Advertisment

Mahanadi Row Turns Political: ସରକାରଙ୍କୁ ଘେରିଲେ ବିରୋଧୀ, ମାର୍ଚ୍ଚ ୧୪ରେ ପରର୍ବତ୍ତୀ ଶୁଣାଣି, ପୁଣି କ୍ଷେତ୍ର ପରିଦର୍ଶନରେ ଆସିବେ ଟ୍ରିବ୍ୟୁନାଲ

ପରର୍ବତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ହେବ । ଏହି ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲଙ୍କ ଏକ ପ୍ରତିନିଧି ଦଳ ମହାନଦୀର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲ ମହାନଦୀ ଅଂଚଳ ଗସ୍ତରେ ଆସିବେ।

BJD-Mahanadi-1
Advertisment

ମହାନଦୀ ଜଳବିବାଦକୁ ନେଇ ମହାଭାରତ । ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣିବେଳେ ରାଜ୍ୟର ବରିଷ୍ଠ ଅଫିସର ଓ ଆଡଭୋକେଟ୍ ଜେନେରାଲଙ୍କ ଅନୁପସ୍ଥିତିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଡଭୋକେଟ୍ ଜେନେରାଲ(ଏଜି) ପୀତାମ୍ବର ଆଚାର୍ଯ୍ୟ ମୁହାଁମୁହିଁ ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି। 

Advertisment

ତେବେ ନବୀନଙ୍କ ଆକ୍ଷେପକୁ ‘ନୈରାଶ୍ୟଜନକ ଓ ନିଦରୁ ଉଠି ପ୍ରଳାପ’ ବୋଲି ଏଜି ପାଲଟା ଜବାବ ଦେଇଥିବାବେଳେ ସତସାହସ ଥିଲେ ବିଧାନସଭା ଭିତରେ ଓ ବାହାରେ ବିର୍ତକ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି। ଆଉ ଏସବୁ ମଧ୍ୟରେ ଟ୍ରିବ୍ୟୁନାଲରେ ଶୁଣାଣି ମାର୍ଚ୍ଚ ୧୪ତାରିଖକୁ ନିର୍ଦ୍ଧାରିତ ହୋଇଛି ଓ ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା Mahanadi ଟ୍ରିବ୍ୟୁନାଲର ଏକ ପ୍ରତିନିଧି ଦଳ ମହାନଦୀର ବିଭିନ୍ନ ଅଂଚଳ ବୁଲି କ୍ଷେତ୍ର ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।

ଆପୋଷ ସମାଧାନ ନା ଟ୍ରିବ୍ୟୁନାଲ? ବିତର୍କରେ ଛନ୍ଦି ହୋଇଛି ମହାନଦୀ

ମହାନଦୀ ସମସ୍ୟାର ସମାଧାନ କିଭଳି ହେବ ସେ ନେଇ ଏବେ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ତୀବ୍ର ମତପାଥର୍କ୍ୟ ଦେଖାଦେଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ କୌଣସି ଜଳ ବିବାଦ ଆପୋଷ ଆଲୋଚନାରେ ସମାଧାନ ହୋଇନାହିଁ, ତେଣୁ ଟ୍ରିବ୍ୟୁନାଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉ ।  

Advertisment

ଜାନୁୟାରୀ ୨୩ରେ ସର୍ବଦଳୀୟ ବୈଠକ ଓ ଜାନୁୟାରୀ ୩୧ରେ ମନ୍ତ୍ରିସ୍ତରୀୟ କମିଟିର ବୈଠକ ପାଇଁ ଦିନଧାର୍ଯ୍ୟ ହୋଇଥିଲା । କାହିଁକି ସରକାର ଏହାକୁ ବାତିଲ କଲେ, ଏହାର ସ୍ପଷ୍ଟ ଉତ୍ତର ଦିଅନ୍ତୁ । ରାଜ୍ୟ ସରକାର ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଆବେଦନ କରିବାରେ ଅହେତୁକ ବିଳମ୍ବ କରିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ନିଶ୍ଚିତ ଓ ସରକାର ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଟ୍ରିପଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମାଧାନ ହେବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ଆଜି ଶୁଣାଣିରେ ସରକାରଙ୍କ କୌଣସି ପ୍ରତିନିଧି ନାହାନ୍ତି। ପ୍ରଧାନମନ୍ତ୍ରୀ ଚାହିଁଲେ ମାତ୍ର ଗୋଟିଏ ଘଣ୍ଟାଏରେ ମହାନଦୀ ସମସ୍ୟାର ସମାଧାନ ହୋଇପାରିଥାନ୍ତା, କିନ୍ତୁ ତାଙ୍କର ଇଚ୍ଛାଶକ୍ତି ନାହିଁ।

ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଜେଡିକୁ ପାଲଟା ଆହ୍ୱାନ କରି କହିଛନ୍ତି ଯେ ଯଦି ସତସାହସ ଅଛି ତେବେ ବିଧାନସଭା ଭିତରେ ଓ ବାହାରେ ଏହି ପ୍ରସଙ୍ଗରେ ବିର୍ତକ କରନ୍ତୁ । ବିଜେଡି ନିଜେ ହାରିବା ପାଇଁ ଘାତକ ଅସ୍ତ୍ର ତିଆରି କରି ଛତିଶଗଡ଼କୁ ଦେଇଦେଇଛି ଓ ଏବେ ନିରସ୍ତ୍ର ହୋଇ ଲଢ଼େଇ କରି ଅପଦସ୍ତ ହେଉଛି । ପୂର୍ବ ସରକାର କେଉଁ କେଉଁ ଘାତକ ଅସ୍ତ୍ର ତିଆରି କରି ଛତିଶଗଡ଼କୁ ଦେଇଛନ୍ତି ତାର ସମସ୍ତ ତଥ୍ୟ ସରକାରଙ୍କ ପାଖରେ ଅଛି । ସଂସଦୀୟ ଗଣତନ୍ତ୍ରରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଦେଶ-ଦେଶ ଭିତରେ ଆଲୋଚନା ହୋଇପାରୁଛି । ରାଜ୍ୟ-ରାଜ୍ୟ ଭିତରେ ଆଲୋଚନା ହେବାରେ ସମସ୍ୟା କ’ଣ ଅଛି? ସରକାର ସମସ୍ତ ତଥ୍ୟ ସହ ପ୍ରସ୍ତୁତ ଅଛନ୍ତି । ପୂର୍ବ ବିଜେଡି ସରକାରଙ୍କ ପାଖରେ ମହାନଦୀର ଜଳ ପ୍ରବାହ ନେଇ କୌଣସି ସଠିକ୍ ତଥ୍ୟ ନଥିଲା, ଯାହାକୁ ଏବେ ବିଜେପି ସରକାର ଗବେଷଣା ମାଧ୍ୟମରେ ସଂଗ୍ରହ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।


ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି, କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ପରର୍ବତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ହେବା ପାଇଁ ଦିନଧାର୍ଯ୍ୟ ହୋଇଛି। ତେବେ ଏହି ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲଙ୍କ ଏକ ପ୍ରତିନିଧି ଦଳ ମହାନଦୀର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲ ମହାନଦୀ ଅଂଚଳ ଗସ୍ତରେ ଆସିବେ । ପୂର୍ବରୁ ବିଜେଡି ଶାସନ ସମୟରେ ଟ୍ରିବ୍ୟୁନାଲ ମହାନଦୀ ଅଂଚଳ ଗସ୍ତରେ ଆସିଥିଲେ । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଏପ୍ରିଲ ୧୩ ତାରିଖରେ ଶେଷ ହେଉଥିବାରୁ ଏହାର ଅବଧି ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ଅନୁରୋଧ କରିଛନ୍ତି । 

ଟ୍ରିବ୍ୟୁନାଲ ଶୁଣାଣିରେ ଓଡ଼ିଶାର ଅନୁପସ୍ଥିତିକୁ ନେଇ ଏଜିଙ୍କୁ ନବୀନଙ୍କ ଆକ୍ଷେପ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ମହାନଦୀ ପ୍ରସଙ୍ଗରେ କଡ଼ା ଆକ୍ଷେପ କରିଛନ୍ତି ।ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କି ଆନ୍ତରିକତା ଓ ଆଜି ଟ୍ରିବ୍ୟୁନାଲ ଶୁଣାଣିବେଳେ କାହିଁକି ଏଜି ଅନୁପସ୍ଥିତ ରହିଲେ ବୋଲି ପ୍ରଶ୍ନ କରିଛନ୍ତି । ମହାନଦୀର ସୁରକ୍ଷାଠାରୁ ଏମିତି କ'ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ସେ ଶୁଣାଣିବେଳେ ଓଡ଼ିଶାର ପକ୍ଷ ରଖିବାକୁ ଉପସ୍ଥିତ ରହିଲେ ନାହିଁ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମହାନଦୀକୁ ବଂଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ । ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି । ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ମହାନଦୀ ଆମ ମା', ଓଡ଼ିଶାର ଜୀବନରେଖା । ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏଜିଙ୍କ ପାଲଟାଜବାବ: ନିଦରୁ ଉଠି ପ୍ରଳାପ କଲା ଭଳି ଲାଗୁଛି

ନବୀନ ପଟ୍ଟନାୟକଙ୍କ ଅଭିଯୋଗର ପାଲଟା ଜବାବ ସୋସିଆଲ ମିଡିଆରେ ଦେଇ ଏଜି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ନବୀନବାବୁଙ୍କ ଉକ୍ତି ସମ୍ପୂର୍ଣ୍ଣ ନୈରାଶ୍ୟଜନକ ଓ  ହଠାତ୍ ନିଦରୁ ଉଠି ପ୍ରଳାପ କଲା ଭଳି ମନେ ହେଉଛି । ମହାନଦୀ ମାମଲାରେ ମୁହଁ ଖୋଲିବା ପୂର୍ବରୁ ବିଜେଡି ନିଜର ଆତ୍ମସମୀକ୍ଷା କରିବା ଉଚିତ୍ । ଗତ ୭ବର୍ଷ ଧରି ନବୀନବାବୁଙ୍କ ଲିଗାଲ ଟିମ୍ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା, ତେଣୁ ସେଠାରେ ତାଙ୍କର ଉପସ୍ଥିତିର ଆଦୌ ଆବଶ୍ୟକତା ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଉଭୟ ରାଜ୍ୟ ଏବେ ଆପୋଷ ସମାଧାନର ଦ୍ୱାରଦେଶରେ ଅଛନ୍ତି ବୋଲି ସେ କହିଛନ୍ତି।

Mahanadi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe