Advertisment

Politics: ବିଜେଡିରେ ଲତିକା ବିସ୍ଫୋରଣ

ଗଞ୍ଜାମ ଜିଲ୍ଲା ପାଇଁ ନିରନ୍ତର ଭାବେ ପାତରଅନ୍ତର ନୀତି ଆପଣାଯାଉଛି। ଗଞ୍ଜାମ ଜିଲ୍ଲାର କୌଣସି ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଗଞ୍ଜାମ ଜିଲ୍ଲାରେ କେବଳ ଜଣେ ଦୁଇ ଜଣଙ୍କୁ ରିପିଟ୍ କରାଯାଉଛି। ଆଉ କାହାକୁ ସେମିତି ଗୁରୁ ଦାୟିତ୍ୱ ଦିଆଯାଉନାହିଁ।

Litika
Advertisment

ମୁହଁ ଖୋଲିଛନ୍ତି ବିଜେଡିର କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ଦଳର ପରିଚାଳନା ନେଇ ଖୋଲାଖୋଲି ସେ ଜାହିର କରିଛନ୍ତି ଅସନ୍ତୋଷ। ଗଞ୍ଜାମ ଜିଲ୍ଲାରେ ବିଜେଡି ଦିନକୁ ଦିନ ଦୁର୍ବଳ ହୋଇଯାଉଛି ବୋଲି ସେ କହିବା ସହ ଗତ ନିର୍ବାଚନରେ ସେଠାରେ ଦଳର ପରାଜୟ ପାଇଁ ନାଁ ନେଇ ମାନସ ମଙ୍ଗରାଜଙ୍କୁ କରିଛନ୍ତି ଦାୟୀ।

Advertisment

ଲତିକା କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଯଦିଓ ଆମେ ହାରିଥିଲୁ, କିନ୍ତୁ ସ୍ଥିତି ଭଲ ଥିଲା। ବିକ୍ରମ ପଣ୍ଡା ଦାୟିତ୍ୱ ନେଇଥିଲେ। ଧୀରେ ଧୀରେ ଆମ ସ୍ଥିତିରେ ସୁଧାର ଆସୁଥିଲା। କିନ୍ତୁ ଏହି ଘଟଣା (ପୀତବାସ ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡା ଗିରଫ ହେବା) ଘଟିବା ପରେ ସମସ୍ତେ ମର୍ମାହତ ହୋଇଛନ୍ତି। ଆଜି ଯଦି ଆମେ ଗଞ୍ଜାମ ଜିଲ୍ଲାର ସଂଗଠନ କଥା କହିବୁ, ତା’ହେଲେ ଏହା ଗୋଟିଏ ଦିନରେ ଭାଙ୍ଗିଯାଇନି। ନିରନ୍ତର ଭାବେ ଗଞ୍ଜାମ ଜିଲ୍ଲା ନେତାଙ୍କୁ ଦାୟିତ୍ୱ ନଦେବା ଫଳରେ ଦଳର ସଂଗଠନ ଅତି ଦୁର୍ବଳ ହୋଇପଡ଼ିଛି। ଏବେ ଗଞ୍ଜାମ ଜିଲ୍ଲାର ମୁରବି ହେଉଛନ୍ତି ଆମ ଦଳର ସଭାପତି। ସେ ହିଞ୍ଜିଳିରୁ ବିଧାୟକ ଅଛନ୍ତି। କିନ୍ତୁ ସେ ମଧ୍ୟ ଜିଲ୍ଲା ପାଇଁ ସମୟ ଦେଇପାରି ନାହାନ୍ତି। ଆମେ ତାଙ୍କୁ ଅନୁରୋଧ କରୁଛୁ ଯେ ସେ ଗଞ୍ଜାମ ଜିଲ୍ଲାର ନେତାଙ୍କୁ ସ୍ୱତନ୍ତ୍ର ଭାବେ ଡାକି ଆଲୋଚନା କରନ୍ତୁ। ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ସେ ନିଅନ୍ତୁ। ଜିଲ୍ଲାରେ ବିଜେଡି କେମିତି ସୁଦୃଢ଼ ହେବ, ସେଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ। 

ସେ କହିଛନ୍ତି, ଗଞ୍ଜାମ ଜିଲ୍ଲା ପାଇଁ ନିରନ୍ତର ଭାବେ ପାତରଅନ୍ତର ନୀତି ଆପଣାଯାଉଛି। ଗଞ୍ଜାମ ଜିଲ୍ଲାର କୌଣସି ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଗଞ୍ଜାମ ଜିଲ୍ଲାରେ କେବଳ ଜଣେ ଦୁଇ ଜଣଙ୍କୁ ରିପିଟ୍ କରାଯାଉଛି। ଆଉ କାହାକୁ ସେମିତି ଗୁରୁ ଦାୟିତ୍ୱ ଦିଆଯାଉନାହିଁ। ଫଳରେ ସଂଗଠନ ଦିନକୁ ଦିନ ଆହୁରି ଦୁର୍ବଳ ହୋଇଯାଉଛି। ତେବେ କିଏ ପାତରଅନ୍ତର କରୁଛନ୍ତି, ତାହା ସେ କହି ନାହାନ୍ତି।

Advertisment

ଲତିକା କହିଛନ୍ତି ଯେ ଶଙ୍ଖ ଭବନରେ ବସୁଥିବା ଲୋକେ ପାତରଅନ୍ତର କରୁଛନ୍ତି କି କିଏ, ସେ ଜାଣିନାହାନ୍ତି। ଏକଥା ସଭାପତିଙ୍କ ନଜରକୁ ଆସୁନାହିଁ। ଏହା ନିଶ୍ଚିତ ଭାବେ ସଭାପତିଙ୍କ ନଜରକୁ ଆସିବା ଦରକାର। ପାତରଅନ୍ତର କରି ଲୋକଙ୍କୁ ହଇରାଣ କରାଯାଉଛି। 

ନବୀନଙ୍କୁ ସାକ୍ଷାତ କରିବା ପାଇଁ ସୁଯୋଗ ପାଇପାରୁ ନଥିବା ଲତିକା ଗଣମାଧ୍ୟମ ଜରିଆରେ ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ ଗଞ୍ଜାମ ଜିଲ୍ଲା ପାଇଁ ସେ ସ୍ୱତନ୍ତ୍ର ଦାୟିତ୍ୱ ନିଅନ୍ତୁ ଓ ଦଳର ସଂଗଠନକୁ ସୁଦୃଢ଼ କରନ୍ତୁ। 
ସେହିପରି ସେ ବିଜେଡିର କୋର୍ ଟିମ୍ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କୋର୍ ଟିମ୍‌ର ଅଧିକାର କ’ଣ ମୁଁ କିଛି ଜାଣିନି। କୋର୍ ଟିମ୍ କେଉଁ ସମସ୍ୟାର ସମାଧାନ କରି ଦେଇଛନ୍ତି, ତାହା ମୁଁ ଜାଣିନି। କୋର ଟିମ୍ କଥା ମୁଁ କହିପାରିବିନି। କୋର୍ ଟିମ୍ କ’ଣ ପାଇଁ ଅଛି, ସେଥିରେ କିଏ କିଏ ଅଛନ୍ତି, ମୁଁ ଭଲ ଭାବେ ଜାଣିନି।

ଏହା ସହିତ ଗତ ସାଧାରଣ ନିର୍ବାଚନ ବେଳେ ଗଞ୍ଜାମ ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଲତିକା। ସେ କହିଛନ୍ତି, ମୁଁ ଯଦି ବିଧାୟିକା ହୋଇଥା’ନ୍ତି ଓ ମୋ ଭଳି ଅନ୍ୟ ଭାଇଭଉଣୀମାନେ (ଗଞ୍ଜାମ ଜିଲ୍ଲା ବିଜେଡି ପ୍ରାର୍ଥୀ) ଯଦି ବିଧାୟକ/ବିଧାୟିକା ହୋଇଥା’ନ୍ତେ, ଆମ ଦଳର ସଭାପତି ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥା’ନ୍ତେ। ଗଞ୍ଜାମ ଜିଲ୍ଲାରେ ସବୁ ଆସନରେ ଦଳର ବିଜୟ ସୁନିଶ୍ଚିତ ଥିଲା। କିନ୍ତୁ ଆମ ପ୍ରାର୍ଥୀମାନଙ୍କୁ ହରାଇ ଦିଆଗଲା। ଫଳରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଛନ୍ତି। ଦଳ ଯାହାକୁ ଦାୟିତ୍ୱ ଦେଇଥିଲା, ସେ କ’ଣ କରୁଥିଲେ? ସେ କ’ଣ ସ୍ଥିତି ଅନୁଧ୍ୟାନ କରୁଥିଲେ? ଆମେ ତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଥିଲୁ। ଆମର ଯଦି କିଛି ଭୁଲ୍ ରହୁଥିଲା, ସେ କହିଲେନି କାହିଁକି? ତାଙ୍କୁ ତ ସେଥିପାଇଁ ଦଳ ଦାୟିତ୍ୱ ଦେଇଥିଲା। ଆମର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ କାମ ନ କରି ସେ କେଉଁଠି ଥିଲେ? ସେ ପିକ୍‌ନିକ୍ କରୁଥିଲେ ନା ନିର୍ବାଚନରେ ଆମକୁ ସହଯୋଗ କରୁଥିଲେ। ମୋ କଥା ମୁଁ ଯେତେ ଥର କହିଛି, ତା’ର କୌଣସି ପ୍ରକାର ସମାଧାନ ହୋଇପାରିଲାନାହିଁ। ଫଳସ୍ୱରୁପ ଏତେ ବଡ଼ ବ୍ୟବଧାନରେ ହାରିଲି। 

ଲତିକା କହିଛନ୍ତି, ହାରିବା ପରେ ସଂଗଠନକୁ ଆମେ ଯେତିକି ଗୁରୁତ୍ୱ ଦେବା କଥା, ତାହା କରାଯାଇନାହିଁ। ସଂଗଠନକୁ ଦୃଢ଼ କରିବା ପାଇଁ ସମସ୍ତଙ୍କୁ ନେଇକି ଯିବା କଥା। କିନ୍ତୁ ତାହା ସମ୍ଭବ ହୋଇପାରୁ ନାହିଁ। ଯେଉଁ ନେତାମାନେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ସ୍ୱରକୁ ଚପାଇ ନଦିଆଯାଉ। ତାଙ୍କ କଥାକୁ ଶୁଣାଯାଉ। ତାଙ୍କ ମତାମତକୁ ଶୁଣାଯାଉ ଓ ସମାଧାନର ବାଟ ବାହାର କରାଯାଉ। ନବୀନ ବାବୁ ସମସ୍ତଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଦଳର ଦାୟିତ୍ୱ ନେବା ପାଇଁ ଏକ ଟିମ୍‌ର ଆବଶ୍ୟକତା ରହିଛି। ନବୀନ ବାବୁ ସେହି ଟିମ୍ ଗଠନ କରନ୍ତୁ। କାହାକୁ ଅଣଦେଖା କରାନଯାଉ। ସମସ୍ତଙ୍କୁ ସାମିଲ କରାଯାଉ। 

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ଆସନ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏଥିରୁ ୧୨ଟି ଆସନରେ ହାରିଥିଲା। କେବଳ ହିଞ୍ଜିଳି ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe