେପି ତରଫରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସବୁ ବ୍ଲକରୁ ସ୍ମାରକ ପତ୍ର ଦିଆଯିବ । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରାଯିବ । ଏହା ସତ୍ୱେ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକରିଲେ କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସହ ବିଜେପି କୋର୍ଟର ମଧ୍ୟ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ବିଜେପିର ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯେଉଁମାନେ ଅନିୟମିତତା ଅଭିଯୋଗ କଥା କହୁଛନ୍ତି ସେମାନେ ବ୍ୟକ୍ତିଗତ ଭାବେ କେତେ ଅଭିଯୋଗ ଦାଖଲ କରିଛନ୍ତି?  ରାଜ୍ୟ ସରକାର ଆବାସ ଯୋଜନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି । ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରିବାର ଅବଧି ରହିଛି । ଅଭିଯୋଗ କରିବା ପାଇଁ ଇ-ମେଲ୍ ଓ ଫୋନ୍ ନମ୍ବର ବି ଦିଆଯାଇଛି । କାଲି ଶେଷ ତାରିଖ ସରିବା ପରେ ଯାହା ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଅମାତ୍ କହିଛନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos