Advertisment

ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷିବ

ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ।

ଅଦ୍ୟତନ ହୋଇଛି
Low Pressure

Low Pressure

Advertisment

ଗତକାଲିର ପୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣି ବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

Advertisment

ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବା ବେଳେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଦୁଇ ଦିନ ଧରି କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ଗତକାଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା।

ଗତକାଲି ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ସମ୍ବଲପୁର, ଅନୁଗୋଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ସୋନପୁର ଓ ବୌଦ୍ଧର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୬ ତାରିଖ ସକାଳ ସାଢ଼େ ୮ଟାରୁ ୨୭ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗିର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲା କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅତିପ୍ରବଳ ବର୍ଷା ହେବାକୁ ଥିବା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ସେହିଭଳି ଅଧିକ ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ବିପଦ ସଙ୍କୁଳ ଅବସ୍ଥାରେ ଥିବା ମାଟି ଘର ଭାଙ୍ଗି ଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

୨୭ ତାରିଖ ସକାଳ ସାଢ଼େ ୮ଟାରୁ ୨୮ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Heavy Rain Low Pressure Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe