କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସୁଧୁରି ପାରୁନି ବିଦ୍ୟୁତ ଭିତ୍ତିଭୂମି। ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନି ନିରନ୍ତର ବିଜୁଳି ସେବା। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ ୩୦ ବର୍ଷରେ ୩୭ ହଜାର କୋଟି ଓ ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ କାହିଁକି ସୁଧୁରୁନାହୁଁ ବିଦ୍ୟୁତ ଯନ୍ତ୍ରଣା?
ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଓ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ। କୁହାଗଲା ଯେ, ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିଲେ ମଧ୍ୟ ବିଦ୍ୟୁତ ସରବରାହ ପାଇଁ କିଛି ଫରକ ପଡ଼ିବନାହିଁ। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ କହୁଛି, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ବିଗତ ୩୦ ବର୍ଷ ଭିତରେ ୩୭ ହଜାର କୋଟି ଏବଂ ଗତ ୧୦ ବର୍ଷରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୧୩ ହଜାର କୋଟି ରାଜ୍ୟ ଦେଇଥିବା ବେଳେ, ୭ ହଜାର କୋଟି ଆସିଛି କେନ୍ଦ୍ରରୁ। ଏହି ବିପୁଳ ଅର୍ଥକୁ ବାତ୍ୟା ପ୍ରତିରୋଧୀ ବିଦ୍ୟୁତ ଖୁଣ୍ଟ ଲଗାଇବା, ସମସ୍ତ ପୁରୁଣା ଟ୍ରାନ୍ସଫର୍ମର ବଦଳାଇବା, ପୁରୁଣା ତାର ବଦଳାଇବା ସହିତ ଭୂତଳ କେବଲିଂ ବାବଦରେ ଖର୍ଚ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ହେଲେ କୁଆଡ଼େ ଗଲା ଏସବୁ ଯୋଜନା? କେଉଁଠି ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା? ବିଭିନ୍ନ ସମୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା କମ୍ପାନୀଙ୍କୁ ରାଜ୍ୟ ସରକାର ଭିତ୍ତିଭୂମି ସଜାଡ଼ିବା ବାବଦରେ ୨୦ ହଜାର କୋଟି ଟଙ୍କା ଦେଇଛନ୍ତି।
ଟାଟା ପାୱାର ଏହି ଦାୟିତ୍ୱ ନେବା ପରେ କମ୍ପାନୀକୁ ପର୍ଯ୍ୟାୟ କ୍ରମେ ୫ ହଜାର କୋଟି ଟଙ୍କା ଦିଆଯାଇଛି। ପ୍ରଶ୍ନ ଉଠୁଛି, ପୂର୍ବରୁ ଭିତ୍ତିଭୂମି ବାବଦରେ ଯେଉଁ ୧୫ ହଜାର କୋଟି ଦିଆଯାଇଥିଲା ତା’ର ହିସାବ କେଉଁଠି? ଏଥିରେ ଭିତ୍ତିଭୂମିରେ କ’ଣ ବିକାଶ ହୋଇଛି? ଶକ୍ତି ସମୀକ୍ଷକଙ୍କ କହିବା ଅନୁସାରେ, ଯଦି ବାସ୍ତବରେ ଏତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ଏବଂ ଏହାକୁ ସତ୍ ଉପାୟରେ ବିନିଯୋଗ କରାଯାଆନ୍ତା, ତେବେ ଉପଭୋକ୍ତା ଉପକୃତ ହୋଇଥାନ୍ତେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।