murder
କଟକ/ ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ୫ ଜଣଙ୍କୁ ହତ୍ୟା ମାମଲାର ରହସ୍ୟ ଭେଦିବା ପୁଲିସ ପାଇଁ ଏତେ ସହଜ ହେଉ ନାହିଁ। କିଛି ପ୍ରମାଣ ପାଇବା ଆଶାରେ ଆଜି ଅଭିଯୁକ୍ତ ଶିବ ସାହୁକୁ ପୁଲିସ ହତ୍ୟାକାଣ୍ଡ ସ୍ଥଳ(କୁସୁପୁର ଗାଁ)କୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି। ୫ ଜଣଙ୍କୁ କିପରି ହତ୍ୟା କଲା? କେଉଁ ପିରିସ୍ଥିତିରେ ହତ୍ୟା କଲା ? ପୁଲିସ ଆଗରେ ତାର ଡେମୋ ଦେଖାଇଛି ଶିବ।
ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଶିବକୁ ପଚରାଉଚରା କରିଛି ପୁଲିସ। କଡ଼ା ସୁରକ୍ଷା ମଧ୍ୟରେ ଏହି କ୍ରାଇମ ସିନ୍ ରିକ୍ରିଏଟ କରାଯାଇଥିଲା। ଏସିପି, ଏସ୍ଡିପିଓ ଓ ମାହାଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କ୍ରାଇମ୍ ସ୍ପଟ୍ରୁ କିଛି ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।
ପୁଲିସ ଅଭିଯୁକ୍ତ ଶିବକୁ ତିନିଆ ରିମାଣ୍ଡରେ ନେଇଛି। ଆଜି ରିମାଣ୍ଡର ଦ୍ୱିତୀୟ ଦିନ।
ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।
ସୂଚନାଯୋଗ୍ୟ, ୨ ଭାଇ ଅଲେଖ ସାହୁ ଓ ଶିବ ସାହୁଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ଅଲେଖଙ୍କ ପରିବାର ତାଙ୍କୁ ଖୁବ୍ ହଇରାଣ କରୁଥିବା ଶିବଙ୍କ ପତ୍ନୀ କହୁଥିବା ବେଳେ ଉଭୟ ପକ୍ଷ ପରସ୍ପର ନାଁରେ ଥାନାରେ ୧୦ରୁ ଊର୍ଦ୍ଧ୍ୱ ଲେଖା କେସ୍ ଦେଇଛନ୍ତି। ସେଥିମଧ୍ୟରେ ରେପ୍ କେସ୍ ବି ଥିବା ଜଣାଯାଇଛି। ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଭରି ରହିଥିବା ବେଳେ ପ୍ରତିଶୋଧ ନିଆଁରେ ଜଳୁଥିବା ଶିବ ଶେଷରେ ୧୧ ତାରିଖ ରାତିରେ ଜହ୍ଲାଦ ସାଜି ଭାଇର ପରିବାରକୁ ନିପାତ କରିଦେଲା। ତେବେ ଏକୁଟିଆ ଶିବ ଏପରି ରକ୍ତର ହୋଲି ଖେଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ସହଜେ ବିଶ୍ୱାସ କରିହେଉ ନାହିଁ। ଏହା ପଛରେ ଆଉ କିଛି ରହସ୍ୟ ଥିବା ଆଲୋଚନା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/Untitled-1-49.jpg)