ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଲକ୍ଡାଉନ୍ ଅବଧିର ଶେଷ ଦିନ। ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଆସନ୍ତାକାଲିଠୁ ଲକଡାଉନ୍ ଅବଧି ପୁଣି ଥରେ ବଢିବ ନା କୋହଳ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା। ପ୍ରାୟ ଦୁଇ ମାସର ଲକ୍ଡାଉନ୍, ସପ୍ତାହାନ୍ତ ସଟ୍ଡଉନ୍ ଓ ପୁଣି ଆଂଶିକ ଲକ୍ଡାଉନ୍ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡଲାଇନ୍ ଉପରେ ।
ଆସନ୍ତାକାଲି ଆଂଶିକ ଲକ୍ଡାଉନ୍ ଅବଧି ଶେଷ ହେଉଥିବାରୁ କେଉଁ ଜିଲ୍ଲାରେ କଟକଣା କେତେ ମାତ୍ରାରେ କୋହଳ ହେବ, ନୂଆ ନିୟମାବଳୀ କଣ ହେବ, ତା ଉପରେ ବିଚାର ବିମର୍ଶ ଚଳାଇଛି ସ୍ୱାସ୍ଥ୍ୟ ବିଭାଗ ।
ଏବେ ବି ୧୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ୫ ପ୍ରତିଶତ ଉପରେ ରହିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାକୁ A- କାଟାଗୋରୀରେ ରଖି ସକାଳୁ ୬ରୁ ସଂଧ୍ୟା ୫ ଯାଏଁ ସବୁ ଦୋକାନ ଖୋଲିବାକୁ ଯେପରି ଅନୁମତି ଦିଆଯାଇଥିଲା, ସେହି ଫର୍ମୁଲା ଉପକୂଳ ଓଡ଼ିଶାରେ ଲାଗୁ ହେବାର ସମ୍ଭାବନା ରହିଛି । ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିଥିବାରୁ ଜୀବିକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଲାଇନ୍ରେ ନିଷ୍ପତ୍ତି ନିଆଯାଇପାରେ ।
ତେବେ ପଜିଟିଭିଟି ରେଟ୍ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଜାରି ରହିପାରେ । କିମ୍ବା ସମସ୍ତ ଜିଲ୍ଲାକୁ ହାଇରିସ୍କ, ମୋଡେରେଟ୍ ରିସ୍କ ଓ ଲୋ ରିସ୍କରେ ବିଭକ୍ତ କରି ଅଲଗା ଅଲଗା ନିୟମାବଳୀ ଲାଗୁ କରାଯାଇପାରେ । ବିଶେଷକରି ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭିଟି ରେଟ୍ ବହୁତ କମ୍ ରହିଛି ସେଠାରେ ନିୟମ ଅଧିକ କୋହଳ କରାଯିବାର ସମ୍ଭାବନା ରହିଛି ।
ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କିନ୍ତୁ ଚେତାଇ ଦେଇଛନ୍ତି ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି । ନିୟମ ନମାନିଲେ ପଜିଟିଭ୍ ସଂଖ୍ୟା ବଢିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।