Advertisment

Mahanadi Tribunal ଟିମ୍‌ ଝାରସୁଗୁଡ଼ାରେ ପହଂଚିଲେ : ବିଜେଡି କହିଲା ‘ଫ୍ୟାମିଲି ପିକନିକ୍‌’, ‘ମହାନଦୀ ବଞ୍ଚାଅ’ ବି କଲା ପ୍ରତିବାଦ

୨୦୨୩ ମସିହା ମେ' ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ୧୦ ଦିନର ଗସ୍ତ ପାଇଁ ରାଜକୋଷରୁ ୫ କୋଟି ୫ ଲକ୍ଷ ୫୮ ହଜାର ୨୯୭ ଟଙ୍କା ଖର୍ଚ୍ଚ ହୋଇଥିଲା ।

author-image
Prakaash Sethi
TRIBUNAL

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ଆଜି ପ୍ରାୟ ୩ବର୍ଷ ପରେ ପୁଣିଥରେ ଓଡ଼ିଶା ଆସିଛନ୍ତି । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅଧ୍ୟକ୍ଷା ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ନେତୃତ୍ୱରେ ୯ଜଣିଆ ଟିମ୍ ଝାରସୁୁଗୁଡ଼ାରେ ପହଂଚିଛନ୍ତି। ତେବେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଗସ୍ତ କାର୍ଯ୍ୟସୂଚୀ ପଦାକୁ ଆସିବା ପରେ ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇଛି। 

Advertisment

ବିରୋଧୀ ବିଜେଡି ଏହାକୁ ଟ୍ରିବ୍ୟୁନାଲଙ୍କ ଫ୍ୟାମିଲି ପିକ୍‌ନିକ କହି କଟାକ୍ଷ କରିଥିବାବେଳେ ମହାନଦୀ ବଂଚାଅ ଆନ୍ଦୋଳନର ସଦସ୍ୟମାନେ ଟ୍ରିବ୍ୟୁନାଲଙ୍କ ଗସ୍ତ ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଟ୍ରିବ୍ୟୁନାଲ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଟ୍ରିବ୍ୟୁନାଲ ସଦସ୍ୟ ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦ୍ରମିତ୍ କୌର କୋଚର ନିଜ ପରିବାର ସହ ଆସିଥିବା ଜଣାପଡ଼ିଛି ।

ଟ୍ରିବ୍ୟୁନାଲ ଟିମଙ୍କ ୫ଦିନିଆ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ

ଟ୍ରିବ୍ୟୁନାଲ ଟିମ୍ ଫେବୃଆରୀ ୨୬ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବା ପରେ ହୀରାକୁଦର ଅଶୋକ ନିବାସରେ ରାତ୍ରିଯାପନ କରିବେ । ୨୭ ତାରିଖରେ ହୀରାକୁଦ ବନ୍ଧ, ବୁର୍ଲା ପାୱାର ହାଉସ୍ ଓ ଚିପିଲିମା ପାୱାର ହାଉସ୍ ପରିଦର୍ଶନ କରିବା ସହ ଦେବ୍ରିଗଡ଼ ଅଭୟାରଣ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ୨୮ ତାରିଖ ସକାଳେ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ ସାରି ସନ୍ଧ୍ୟାରେ ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ମାର୍ଚ୍ଚ ୧ ତାରିଖରେ ଲିଙ୍ଗରାଜ ମନ୍ଦିର ଦର୍ଶନ ପରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଓ ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଚନ୍ଦ୍ରଭାଗା କୁଶଭଦ୍ରା ମୁହାଣ ପରିଦର୍ଶନ କରିବେ । ଶେଷଦିନ ଅର୍ଥାତ ମାର୍ଚ୍ଚ ୨ ତାରିଖରେ ଚିଲିକାର ସାତପଡ଼ା ଓ ସମୁଦ୍ର ମୁହାଣକୁ ବୁଲି ଦେଖି ରାତିରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Advertisment

