ସେହି ମହାପୁରୁଷଙ୍କୁ ଚିଠିଟିଏ

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି ଜଣେ ଯୁବଲେଖିକା

୨୦୧୫ ମସିହା ଆଜିର ଦିନରେ ଆମକୁ ଚିରଦିନ ପାଇଁ ଛାଡ଼ି ଚାଲି ଯାଇଥିଲେ ଆମର ଭାରତ ପୂର୍ବତନ ରାଷ୍ଟ୍ରପତି ତଥା ପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡକ୍ଟର ଏପିଜେ ଅବଦୁଲ କଲାମ। ତାଙ୍କୁ ମନେପକେଇ ସେହି ମହାନ ଆତ୍ମାଙ୍କୁ ଏକ ଚିଠି ଲେଖିଛନ୍ତି ଯୁବଲେଖିକା ଦେବଯାନୀ ମିଶ୍ର

ହେ ମହାନ ଆତ୍ମା। ଆପଣଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ସ୍ୱାଗତ। ସେଦିନ ଥିଲା ୨୭ ଜୁଲାଇ,୨୦୧୫। ଠିକ୍ ଏହିଦିନ ଆଇ.ଆଇ.ଏମ୍. ଶିଲଂରେ ଭାଷଣ ଦେଉ ଦେଉ ଆପଣ ଷ୍ଟେଜ୍‌ରେ ପଡିଯାଇଥିଲେ ଓ ତାର କିଛି ସମୟ ପରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହଠାତ ଘଟିଥିବା ଏହି ଅଘଟଣ ରେ ପୂରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ଦେଶବିଦେଶରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। କ’ଣ ସେତିକିରେ ଆମ କର୍ତ୍ତବ୍ୟ ସରିଗଲା ଯେଉଁମାନଙ୍କ ପାଇଁ ଆପଣ ନିଜର ପୂରା ଜୀବନ ଉତ୍ସର୍ଗୀକୃତ କରିଥିଲେ?

ଆପଣ ୨୦୨୦ ସୁଦ୍ଧା ଭାରତକୁ ବିଶ୍ୱର ୫ଟି ସଶକ୍ତ ଦେଶ ମଧ୍ୟରେ ଦେଖିବାକୁ ଚାହୁଁଥିଲେ। ଆପଣ ଖୁବଶୀଘ୍ର ଆମ ଦେଶକୁ “ବିକାଶଶୀଳ ରାଷ୍ଟ୍ର”ରୁ “ବିକଶିତ ରାଷ୍ଟ୍ର”ରେ ପରିଣତ ହେବାର ସ୍ୱପ୍ନ ଦେଖୁଥିଲେ। ଆପଣଙ୍କ ସ୍ୱପ୍ନ କେବଳ ସରକାରୀ ବିଜ୍ଞପ୍ତିରେ ଯେ ପ୍ରକାଶ ପାଉଥିଲା ତାହା ନୁହେଁ ବରଂ ଏହା ଏକ ସାଧାରଣ ନଗରିକର ଜୀବନଧାରଣ ମାନ କିପରି ଉନ୍ନତ ହେବ ସେ ଦିଗକୁ ମଧ୍ୟ ଛୁଉଁଥିଲା। ଶରୀରର ଆବଶ୍ୟକତା ଅନୁସାରେ ସୁଷମ ଖାଦ୍ୟ, ହାରାହାରି ଜୀବନ ଆୟୁ ବୃଦ୍ଧି, ଶିଶୁ ମୃତ୍ୟୁହାର ହ୍ରାସ, ସ୍ୱଚ୍ଛ ପରିମଳ ବ୍ୟବସ୍ଥା,ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ, ସାକ୍ଷରତା ହାର ବୃଦ୍ଧି, ସ୍କୁଲ ଓ କଲେଜରେ ଉତ୍ତମ ଶିକ୍ଷାବ୍ୟବସ୍ଥାର ପ୍ରଚଳନ, ଆର୍ଥିକ ଓ ସାମାଜିକ ଜୀବନମାନ ବୃଦ୍ଧି ପାଇଁ ନୂଆ ପଦ୍ଧତିର ଅବିଷ୍କାର,ସମସ୍ତଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଓ ବାସ ସ୍ଥାନ ଯୋଗାଣ ଇତ୍ୟାଦିକୁ ଆପଣ ବିକାଶର ମାନଦଣ୍ଡ ରୂପେ ଗ୍ରହଣ କରିଥିଲେ।

ବର୍ତ୍ତମାନ ଏହା ଏକ ବିରାଟ ପ୍ରଶ୍ନ ଯେ, କେନ୍ଦ୍ର-ରାଜ୍ୟ ରାଜନୈତିକ ଅଭିସନ୍ଧିର ଜୁଆଖେଳରେ ଆପଣଙ୍କ ପ୍ରସ୍ତାବିତ ବିକାଶର ସଂଜ୍ଞା କେତେ ସୁରକ୍ଷିତ? ଆପଣ ନିଜ ଶେଷ ଅଭିବ୍ୟକ୍ତିରେ ବେଶି କିଛି କହିପାରି ନଥିଲେ। ଆପଣଙ୍କ ବିଶ୍ୱସ୍ତ ସୃଜନ ପଲ୍‌ସିଂ ଯିଏ ଆପଣଙ୍କ ସହ ୨୦୦୮ମସିହାରୁ କାମ କରୁଥିଲେ ସେ କହିଥିଲେ, ଆପଣଙ୍କ ସେହି ଅଭିବ୍ୟକ୍ତିର ସାରାଂଶ ଥିଲା- ‘ମନ୍ୟୁଷ୍ୟକୃତ ଶକ୍ତିଉତ୍ସରୁ ସୃଷ୍ଟି ହେଉଥିବା ପ୍ରଦୂଷଣ ହିଁ ପୃଥିବୀପୃଷ୍ଠର ଜୀବନ୍ତ ପ୍ରାଣୀଙ୍କ ପାଇଁ ମୁଖ୍ୟ ବିପଦ ହେବ।” ଅନେକ ମିଶାଇଲର ସୃଷ୍ଟିକର୍ତ୍ତା ଆପଣ। କିନ୍ତୁ ଆପଣ ବିଶ୍ୱାସ କରୁଥିବା “ମାନବବାଦ” ଓ “ବିଶ୍ୱମଙ୍ଗଳ ଚିନ୍ତା” -ଆପଣଙ୍କ ବ୍ୟକ୍ତିତ୍ୱର ଦୁଇଟି ଉଜ୍ଜ୍ୱଳ ଅଂଶକୁ ଏବେ ରାଷ୍ଟ୍ରବାସୀ ସହୃଦୟତାର ସହ ଗ୍ରହଣ କରିବାର ସମୟ।

ସମଗ୍ର ଛାତ୍ରସମାଜ ଆପଣଙ୍କୁ ଦୃଢ ବିଶ୍ୱାସ କରେ। ସେମାନଙ୍କ ଆଖିରେ ଆପଣ ଏକ ସୁନ୍ଦର ଓ ସମୃଦ୍ଧଶାଳୀ ଭାରତର ସ୍ୱପ୍ନ ଦେଖିଥିଲେ। ଆପଣ ବିଶ୍ୱାସ ରଖୁଥିଲେ ଯେ, ଯୁବଗୋଷ୍ଠୀଙ୍କ ଆଧୁନିକ ଚିନ୍ତାଧାରା ଜଟିଳରୁ ଜଟିଳତମ ସମସ୍ୟାକୁ ସମାଧାନ କରିପାରେ। କିନ୍ତୁ ଆଜିର ଯୁବସମାଜ ଭାରତକୁ ଶିଖରରେ ପହଞ୍ଚାଇବା ଅପେକ୍ଷା ବିଦେଶୀ ଚାକିରି ଓ ବିଦେଶୀ ନଗରିକତା ପାଇବା ପାଇଁ ବେଶ ଲାଳାୟିତ। ଏହା ଆପଣଙ୍କୁ ନିହାତି କଷ୍ଟ ଦେଉଥିବ।

ଥରେ ଆପଣ ଦୀପ ପ୍ରଜ୍ୱଳନ କରିବା ସମୟରେ କହିଥିଲେ -“ମୁଁ ଜଣେ ମୁସଲମାନ, ହିନ୍ଦୁମାନଙ୍କ ଦୀପକୁ ଖ୍ରୀଷ୍ଟିୟାନଙ୍କ ମହମବତୀରେ ଜଳାଉଛି। ଭାରତରେ ମଧ୍ୟ ଏପରି ଅଖଣ୍ଡତାର ଆବଶ୍ୟକତା ରହିଛି।” କିନ୍ତୁ ଏବେ ଦେଶକୁ ଧର୍ମକୁ ଆଧାର କରି ବିଭାଜନ କରିବାର କୁଉଦ୍ଦେଶ୍ୟ ନିଶ୍ଚୟ ଚିନ୍ତାର କାରଣ।

ସଫଳତା ପାଇବାର ସମ୍ଭାବନା ସେପର୍ଯ୍ୟନ୍ତ ନିଜର ଉତ୍ସ ହରାଏ ନାହିଁ ଯେପର୍ଯ୍ୟନ୍ତ ଆଶା ଓ ସ୍ୱପ୍ନ ବଞ୍ଚି ରହେ। ସ୍ୱପ୍ନକୁ ବାସ୍ତବ ରୂପ ଦେବାପାଇଁ ଆଗାମୀ ବଂଶଧର ଏବେ ମଧ୍ୟ ଚେଷ୍ଟାରତ। କେତେକ ଜନନେତା ଅନୁକୂଳ ଅବସ୍ଥାରେ ବି ବିକାଶର ଡଙ୍ଗାକୁ ଏବେ ବି ଆଗେଇ ନେଉଛନ୍ତି। ସବୁପ୍ରକାର ବିରୋଧାଭାସକୁ ସେମାନେ ସାହସର ସହ ମୁକାବିଲା କରୁଛନ୍ତି।

ଦେଶ ପାଇଁ ସମର୍ପିତ କେତେକ ମହାନ ଲୋକ ଏବେବି ପ୍ରଶିକ୍ଷଣାଗାରରେ ନିଜର ବୈଷୟିକ ସୂତ୍ର ଉଦ୍ଭାବନ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ଆପଣଙ୍କୁ ନିହାତି ଖୁସି କରାଇଥିବ। ଭାରତ ଏବେ ଲକ୍ଷାପ୍ରାପ୍ତି ଦିଗରେ ଅଗ୍ରସର।

ଆପଣଙ୍କୁ ଥରେ ପଚାରାଯାଇଥିଲା, ଆପଣ ନିଜକୁ କିପରି ମନେପକାଯିବା ପାଇଁ ଚାହାନ୍ତି? ଜଣେ ବୈଜ୍ଞାନିକ, ଜଣେ ଲେଖକ, ମିସାଇଲ ମଣିଷ ନା ଜଣେ ରାଷ୍ଟ୍ରପତି ଭାବେ? ଆପଣ ଉତ୍ତର ଦେଇଥିଲେ- ଜଣେ ଶିକ୍ଷକ ଭାବେ। ୟୁ.ଏନ.ଓ. ଆପଣଙ୍କ ଜନ୍ମଦିନ ଅକ୍ଟୋବର ୧୫କୁ ବିଶ୍ୱ ଛାତ୍ର ଦିବସ ରୂପେ ଘୋଷଣା କରିଛି। ବାସ୍ତବିକ ଶିକ୍ଷା ସବୁ ସୃଷ୍ଟିର ଆରମ୍ଭ ଓ ବିପ୍ଳବର ଚମକ ଅଟେ। ଆପଣ ଦେଖିଥିବା ସ୍ୱପ୍ନକୁ ପୂରା କରିବାପାଇଁ ଆପଣଙ୍କ ବୁଦ୍ଧିମତ୍ତା, ନୈତିକ ଜୀବନଶୈଳୀ ଓ ଅସାଧାରଣ ବ୍ୟକ୍ତିତ୍ୱ ଯୁବକ ତଥା ଛାତ୍ର ସମାଜକୁ ପ୍ରେରଣା ଯୋଗାଉ- ଏହା ହିଁ ଆପଣଙ୍କ ପରି ଜଣେ ମହାନ ଆତ୍ମାଙ୍କ ନିକଟରେ ମୋର ପ୍ରାର୍ଥନା।

ଇତି। ଆପଣଙ୍କ ବିଶ୍ୱସ୍ତ ତଥା ଆପଣଙ୍କ ସ୍ୱପ୍ନର ଭାରତରେ ବଞ୍ଚିବାକୁ ଚାହୁଁଥିବା ଜଣେ ଭାରତୀୟ।