/odisha-reporter/media/post_attachments/uploads/2022/05/low-pressure.jpg)
low-pressure
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ବର୍ତ୍ତମାନ ଏହା ସ୍ପଷ୍ଟ ଲଘୁଚାପର ରୂପ ନେଇ ଦକ୍ଷିଣ--ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଛି। ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଣ୍ଡାମାନ ସାଗରରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବା ଲଘୁଚାପ କ୍ରମଶଃ ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବା ପରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ବାତ୍ୟା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ମେ ୧୦ ତାରିଖ ସୁଦ୍ଧା ଆନ୍ଧ୍ର-ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଏବେ ଦକ୍ଷିଣ--ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଗତକାଲିଠୁ ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଧୀରେ ଧୀରେ ଏହା ସମାନ ଦିଗରେ ଆଗକୁ ଯିବ। ଆସନ୍ତା ୧୦ ତାରିଖ ଯାଏ ଏହାର ଦିଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
ଆଗାମୀ ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ।
ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ସେତେବେଳେ ଏହା ସମୁଦ୍ର ମଝିରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହୁଛି।
ପବନର ବେଗ ୯ ତାରିଖଠାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୬୫ରୁ ୭୫ କି.ମି. ସର୍ବାଧିକ ୮୫ କି.ମି. ରହିବାର ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ସମୁଦ୍ର ମଝିରେ ପବନ ବେଗ ୭୦ରୁ ୮୦ କି.ମି., ସର୍ବାଧିକ ୯୦ କି.ମି. ରହିବା ସମ୍ଭାବନା ଅଛି। ଏହି ସମୟରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ।
ଏହା ପ୍ରଭାବରେ ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୯ ଓ ୧୦ ତାରିଖରେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
୧୦ ତାରିଖ ବେଳକୁ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ। କିନ୍ତୁ ଗଞ୍ଜାମ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ, ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳ ସମୟରେ ସୁଦୃଶଃ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଏବଂ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଅବପାତର ରୂପ ନେବାର ସମ୍ଭାବନା ରହିଛି pic.twitter.com/HBTGugnNiq
— Meteorological Centre, Bhubaneswar (@mcbbsr) May 7, 2022
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