ଗୃହ ବିଭାଗର ଚିଠି ଅନୁସାରେ, Mahanadi ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ନେତୃତ୍ୱାଧିନ ଟିମରେ ମୋଟ ୧୩ଜଣ ସଦସ୍ୟ ଅଛନ୍ତି। ଟ୍ରିବ୍ୟୁନାଲ ଦୁଇ ସଦସ୍ୟ ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦ୍ରମିତ୍ କୌର କୋଚରଙ୍କ ସମେତ ଟ୍ରିବ୍ୟୁନାଲର ଦୁଇ ଆସେସର ଏ.କେ. ସିଂହ ଓ କୃଷ୍ଣନୁନି ଏନ.ଏମ, ରେଜିଷ୍ଟ୍ରାର ଚନ୍ଦନ ମୁଖାର୍ଜୀ, ବ୍ୟକ୍ତିଗତ ସଚିବ ଅନିଲ ଦତ୍ତଶର୍ମା, ସୁଜିତ କୁମାର ଗିରି ଓ ସେକ୍ସନ ଅଫିସର ମନୋଜ କୁମାର ପ୍ରମୁଖ ସାମିଲ ରହିଛନ୍ତି। ଦୁଇ ସଦସ୍ୟ ଜଷ୍ଟିସ ରବିରଞ୍ଜନଙ୍କ ପତ୍ନୀ ସୁନୀତା ରାୟ, ଝିଅ ଭବ୍ୟା ପ୍ରିୟଦର୍ଶନୀ ଓ ନାତିଙ୍କ ସମେତ ଅନ୍ୟତମ ସଦସ୍ୟ ଜଷ୍ଟିସ ଇନ୍ଦ୍ରମିତ୍ କୌର କୋଚରଙ୍କ ସ୍ୱାମୀ ଜଷ୍ଟିସ ଏ.କେ.ପାଠକଙ୍କୁ ମଧ୍ୟ ରାଜ୍ୟ ସରକାର ‘ରାଜ୍ୟ ଅତିଥି’ ଘୋଷଣା କରିଛନ୍ତି ।


ଗସ୍ତକୁ ବିଜେଡି ଓ ‘ମହାନଦୀ ବଂଚାଅ ଆନ୍ଦୋଳନ’ର ତୀବ୍ର ବିରୋଧ

ବରିଷ୍ଠ ବିଜେଡି ନେତା ରୋହିତ ପୂଜାରୀ ଏହି ଗସ୍ତକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଦୀର୍ଘ ଆଠ ବର୍ଷ ପରେ ଟ୍ରିବ୍ୟୁନାଲ ଓଡ଼ିଶା ଆସୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମସ୍ୟା ସମାଧାନ ପାଇଁ କୌଣସି ଆନ୍ତରିକତା ନାହିଁ।

ଟ୍ରିବ୍ୟୁନାଲ ଟିମର ଏହି ଗସ୍ତ କେବଳ ଏକ ‘ଫ୍ୟାମିଲି ପିକନିକ’ ସଦୃଶ ବୋଲି ସେ ଅଭିହିତ କରିଛନ୍ତି। ବର୍ତ୍ତମାନର ମୋହନ ମାଝୀ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଛତିଶଗଡ଼ରେ ବିଜେପି ସରକାର ଥିବା ବେଳେ ଏବଂ କେନ୍ଦ୍ରରେ ମଧ୍ୟ ସମାନ ଦଳର ସରକାର ଥିବାରୁ, ଓଡ଼ିଶାର ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ସରକାର ବିଫଳ ହେଉଥିବା ସେ ଦର୍ଶାଇଛନ୍ତି। 

ମହାନଦୀ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଛତିଶଗଡ଼ ଦ୍ୱାରା ନିର୍ମିତ ବ୍ୟାରେଜଗୁଡ଼ିକର ପରିଚାଳନା। ଛତିଶଗଡ଼ରେ ବିଜେପି ଶାସନ କାଳରେ ହିଁ ମହାନଦୀର ଉପର ମୁଣ୍ଡରେ ଅନେକ ବ୍ୟାରେଜ ନିର୍ମାଣ କରାଯାଇଥିଲା, ଯାହା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିବାର ଆଶଙ୍କା ରହିଛି। ତେଣୁ ଟ୍ରିବ୍ୟୁନାଲ ଟିମ୍ କେବଳ ବୁଲିବାକୁ ନଆସି ପ୍ରକୃତ ସମସ୍ୟାର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ରୋହିତ ପୂଜାରୀ ଦାବି କରିଛନ୍ତି।

ସେହିପରି ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ ଟ୍ରିବ୍ୟୁନାଲଙ୍କ ଏଜେଣ୍ଡାରେ ମହାନଦୀର ଅବସ୍ଥା ଦେଖିବା ନାହିଁ। ଗତ ୭ବର୍ଷ ଧରି ମାମଲା ପଡ଼ି ରହିଥିଲେ ମଧ୍ୟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଉ ନାହିଁ। ଟ୍ରିବ୍ୟୁନାଲଙ୍କୁ ଏକ ସ୍ମାରକପତ୍ର ଦେଇ ମହାନଦୀକୁ ନେଇ ତୁରନ୍ତ ଅନ୍ତରୀଣ ଆଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି। 

ବିଜେପିର ପାଲଟା ଜବାବ

ଅନ୍ୟପଟେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଯେଉଁମାନେ ପୂର୍ବରୁ ଟ୍ରିବ୍ୟୁନାଲ ଗଠନ ପାଇଁ ଆନ୍ଦୋଳନ କରୁଥିଲେ, ସେମାନେ ହିଁ ଏବେ ଏହାକୁ ବିରୋଧ କରୁଛନ୍ତି। ୨୦୧୭ ମସିହାରେ ବିଜେପି ଚାହୁଁଥିଲା ଆପୋଷ ବୁଝାମଣା ଜରିଆରେ ବିବାଦର ସମାଧାନ ହେଉ, ମାତ୍ର ସେତେବେଳେ ବିଜେଡି ଏହାକୁ ଗ୍ରହଣ କରିନଥିଲା । ବର୍ତ୍ତମାନ ରାଜ୍ୟରେ ‘ଡବଲ ଇଞ୍ଜିନ' ସରକାର ଥିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ଟ୍ରିବ୍ୟୁନାଲ ଗସ୍ତରେ ଖର୍ଚ୍ଚ ହୋଇଥିଲା ୫କୋଟି, ଫଳ ଶୂନ

ସରକାରୀ ଦସ୍ତାବିଜ ଅନୁଯାୟୀ, ୨୦୨୩ ମସିହା ମେ' ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ୧୦ ଦିନର ଗସ୍ତ ପାଇଁ ରାଜକୋଷରୁ ୫ କୋଟି ୫ ଲକ୍ଷ ୫୮ ହଜାର ୨୯୭ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିରୁ କେବଳ ରହିବା ଓ ଖାଇବା ବାବଦରେ ୧.୮୫ କୋଟି ଟଙ୍କା, ଟେଂଟ ଓ ଅସ୍ଥାୟୀ ଭିତ୍ତିଭୂମି ପାଇଁ ୧.୮୭ କୋଟି ଓ ପରିବହନ ପାଇଁ ୧.୩୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ସେହି ସମୟରେ ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ୱରେ ଟିମ୍ ଝାରସୁଗୁଡ଼ା, ହୀରାକୁଦ, ସାତକୋଶିଆ ଓ ଚିଲିକା ଭଳି ସ୍ଥାନ ବୁଲିଥିଲେ ମଧ୍ୟ ଓଡ଼ିଶା ପାଇଁ କୌଣସି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିନଥିଲେ ।

Mahanadi